14.1 C
Bhubaneswar
Monday, December 8, 2025
Homeଓଡିଶାଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ଜନଜାତିଙ୍କ ବିକାଶ ପାଇଁ ନବୀନଙ୍କ କାର୍ଯ୍ୟ ସାରା ଦେଶ ପାଇଁ ଉଦାହରଣ
ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଜୀବିକା ଓ କ୍ରୀଡ଼ାରେ ଉଲ୍ଲେଖନୀୟ ପରିବର୍ତ୍ତନ

ଭୁବନେଶ୍ୱର : ପିଢି ପରେ ପିଢି ଲୋକଙ୍କୁ ନ୍ୟାୟ, ସମାନତା ଓ ଅଧିକାର ପାଇଁ ଲଢିବା ପ୍ରେରଣା ଦେଇଆସୁଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମାନଙ୍କ ଉତ୍ଥାନ ତଥା କଲ୍ୟାଣ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଦେଶର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ଶନିବାର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳର ମିଡିଆ ସଂଯୋଜକ ଏବଂ ପ୍ରବକ୍ତା ଡ଼ ଲେନିନ୍ ମହାନ୍ତି ଓ ଡ଼ ପ୍ରିୟବ୍ରତ ମହାନ୍ତି ଭାରତର ବୀର ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀଙ୍କ ଗର୍ବ ଭଗବାନ ବିର୍ସା ମୁଣ୍ଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଏହା କହିଛନ୍ତି ।

ଡ଼ ମହାନ୍ତି କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଜନଜାତି ସଶକ୍ତିକରଣ ଓ ସମାବେଶୀ ଶାସନର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଶ୍ରୀ ପଟ୍ଟନାୟକ କେବଳ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ନୁହନ୍ତି ବରଂ ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ପରମ୍ପରାକୁ ଜୀବନ୍ତ କରି ରଖିବାରେ ପଶ୍ଚାଦପଦ ଦେଇ ନାହାନ୍ତି । ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ପଟ୍ଟନାୟକ ତାଙ୍କ ୨୪ ବର୍ଷର ଶାସନକାଳରେ ଓଡ଼ିଶାକୁ ସମାବେଶୀ ବିକାଶର ଏକ ମଡେଲ ରାଜ୍ୟରେ ପରିଣତ କରିଥିଲେ । ବିଶେଷକରି ଆଦିବାସୀ ସଶକ୍ତିକରଣ ଦିଗରେ ବିଜେଡି ସରକାର ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ଆଦିବାସୀଙ୍କ କଲ୍ୟାଣ ବିନା ଓଡ଼ିଶାର ସମୃଦ୍ଧି ସମ୍ଭବ ନୁହେଁ ନୀତିରେ ବିଶ୍ୱାସ ରଖୁଥିବା ଶ୍ରୀ ପଟ୍ଟନାୟକ ମର୍ମେ ମର୍ମେ ଅନୁଭବ କରିଥିଲେ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେଡି ସରକାରଙ୍କ ପ୍ରତିବଦ୍ଧତା ହେତୁ ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ସଂସ୍କୃତି ଓ ପରିଚୟ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନୂଆ ସୂର୍ଯେ୍ୟାଦୟ ଦେଖିଛି । ଓଡ଼ିଶାରେ ଜନଜାତି ଐତିହ୍ୟର ସୁରକ୍ଷା ସୁନିଶ୍ଚିତ କରି ତାହାର ସାଂସ୍କୃତିକ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ସହ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ନୂଆ ଯୁଗର ଅୟମାରମ୍ଭ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନଜାତିୟ ନେତୃତ୍ୱଙ୍କ ସମ୍ମାନରେ ବାରିପଦା ମେଡିକାଲ କଲେଜକୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମିତ କରିଥିବା ବେଳେ କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ଓ ଭବାନୀପାଟଣାରେ ସ୍ୱାଧୀନତା ସେନାନୀ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିଛନ୍ତି । ସେହିପରି ରାଉରକେଲାରେ ନିର୍ମାଣ କରିଥିବା ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୦୨୩ ହକି ବିଶ୍ୱକପ୍ ଆୟୋଜନ କରି ଓଡ଼ିଶା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଲା । ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋଟର୍ଫ ଓଡ଼ିଶାକୁ “ଭାରତର ହକି ଜନ୍ମସ୍ଥଳ” ଭାବେ ପରିଚୟ ଦେବାରେ ବଡ଼ ଭୂମିକା ନିର୍ବାହ କଲା ।

ଡ଼ ମାଝୀ କହିଥିଲେ ଯେ, ଶିକ୍ଷାର ପ୍ରଭାବକୁ ସୁଦୂର ପ୍ରସାରୀ କରିବା ଲକ୍ଷ୍ୟରେ ଶ୍ରୀ ନବୀନ ପଟ୍ଟନାୟକ ୫-ଟି ବିଦ୍ୟାଳୟ ରୂପାନ୍ତରଣ ଯୋଜନା ଅଧୀନରେ ୨୫୦୦ରୁ ଅଧିକ ଜନଜାତୀୟ ଶିକ୍ଷା ପ୍ରତିଷ୍ଠାନରେ ଆଧୁନିକ ସୁବିଧା, ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରି ଓ ଉନ୍ନତ ପରିମଳ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଆଦିବାସୀ ଗ୍ରାମଗୁଡ଼ିକରେ ୪୪୦୦ ପବିତ୍ର ଉପବନ ଏବଂ ୨୦୨୨ ସାଂସ୍କୃତିକ କ୍ଲବ ନିର୍ମାଣ କରି ଜନଜାତି ସଂସ୍କୃତିର ସୁରକ୍ଷାକୁ ଆଉ ଏକ ପାଦ ଆଗକୁ ନେଇଥିଲେ । ଲାଭ ଯୋଜନା (ଲଘୁ ବନ ଜାତୀୟ ଦ୍ରବ୍ୟ କ୍ରୟ ଯୋଜନା)ରେ ଶତପ୍ରତିଶତ ରାଜ୍ୟ ଅନୁଦାନ ସହିତ ମିଶନଶକ୍ତି ମାଧ୍ୟମରେ ପ୍ରାୟ ଏକ କୋଟି ଜନଜାତି ପରିବାରକୁ ସାମିଲ କରାଯାଇଛି । ବିଶେଷକରି ମହିଳା କେନ୍ଦୁପତ୍ର ସଂଗ୍ରହକାରୀଙ୍କ ପାଇଁ ଲାଭ ଯୋଜନା ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି । ଏଥିସହ ରାୟଗଡାର ତେନ୍ତୁଳି ପ୍ରକ୍ରିୟାକରଣ କାରଖାନା ଏବଂ ଡିଜିଟାଲ କ୍ରୟ ବ୍ୟବସ୍ଥା ମାଧ୍ୟମରେ ବିନା ମଧ୍ୟସ୍ଥିରେ ସ୍ୱଚ୍ଛ ବାଣିଜ୍ୟ କାରବାର ପାଇଁ ସୁବିଧା ଯୋଗାଇ ଦିଆଯାଇଛି । ମିଶନ ସୁବିଦ୍ୟା, ଓଡ଼ିଶା ଗାର୍ଲସ୍ ଇନସେଣ୍ଟିଭ ପ୍ରୋଗ୍ରାମ (ଓଜିଆଇପି), ଅକାଂକ୍ଷା ହଷ୍ଟେଲ ଓ ଅନ୍ୱେଷା ଯୋଜନା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଦିଆଯାଇଛି । ଏହାଦ୍ୱାରା ପ୍ରତିବର୍ଷ ୧୫ ଲକ୍ଷରୁ ଅଧିକ ଏସ୍ଟି/ଏସ୍ସି ବର୍ଗର ଛାତ୍ରଛାତ୍ରୀ ପ୍ରାକ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ଉପକୃତ ହେଉଛନ୍ତି ।

ଡ଼ ମାଝୀ ଆହୁରି କହିଥିଲେ, ଓପିଇଏଲଆଇପି ଓ ମିଶନ ଜୀବିକା ଯୋଜନା ମାଧ୍ୟମରେ ଆଦିବାସୀ ଜୀବିକା ଓ କୌଶଳ ବିକାଶରେ ଆଖିଦୃଶିଆ ପରିବର୍ତ୍ତନ ଆସିଛି । ପିଭିଟିଜି ଗୋଷ୍ଠୀମାନଙ୍କ ମଧ୍ୟରେ ଏହି ପରିବର୍ତ୍ତନ ସ୍ପଷ୍ଟ ଦେଖାଯାଇପାରେ । ସେହିପରି ଆଦିବାସୀ ଭାଷା ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ବିଜେଡି ସରକାର ଆୟୋଗ ଗଠନ କରିବା ସହିତ ହୋ, ମୁଣ୍ଡାରି, କୁଇ ଓ ସୌରା ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେଡି ଦିଲ୍ଲୀରେ ବାରମ୍ୱାର ଦାବି ଜଣାଇ ଆସୁଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଓ ଓଡ଼ିଶା ଆଦିବାସୀ ବିକାଶ ସମିତି (ଓଟିଡିଏସ) ଗଠନ ମାଧ୍ୟମରେ ଆଦିବାସୀ ଶାସନକୁ ସହଭାଗୀ, ସଂସ୍କୃତିମୂଳକ ଓ ସାମାଜିକ ଭିତ୍ତିରେ ପରିଚାଳନା ବ୍ୟବସ୍ଥା କରାଯାଇଛି । ଆଦିବାସୀଙ୍କ ଐତିହ୍ୟ, କଳା ଓ ପରମ୍ପରାକୁ ସଂରକ୍ଷଣ କରି ଅନେକ ସାଂସ୍କୃତିକ ଉତ୍ସବ, ମେଳା ଆୟୋଜନ ସହିତ ସଂଗ୍ରହାଳୟ ସ୍ଥାପନ କରାଯାଇଛି । ଓଡ଼ିଶାର ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟ ପାଇଁ ସଶକ୍ତିକରଣ, ସୁରକ୍ଷା ଓ ପ୍ରଗତିର ଏହି ଯାତ୍ରା ଜାରି ରହିବ ବୋଲି ଡ଼ ମାଝୀ ଦୃଢ଼ତାର ସହ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking