28.1 C
Bhubaneswar
Wednesday, February 4, 2026
Homeଓଡିଶାଭାରତରେ ମଧ୍ୟସ୍ଥତା  ବ୍ୟବସ୍ଥାକୁ  ସୁଦୃଢ଼ କରିବା ସଂପର୍କରେ ଆଲୋଚନା

ଭାରତରେ ମଧ୍ୟସ୍ଥତା  ବ୍ୟବସ୍ଥାକୁ  ସୁଦୃଢ଼ କରିବା ସଂପର୍କରେ ଆଲୋଚନା

୨-ଦିନିଆ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଦ୍ୱିତୀୟ ଦିନର  ଦ୍ୱିତୀୟ ଅଧିବେଶନ 

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ୨-ଦିନିଆ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଦ୍ୱିତୀୟ ଦିନର  ଦ୍ୱିତୀୟ ଅଧିବେଶନରେ  “ଭାରତରେ ମଧ୍ୟସ୍ଥତା ବ୍ୟବସ୍ଥାକୁ  ସୁଦୃଢ଼ କରିବା ସଂପର୍କରେ ବିସ୍ତୃତ  ଆଲୋଚନା କରାଯାଇଥିଲା । ଏହି  ଅଧିବେଶନରେ  କ୍ଷେତ୍ର-ନିର୍ଦ୍ଦିଷ୍ଟ ଭିତ୍ତିରେ ମଧ୍ୟସ୍ଥତା ଏବଂ  ଦକ୍ଷତା ଓ ଫଳାଫଳ ଆଧାରିତ ପ୍ରକ୍ରିୟା-କୈନ୍ଦ୍ରିକ  ମଧ୍ୟସ୍ଥତା  ବିଷୟରେ ଆଲୋଚନା କରାଯାଇଥିଲା ।  ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀମତୀ ବି.ଭି. ନାଗରତ୍ନା, ନ୍ୟାୟାଧୀଶ, ସୁପ୍ରିମ କୋର୍ଟ ଏହି ଅଧିବେଶନରେ  ଅଧ୍ୟକ୍ଷତା କରିଥିଲେ । ସହ-ଅଧ୍ୟକ୍ଷ ଭାବେ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଏନ୍. କୋଟିଶ୍ୱର ସିଂହ, ନ୍ୟାୟାଧୀଶ, ସୁପ୍ରିମ କୋର୍ଟ  ଓ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଗୁରମିତ ସିଂହ ସାନ୍ଧୱାଲିଆ,  ମୁଖ୍ୟ ବିଚାରପତି, ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟ  ଯୋଗଦେଇଥିଲେ ।

କ୍ଷେତ୍ର-ନିର୍ଦ୍ଦିଷ୍ଟ ମଧ୍ୟସ୍ଥତାରେ  ପରିବେଶ ଓ ଜଳବାୟୁ ସମ୍ବନ୍ଧୀୟ ବିବାଦ ଯଥା  ଜମି, ଜଳ ଏବଂ ଦୀର୍ଘକାଳୀନ ସ୍ଥିରତା କ୍ଷେତ୍ରରେ ରହୁଥିବା ବିବାଦର ସମାଧାନ, ସ୍ୱାସ୍ଥ୍ୟ ଓ ଚିକିତ୍ସାରେ  ଅବହେଳା କ୍ଷେତ୍ରରେ  ରୋଗୀଙ୍କ ଅଧିକାର ଓ ସଂସ୍ଥାଗତ ଆହ୍ୱାନର ସମାଧାନ, ସତ୍ତ୍ୱାଧିକାର,  ଟ୍ରେଡମାର୍କ ଓ ପେଟେଣ୍ଟ ସମ୍ୱନ୍ଧୀୟ ବିବାଦ,  ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ସଂପର୍କରେ ଆଲୋକପାତ କରାଯାଇଥିଲା।  କର୍ପୋରେଟ୍  ପରିଚାଳନା  କ୍ଷେତ୍ରରେ ପରିଚାଳନା ସଭା ଭିତରେ ସଦସ୍ୟମାନଙ୍କ ମଧ୍ୟରେ ମତଭେଦ,  ଅଂଶୀଦାରମାନଙ୍କ ମଧ୍ୟରେ ବିବାଦ, ଷ୍ଟାର୍ଟଅପ୍  ଇକୋସିଷ୍ଟମରେ ବିବାଦ , ଲୋକଙ୍କ କଲ୍ୟାଣ ପାଇଁ ପ୍ରଣୀତ ଲୋକନୀତି ଏବଂ ସରକାରୀ ଚୁକ୍ତିରେ ରାଜ୍ୟ କର୍ତ୍ତୃପକ୍ଷ ଏବଂ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ  ମଧ୍ୟସ୍ଥତା ସେତୁ ସଦୃଶ  କାର୍ଯ୍ୟ କରିଥାଏ । ଏ ସଂପର୍କରେ ଆଲୋଚନା କରାଯିବା ସହ  ଅପରାଧିକ ନ୍ୟାୟ ଓ କିଶୋର-ନ୍ୟାୟରେ ମଧ୍ୟସ୍ଥତାର ଆବଶ୍ୟକତା ସଂପର୍କରେ ମଧ୍ୟ  ଆଲୋଚନା କରାଯାଇଥିଲା ।

ଦକ୍ଷତା  ଓ ଫଳାଫଳ ପ୍ରାପ୍ତି ସଂପର୍କିତ ପ୍ରକ୍ରିୟା କେନ୍ଦ୍ରିକ ମଧ୍ୟସ୍ଥତାରେ  ମାନବୀୟ ବ୍ୟବହାର, ଭାବନା ଓ ବୁଝାମଣା ରଣନୀତି ଆଦି  କ୍ଷେତ୍ରରେ ମନୋବୈଜ୍ଞାନିକ  ପରାମର୍ଶ, ମଧ୍ୟସ୍ଥିମାନଙ୍କ ପାଇଁ ପ୍ରାୟୋଗିକ ଅଭ୍ୟାସ, ଆଲୋଚନା ପାଇଁ  ପ୍ରଭାବିତ କରିବାର କୌଶଳ,  ସମ୍ବେଦନଶୀଳ ସୂଚନା ପରିଚାଳନାରେ ନୀତି ଓ ଗୋପନୀୟତାକୁ ସୁନିଶ୍ଚିତ କରିବା, ଆଇନ ସମ୍ମତ ଏବଂ ଏହାକୁ ଲାଗୁ ହେବା ନିଶ୍ଚିତ କରିବାକୁ ଦୃଷ୍ଟିରେ ରଖି ଚୁକ୍ତିପତ୍ର ପ୍ରସ୍ତୁତିରେ  ମଧ୍ୟସ୍ଥତାର ଆବଶ୍ୟକତା ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା ।

ନ୍ୟାୟମୂର୍ତ୍ତି ଶ୍ରୀମତୀ ବି.ଭି. ନାଗରତ୍ନା କହିଲେ ଯେ ଆଇନରେ ରହୁଥିବା ମାନବ ଦ୍ଵନ୍ଦ ଗୁଡିକୁ ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ସମାଧାନ କରାଯାଇପାରିବ। ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବିବାଦଗୁଡିକ ସମାଧାନ କରିବା ପାଇଁ “ସବୁଜ ମଧ୍ୟସ୍ଥି” ର ଆବଶ୍ୟକତା ରହିଛି। ସେହିଭଳି କମ୍ପାନୀ ମାମଲାରେ ଶିଳ୍ପଭିତ୍ତିକ ଆଇନ ପାଇଁ “ସ୍ୱତନ୍ତ୍ର ମଧ୍ୟସ୍ଥି”ର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ରହୁଥିବା ଭୟ କାରକ ଓ ପ୍ରକ୍ରିୟାକୁ ମଧ୍ୟସ୍ଥତା ମାଧ୍ୟମରେ ସହଜ କରାଯାଇପାରିବ।

ଏହି ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଜୟନ୍ତ ବାନାର୍ଜି,  ଶ୍ରୀ ବିରେନ୍ଦ୍ର ସରାଫ, ମହାଧିବକ୍ତା, ମହାରାଷ୍ଟ୍ର , ଶ୍ରୀ ପ୍ରଫୁଲ୍ ଏନ୍. ଭାରତ, ମହାଧିବକ୍ତା, ଛତିଶଗଡ଼ ଏବଂ,ଶ୍ରୀ ଜୱାଦ୍  ଏ.ଜେ.  ବରିଷ୍ଠ ଆଇନଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ମଧ୍ୟସ୍ଥତା କ୍ଷେତ୍ରରେ  ଆଇନଜୀବୀମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ, ଉପଯୁକ୍ତ ସଂସ୍ଥାଗତ ଢାଞ୍ଚାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀମତୀ ଗୀତା ରାମଶେଷାନ, ବରିଷ୍ଠ ଆଇନଜୀବୀ ଏହି ଅଧିବେଶନକୁ ସଂଯୋଜନା  କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking