21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଏସ୍‌ସିଓରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ: ଦୋମୁହାଁ ନୀତି ରହିବା ଉଚିତ୍ ନୁହେଁ

ଏସ୍‌ସିଓରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ: ଦୋମୁହାଁ ନୀତି ରହିବା ଉଚିତ୍ ନୁହେଁ

ବେଜିଂ : ଚୀନ୍‌ର ତିଆନ୍‌ଜିନ୍ ସହରରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ ଉଠାଇ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ପୃଷ୍ଠପୋଷକତା କରୁଥିବା ଦେଶ ଉପରେ ବର୍ଷିବା ଦେଖିବାକୁ ମିଳିଥିଲା। ସେହିପରି ମୋଦୀ ଏଭଳି ଏକ ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ସେନାର ଅପରେସନ୍ ସିନ୍ଦୂର’ ରୂପୀ ପରାକ୍ରମ ସମ୍ପର୍କରେ ମଧ୍ୟ ବଖାଣିବାକୁ ଭୁଲିନଥିଲେ। ମୋଦୀ କହିଥିଲେ ଏକ ବିଂଶ ଶତାବ୍ଦୀର ଭାରତ ଏକ ନୂଆ ଭାରତ। ଏହି ନୂଆ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି। ଭାରତ ସର୍ବେ ଭବନ୍ତୁ ସୁଖୀନଃ ନୀତିରେ ଆଗକୁ ବଢ଼ୁଛି। କିନ୍ତୁ ଭାରତକୁ କଷ୍ଟ ପହଞ୍ଚାଇବାକୁ ଚେଷ୍ଟା କରୁଥିବା ଯେକୌଣସି ଶକ୍ତିକୁ ଦୃଢ଼ତାର ସହ ଜବାବ ଦେବା ମଧ୍ୟ ଭାରତ ଜାଣିଛି। ଭାରତ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରାଗଲେ ଭାରତୀୟ ସେନା ଅପରେସନ୍ ସିନ୍ଦୂର’ ଭଳି ଅପରେସନ୍ କରିବାକୁ ପଛଘୁଞ୍ଚା ଦେବନାହିଁ। ଆତଙ୍କବାଦ ସମ୍ପର୍କରେ କୌଣସି ଦୋମୁହାଁ ନୀତି ରହିବା ଉଚିତ୍ ନୁହେଁ। ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ବଡ ବିପଦ। ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ ଏକ ବଡ ବିପଦ। ଦେଶ, ସମାଜ ଏବଂ ମାନବ ଜାତି ଏଥିରୁ ସୁରକ୍ଷିତ ନୁହେଁ। ଆତଙ୍କବାଦୀ ଏବଂ ଆତଙ୍କବାଦକୁ ଆର୍ôଥକ ସହାୟତା ଯୋଗାଉଥିବା ଶକ୍ତି ବିରୋଧରେ ଏକଜୁଟ୍ ହୋଇ ଲଢ଼ିବା ପାଇଁ ମୋଦୀ ବିଶ୍ୱ ସମୁଦାୟକୁ ଆହ୍ୱାନ କରିଛନ୍ତି। ଆତଙ୍କବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସମ୍ପର୍କରେ ମୋଦୀଙ୍କ ଏପ୍ରକାର ସମ୍ବୋଧନ ଉପସ୍ଥିତ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବଡ଼ କଟାକ୍ଷ ବୋଲି କୁହାଯାଉଛି।

ଶେହବାଜ ଅପମାନିତ: କେହି ପଚାରିଲେନି, ଆଡ଼ ଆଖିରେ ବି ଚାହିଁଲେନି
ଯୋଗଦେବା ପାଇଁ ଆସିଥିବା ପାକିସ୍ତାନ ପ୍ରଧାନମନ୍ତ୍ର ଶେହବାଜ ସରିଫ୍‌ଙ୍କୁ ଅପମାନିତ ହେବାକୁ ପଡିଛି। ସୋସିଆଲ ମିଡିଆରେ ଘୁରିବୁଲୁଥିବା କିଛି ଫଟୋ ତଥା ଭିଡିଓରେ ଏହାର ପ୍ରମାଣ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ହସହସ ମୁହଁରେ କଥାବାର୍ତ୍ତା ହୋଇ ଯାଉଥିବା ବେଳେ ଶେହବାଜ୍ ସେଠାରେ ସାଇଡ୍‌ଲାଇନ୍ ହୋଇ ଛିଡା ହୋଇଥିଲେ। କିନ୍ତୁ ମୋଦୀ କିମ୍ବା ପୁତିନ୍ କେହି ମଧ୍ୟ ତାଙ୍କୁ ଆଡ ଆଖିରେ ମଧ୍ୟ ଅନାଇନଥିଲେ। ମୋଦୀ ଏବଂ ପୁତିନ୍ ତାଙ୍କ ସାମ୍ନା ଦେଇ ଯାଉଥିବା ବେଳେ ଶେହବାଜ୍‌, ମୋଦୀଙ୍କୁ ଅନାଇ ରହିଥିବାର ମଧ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଶେହବାଜ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏହା ତାଙ୍କ ପାଇଁ ବଡ଼ ଅପମାନ ସଦୃଶ ଥିଲା। କୁହାଯାଉଛି ଯେ ଶେହବାଜ୍ ମଞ୍ଚ ଉପରେ ଫଟୋ ପୋଜ୍ ପାଇଁ ଛିଡା ହୋଇଥିବା ବେଳେ ତାଙ୍କ ସହ ଏପରି ଘଟିଛି। ସେହିପରି ଆଉ ଏକ ବଡ଼କଥା ହେଉଛି ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ମୋଦୀ ଏବଂ ପୁତିନ୍ ଏକାଠି ହସିହସି କଥାହେଉଥିଲେ ମଧ୍ୟ କେହି ଶେହବାଜ୍‌ଙ୍କୁ ସୌଜନ୍ୟମୂଳକ ଭାବେ ମଧ୍ୟ ଅଭିବାଦନ ଜଣାଇନଥିଲେ। ଶେହବାଜ୍‌ଙ୍କ ପ୍ରତି କେହି ଗୁରୁତ୍ୱ ନଦେବା ଏବଂ କେହି କଥା ନହେବା ତାଙ୍କ ପକ୍ଷେ ଅତ୍ୟନ୍ତ ଅସହ୍ୟ ଥିଲା। ଅନ୍ୟପକ୍ଷେ ବିଶ୍ୱର ୩ ଶକ୍ତିଶାଳୀ ରାଷ୍ଟ୍ରର ନେତା (ପୁତିନ୍‌-ମୋଦୀ-ଜିନ୍‌ପିଙ୍ଗ୍‌) ଏକାଠି ଆଲୋଚନା କରିବା ଦୃଶ୍ୟ ବେଶ୍ ରୋଚକ ଥିଲା। ଆମେରିକାର ଶୁଳ୍କ ନୀତି ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱର ନଜର ନିବଦ୍ଧ ହୋଇ ରହିଥିଲା ଏବଂ ତ୍ରିମୂର୍ତ୍ତୀଙ୍କ ଉପରେ।

ମୋଦୀଙ୍କୁ ୧୦ ମିନିଟ୍ ଧରି ଅପେକ୍ଷା କଲେ ପୁତିନ୍
କୁହାଯାଉଛି ଯେ, ପୁତିନ୍ କେବଳ ମୋଦୀଙ୍କ ସହ ହୋଟେଲ ପର୍ଯ୍ୟନ୍ତ ଯିବା ପାଇଁ ପ୍ରାୟ ୧୦ ମିନିଟ୍ ଧରି ହୋଟେଲ୍ ବାହାରେ ଅପେକ୍ଷା କରିଥିଲେ। ମୋଦୀ ବାହାରକୁ ଆସିବା ପରେ ପୁତିନ୍ ତାଙ୍କୁ ନିଜ ସହ ନିଜ ଗାଡ଼ିରେ ବସାଇ ହୋଟେଲ ପର୍ଯ୍ୟନ୍ତ ନେଇଯାଇଥିଲେ। ଏହି ସମୟରେ ମୋଦୀ ଏବଂ ପୁତିନ୍‌ଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ହୋଇଥିଲା। କେବଳ ପୁତିନ୍ କାହିଁକି ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍ ମଧ୍ୟ ମୋଦୀଙ୍କୁ ଏକ ୬ କୋଟି ଟଙ୍କା ମୂଲ୍ୟର ଦାମୀ ତଥା ବିଶ୍ୱର ଅନ୍ୟତମ ସୁରକ୍ଷିତ କାର୍ ଉପହାର ସ୍ୱରୂପ ଦେଇଥିବା ଜଣାପଡିଛି। ଏହିକାରରେ ବ୍ୟାପକ ସୁରକ୍ଷା ପ୍ରଣାଳୀ ନିୟୋଜିତ କରାଯାଇଥିବା କୁହାଯାଉଛି। ଗୋଟିଏ ପଟେ ଯେଉଁଠି ମୋଦୀଙ୍କ ପ୍ରତି ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ଏପ୍ରକାର ଆତିଥ୍ୟେୟତା ତଥା ବ୍ୟବହାର ଦେଖିବାକୁ ମିଳିଥିବା ବେଳେ ଅନ୍ୟପକ୍ଷେ ତାଙ୍କୁ ଏଠାରେ କେହି ସାମାନ୍ୟ ଭାବେ ମଧ୍ୟ ନପଚାରିବା କେବଳ ଶେହବାଜ୍ ନୁହେଁ ବରଂ ସମଗ୍ର ପାକିସ୍ତାନ ପାଇଁ ଏକ ବଡ଼ ଅପମାନ। ଏଥିରୁ ବିଶ୍ୱସ୍ତରରେ ଭାରତର ପ୍ରଭାବ ସ୍ପ୍‌ଷ୍ଟ ବାରି ହୋଇପଡୁଥିବା ବେଳେ ଆତଙ୍କବାଦର ଛାପ ଲାଗିଥିବା ପାକିସ୍ତାନ ଏବେ ବିଶ୍ୱସ୍ତରରେ ଏକପ୍ରକାର କୋଣଠେସା ହୋଇ ରହିଯାଇଛି ବୋଲି କୂଟନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking