ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆହୁରି ୪ଟି ଗେଟ୍ ଖୋଲାଯାଇଛି । ଗତକାଲି ୧୬ଟି ଗେଟ୍ ଖୋଲାଥିବା ବେଳେ ଆଜି ୨୦ଟି ଗେଟ୍ ଦେଇ ମହାନଦୀରେ ଜଳ ନିଷ୍କାସନ କରାଯାଉଛି। ଅଧିକ ଗେଟ୍ ଖୋଲା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଖସିବାରେ ଲାଗିଛି। ଗତକାଲି ରାତି ୯ଟାରେ ଜଳସ୍ତର ୬୨୯.୪୭ ଫୁଟ ଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ୬୨୮.୯୩ ଫୁଟରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ହୀରାକୁଦ ଉପର ମୁଣ୍ଡରେ ୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସନ୍ଧ୍ୟାରେ ଜଳଭଣ୍ଡାରକୁ ହାରାହାରି ୨,୭୮,୯୨୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ସର୍ବମୋଟ ୩,୬୧,୫୧୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଏହି ସମୟରେ ସ୍ଲୁଇସ୍ ଗେଟ୍ଗୁଡ଼ିକ ଦେଇ ୩,୨୭,୨୦୦ କ୍ୟୁସେକ୍ ଓ ପାୱାର ଚ୍ୟାନେଲ୍ ଦେଇ ୩୧,୮୭୪ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଉଛି।










