କଟକ: କଟକ ଜଗତପୁର ଶିଳ୍ପାଞ୍ଚଳସ୍ଥିତ ପ୍ରସିଦ୍ଧ ‘ପ୍ରଗତି ଦୁଗ୍ଧ’ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କାରଖାନା ପରିସରରୁ ହଠାତ୍ ପ୍ରବଳ ଧୂଆଁ ସହିତ ନିଆଁର ଲେଲିହାନ ଶିଖା ବାହାରୁଥିବା ଦେଖିବାକୁ ମିଳିଛି। ଏହି ଅଘଟଣ ପରେ କାରଖାନା କର୍ମଚାରୀ ଓ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ନିଆଁ ଲିଭାଇବା କାର୍ଯ୍ୟରେ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଦୁଇଟି ୟୁନିଟ୍ ଏବଂ କଟକ ଅଗ୍ନିଶମ କେନ୍ଦ୍ରର ଗୋଟିଏ ୟୁନିଟ୍ ନିୟୋଜିତ ହୋଇଛନ୍ତି। କାରଖାନା ଭିତରୁ ପ୍ରବଳ କଳା ଧୂଆଁ ବାହାରୁଥିବାରୁ ଉଦ୍ଧାର ଓ ଅଗ୍ନି ନିର୍ବାପନ କାର୍ଯ୍ୟରେ କିଛିଟା ବାଧା ଉପୁଜିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।










