ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାର କ୍ରିକେଟ୍ ଫାଇନାଲରେ ପାକିସ୍ତାନ ସାମ୍ନାରେ ୨୧୨ ରନ୍ର ଟାର୍ଗେଟ୍ ରଖିଛି ଭାରତ। ଶ୍ରେୟସ ଆୟରଙ୍କ ନେତୃତ୍ୱଧୀନ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୧ ରନ୍ କରିଛି। ଏବେ ଭାରତୀୟ ବୋଲରଙ୍କ ଉପରେ ରହିଛି ସ୍ୱର୍ଣ୍ଣ ପଦକ ଜିତିବାର ଦାୟିତ୍ୱ।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଅଭିଷେକ ଶର୍ମା ଓ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଇନିଂସ୍ ଆରମ୍ଭ କରିଥିଲେ। ବୈଭବ ଆକ୍ରମଣାତ୍ମକ ଭାବେ ଖେଳିଥିଲେ ମଧ୍ୟ ୯ ବଲରୁ ୧୫ ରନ୍ କରି ପାଭିଲିଅନ୍ ଫେରିଥିଲେ। ଏହାପରେ ଅଭିଷେକ ଗୋଟିଏ ପଟେ ପାରି ସମ୍ଭାଳିଥିବା ବେଳେ ଭାରତୀୟ ମଧ୍ୟକ୍ରମରେ ଲଗାତାର ୱିକେଟ୍ ପଡ଼ିଥିଲା। ଭାରତର ଚୂଡ଼ାନ୍ତ ଏକାଦଶରେ ବୈଭବ ଓ ଅଭିଷେକଙ୍କୁ ଓପନିଂ ଦାୟିତ୍ୱ ଦିଆଯାଇଥିଲା ।
ସଞ୍ଜୁ ସାମସନ୍ ୪ ବଲରୁ ମାତ୍ର ୨ ରନ୍ କରିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୨୪ ବଲରେ ୨୧ ରନ୍ କରିଥିଲେ। ଇଶାନ କିଶନ ମଧ୍ୟ ୧୮ ବଲରୁ ୨୦ ରନ୍ କରି ଆଉଟ୍ ହୋଇଥିଲେ। ଏହି ସମୟରେ ଭାରତର ସ୍କୋର ୨୦୦ ରନ୍ ଛୁଇଁବ କି ନାହିଁ, ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ପାରି ଭାରତୀୟ ଇନିଂସ୍କୁ ଗତି ଦେଇଥିଲା। ସେ ମାତ୍ର ୨୮ ବଲରେ ୬୧ ରନ୍ର ଦ୍ରୁତ ଇନିଂସ୍ ଖେଳିଥିଲେ। ତାଙ୍କ ଆଉଟ୍ ପରେ ତିଲକ ବର୍ମା ମୋର୍ଚ୍ଚା ସମ୍ଭାଳିଥିଲେ।ତିଲକ ବର୍ମା ଶେଷ ଭାଗରେ ପାକିସ୍ତାନୀ ବୋଲରଙ୍କ ଉପରେ ଚାପ ବଢ଼ାଇ ମାତ୍ର ୨୨ ବଲରେ ୫୧ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ତୁଫାନୀ ବ୍ୟାଟିଂ ସହ ଶିଭମ ଦୁବେ ମଧ୍ୟ ୧୫ ବଲରୁ ୨୭ ରନ୍ କରି ଭାରତର ସ୍କୋରକୁ ୨୧୧ ରନ୍ରେ ପହଞ୍ଚାଇଥିଲେ। ଏବେ ପାକିସ୍ତାନକୁ ବିଜୟ ପାଇଁ ୨୧୨ ରନ୍ କରିବାକୁ ପଡ଼ିବ। ଭାରତୀୟ ବୋଲରମାନେ ପାକିସ୍ତାନକୁ ୨୧୧ ରନ୍ ଭିତରେ ଅଟକାଇ ପାରିଲେ ଭାରତର ଖାତାକୁ ଆସିବ ସ୍ୱର୍ଣ୍ଣ ପଦକ।










