25.1 C
Bhubaneswar
Tuesday, February 3, 2026
Homeଓଡିଶାଆସନ୍ତାକାଲି ରାମମନ୍ଦିର ଶୀର୍ଷରେ ଉଡ଼ିବ ଧର୍ମ ଧ୍ୱଜା

ଆସନ୍ତାକାଲି ରାମମନ୍ଦିର ଶୀର୍ଷରେ ଉଡ଼ିବ ଧର୍ମ ଧ୍ୱଜା

ଅଯୋଧ୍ୟା: ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପୂର୍ଣ୍ଣାଙ୍ଗ ରୂପ ନେଇଛି। ଏହି ପରିପ୍ରେକ୍ଷୀରେ ମନ୍ଦିରର ଶୀର୍ଷଭାଗରେ ଏକ ସନାତନ ଧର୍ମର ବିଜୟ ପ୍ରତୀକ ଭାବେ ଗେରୁଆ ରଙ୍ଗର ଧ୍ୱଜାରୋହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆସନ୍ତା କାଲି ମଧ୍ୟାହ୍ନ ୧୨:୦୦ ଘଟିକା ସମୟରେ (ପବିତ୍ର ମୁହୂର୍ତ୍ତ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପତାକାର ଧ୍ୱଜାରୋହଣ କରିବେ। ପ୍ରଭୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ଦିବ୍ୟ ବିବାହକୁ ସ୍ମରଣ କରି ବିବାହ ପଞ୍ଚମୀର ଶୁଭ ଅଭିଜିତ ମୁହୂର୍ତ୍ତ ଥିବାରୁ ଆସନ୍ତା କାଲିର ୧୨:୦୦ ଘଟିକା ସମୟକୁ ଅତ୍ୟନ୍ତ ପବିତ୍ର ଭାବେ ମୁହୂର୍ତ୍ତ ଭାବେ ବିବେଚନା କରାଯାଉଛି। କେବଳ ସେତିକି ନୁହେଁ, ଉତ୍ତୋଳନ ହେବାକୁ ଥିବା ଧ୍ୱଜା ଗଭୀର ପ୍ରତୀକାତ୍ମକ ଅର୍ଥ ମଧ୍ୟ ବହନ କରୁଛି। ଧ୍ୱଜାରେ ଏକ ଉଜ୍ଜ୍ୱଳ ସୂର୍ଯ୍ୟ, କୋବିଦାର ଗଛ ଏବଂ ପବିତ୍ର ଶିଳାଲେଖ “ଓମ୍‌’ ରହିଛି, ଯାହା ପ୍ରଭୁ ଶ୍ରୀ ରାମଙ୍କ ମର୍ଯ୍ୟାଦା, ସାହସ, ଐତିହ୍ୟ, କାଳଜୟୀ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ସହ ରାମରାଜ୍ୟର ମାର୍ଗଦର୍ଶକ ନୀତିକୁ ମଧ୍ୟ ପ୍ରତିନିଧିତ୍ୱ କରେ। ଏହି ଧ୍ୱଜା ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ୟାୟ ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ସାଜି ଯୁଗଯୁଗ ପାଇଁ ସମସ୍ତଙ୍କୁ ମାର୍ଗଦର୍ଶନ କରିବ। ଅନ୍ୟପକ୍ଷେ ବେଦପାଠ ଏବଂ ମନ୍ତ୍ରଧ୍ୱନି ମଧ୍ୟରେ ଏହି ଭବ୍ୟ କାର୍ଯ୍ୟର ସମ୍ପାଦନ କରାଯିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇସାରିଛି। ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ଆଗମନ ଏବଂ ମନ୍ଦିରର ଧ୍ୱଜାରୋହଣ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅଯୋଧ୍ୟା ସହରକୁ କଡା ସୁରକ୍ଷା ବଳୟରେ ରଖାଯାଇଛି। ସେହିପରି କାର୍ଯ୍ୟକ୍ରମର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ଗସ୍ତ କରିବା ପୂର୍ବକ ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ୍ ଭାଗବତ୍‌, ୨ ରାଜ୍ୟ ମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ ନିଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଅଯୋଧ୍ୟାର ଲୋକମାନଙ୍କୁ ଅଭିବାଦନ କରିବେ ଏବଂ ତା’ପରେ ମନ୍ଦିରକୁ ଯିବେ। ପ୍ରାୟ ସକାଳ ୧୦ଟାରେ, ସେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀଙ୍କ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ସପ୍ତମନ୍ଦିର ପରିସର ପରିଦର୍ଶନ କରିବେ। ତା’ପରେ ସେ ଶେଷାବତାର ମନ୍ଦିରରେ ପୂଜା କରିବେ, ତା’ପରେ ପ୍ରାୟ ୧୧ ଟାରେ ମାତା ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ। ତା’ପରେ, ସେ ରାମ ଦରବାରର ଗର୍ଭଗୃହରେ ପ୍ରାର୍ଥନା କରିବେ। ପ୍ରାୟ ୧୨ ଟାରେ, ପ୍ରଧାନମନ୍ତ୍ରୀ ମନ୍ଦିର ଉପରେ ୧୦ ଫୁଟ୍ ଉଚ୍ଚ, ୨୦ ଫୁଟ୍ ଲମ୍ବା ତ୍ରିକୋଣୀୟ ଗିରଗାଣ ଧ୍ୱଜାର ଉତ୍ତୋଳନ କରିବେ।

ପ୍ରଭୁ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ପରେ ପରେ ଏଠାରେ ନିୟମିତ ପୂଜାପାଠ ଚାଲିଆସୁଥିôଲେ ମଧ୍ୟ ମନ୍ଦିରର କିଛି ଚାରୁକାର୍ଯ୍ୟ ବାକି ରହିଥିଲା। ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିୟମିତ ଭାବେ ଏଠାରେ ଏସବୁ ବାକି କାର୍ଯ୍ୟଗୁଡ଼ିକୁ ଶେଷ କରାଯିବା ପ୍ରକ୍ରିୟା ଜାରି ରହିଥିଲା। ଏସବୁ କାର୍ଯ୍ୟ ଶେଷ ହେବା ପରେ ମନ୍ଦିର ପୂର୍ଣ୍ଣାଙ୍ଗ ରୂପ ନେଇଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତାକାଲିର ଧ୍ୱଜାରୋହଣ ସମାରୋହକୁ କୋଟି କୋଟି ରାମଭକ୍ତଙ୍କ ପାଇଁ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ସେମାନେ ଏହି ଐତିହାସିକ ଅବସର ବା ମୁହୂର୍ତ୍ତର ମୁକସାକ୍ଷୀ ରହିପାରିବେ। ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ମନ୍ଦିରର ଶିଖରରେ ଧର୍ମ ପତାକା ଉତ୍ତୋଳନ କରାଯିବ। ଏହା ଚାରିପାଖରେ ଦକ୍ଷିଣ ଭାରତୀୟ ସ୍ଥାପତ୍ୟରେ ନିର୍ମିତ ଏକ ୮୦୦ ମିଟର ଘେରା ଅଛି, ଯାହା ଭାରତର ସମୃଦ୍ଧ ସ୍ଥାପତ୍ୟ ବିବିଧତାକୁ ପ୍ରତିଫଳିତ କରେ। ମୁଖ୍ୟ ମନ୍ଦିରର ବାହାର କାନ୍ଥରେ ୮୭ଟି ଖୋଦିତ ପଥର ପ୍ୟାନେଲ ପ୍ରଦର୍ଶିତ ହୋଇଛି ଯାହା ଭଗବାନ ରାମାୟଣ ଉପରେ ଆଧାରିତ ଅଟେ, ଯେତେବେଳେ ପରିଧିରେ ୭୯ଟି ବ୍ରୋଞ୍ଜ ପ୍ୟାନେଲ ଭାରତର ସାଂସ୍କୃତିକ ପରମ୍ପରାର ଦୃଶ୍ୟଗୁଡ଼ିକୁ ଦର୍ଶାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking