29.1 C
Bhubaneswar
Saturday, September 5, 2026
Homeଓଡିଶାସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ, ଓଡ଼ିଶାର ପ୍ରଥମ

ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ, ଓଡ଼ିଶାର ପ୍ରଥମ

ଭୁବନେଶ୍ୱର: ଅତ୍ୟାଧୁନିକ ରକ୍ତନଳୀ ଏବଂ ଇଂଟରଭେନସନାଲ୍ ଚିକିତ୍ସା କ୍ଷେତ୍ରରେ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ୍‌) ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମର ଶୁଭାରମ୍ଭ ନିକଟରେ କରାଯାଇଛି। ଏହି ଅତ୍ୟାଧୁନିକ ପ୍ରଯୁକ୍ତି ଜଟିଳ ରକ୍ତ ଜମାଟ ଜନିତ ସମସ୍ୟାର ମିନିମାଲି ଇନଭେସିଭ୍ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ଜଟିଳ ରକ୍ତଜମାଟ ଜନିତ ସମସ୍ୟାରେ ପିଡ଼ିତ ଥିବା ରୋଗୀଙ୍କ କ୍ଷେତ୍ରରେ ବଡ଼ ଅସ୍ତ୍ରୋପଚାରର ଆବଶ୍ୟକତାକୁ ଏଡ଼ାଇ ଏହି ପ୍ରଯୁକ୍ତି ସହାୟତାରେ ଚିକିତ୍ସା କରାଯାଇପାରିବ।

ଆଞ୍ଜିଓଜେଟ୍ ହେଉଛି ଏକ ଅତ୍ୟାଧୁନିକ ଥ୍ରୋମ୍ବେକ୍ଟୋମି ପ୍ରଣାଳୀ, ଯାହା ଅବରୁଦ୍ଧ ରକ୍ତନଳୀରୁ ଦ୍ରୁତଗତିରେ ରକ୍ତ ଜମାଟକୁ ଭାଙ୍ଗି ବାହାର କରିବାରେ ସହାୟକ ହୋଇଥାଏ। ଜଣେ ଇଂଟରଭେନସନାଲ୍ ରେଡିଓଲୋଜିଷ୍ଟ ଏକ କ୍ଷୁଦ୍ର ଛିଦ୍ର ମାଧ୍ୟମରେ ପ୍ରଭାବିତ ରକ୍ତନଳୀ ଭିତରକୁ ଏକ ସ୍ୱତନ୍ତ୍ର କ୍ୟାଥେଟର ପ୍ରବେଶ କରାଇଥାନ୍ତି। ଏହି ପ୍ରଣାଳୀ ରକ୍ତ ଜମାଟକୁ ବାହାର କରିବା ସହ ରକ୍ତ ପ୍ରବାହକୁ ପୁନଃ ସ୍ୱାଭାବିକ କରିବାରେ ସହାୟତା କରିଥାଏ ବୋଲି ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଇଂଟରଭେନସନାଲ୍ ରେଡିଓଲୋଜି ବିଭାଗର ମୁଖ୍ୟ ତଥା କନ୍‌ସଲଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ କହିଛନ୍ତି।
ଏହି ପ୍ରଯୁକ୍ତି ବିଶେଷକରି ଡିପ୍ ଭେନ୍ ଥ୍ରୋମ୍ବୋସିସ୍ (ଡିଭିଟି)ରେ ପୀଡ଼ିତ ଥିବା ରୋଗୀଙ୍କ ପାଇଁ ଉପକାରୀ ହୋଇପାରିବ। ଏହି ରୋଗରେ ଗୋଡ଼ କିମ୍ବା ଶରୀରର କୌଣସି ଶିରାରେ ରକ୍ତ ଜମାଟ ସୃଷ୍ଟି ହୋଇଥାଏ। ଏହାର ଠିକ୍ ସମୟରେ ଚିକିତ୍ସା ନହେଲେ ପଲମୋନାରୀ ଏମ୍ବୋଲିଜମ୍ ସମେତ ବିଭିନ୍ନ ଗୁରୁତର ଜଟିଳତା ସୃଷ୍ଟି ହେବା ସହ ପ୍ରଭାବିତ ଅଙ୍ଗରେ ଦୀର୍ଘକାଳୀନ ଯନ୍ତ୍ରଣା ଓ ଫୁଲା ଦେଖାଦେଇପାରେ। ଆଞ୍ଜିଓଜେଟ ଆକ୍ୟୁଟ୍ ଆର୍ଟେରିଆଲ୍ ଥ୍ରୋମ୍ବୋସିସ କ୍ଷେତ୍ରରେ ମଧ୍ୟ ଚିକିତ୍ସା କରାଯାଇପାରିବ। ଏହି ଅବସ୍ଥାରେ ହଠାତ୍ ସୃଷ୍ଟି ହୋଇଥିବା ରକ୍ତ ଜମାଟ ହାତ କିମ୍ବା ଗୋଡ଼କୁ ରକ୍ତ ଯୋଗାଣରେ ବାଧା ସୃଷ୍ଟି କରି ଅଙ୍ଗ ପ୍ରତି ବିପଦ ସୃଷ୍ଟି କରିପାରେ। ଏହା ସହିତ ଡାଏଲିସିସ୍ ପାଇଁ ବ୍ୟବହୃତ ଏଭି ଫିଷ୍ଟୁଲା ଏବଂ ଗ୍ରାଫ୍‌ଟରେ ସୃଷ୍ଟି ହୋଇଥିବା ରକ୍ତ ଜମାଟକୁ ଦୂର କରି ସେଗୁଡ଼ିକର କାର୍ଯ୍ୟକ୍ଷମତା ଫେରାଇବାରେ ମଧ୍ୟ ଏହି ପ୍ରଣାଳୀ ସହାୟକ ହୋଇପାରିବ। ଅଧିକ ମାତ୍ରାରେ ରକ୍ତ ଜମାଟ ସୃଷ୍ଟି ହୋଇଥିବା ଅନ୍ୟାନ୍ୟ ରକ୍ତନଳୀ ଜନିତ ରୋଗରେ ମଧ୍ୟ ଏହି ପ୍ରଯୁକ୍ତିର ଉପଯୋଗ କରାଯାଇପାରିବ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।

“ଆଞ୍ଜିଓଜେଟର ଅନ୍ୟତମ ପ୍ରମୁଖ ସୁବିଧା ହେଉଛି ଯେ ଏହି ଚିକିତ୍ସା ପ୍ରକ୍ରିୟାକୁ ଏକ କ୍ଷୁଦ୍ର, ପିନ୍‌ହୋଲ୍ ଆକାରର ଛିଦ୍ର ମାଧ୍ୟମରେ କରାଯାଇପାରିବ। ଫଳରେ ବଡ଼ ଅସ୍ତ୍ରୋପଚାରର ଆବଶ୍ୟକତା ଏଡ଼ାଯାଇପାରିବ। ଉପଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ଏହା ଦ୍ରୁତ ରକ୍ତ ଜମାଟ ଅପସାରଣ, ରକ୍ତ ପ୍ରବାହର ପୁନରୁଦ୍ଧାର ଏବଂ ଶୀଘ୍ର ଆରୋଗ୍ୟରେ ସହାୟକ ହୋଇପାରିବ,” ଡାକ୍ତର ପଟ୍ଟନାୟକ କହିଛନ୍ତି। “ଓଡ଼ିଶାରେ ପ୍ରଥମ ଆଞ୍ଜିଓଜେଟ୍ ପ୍ରଣାଳୀର ପ୍ରଚଳନ ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀଙ୍କ ନିକଟରେ ଅତ୍ୟାଧୁନିକ ଓ ମିନିମାଲି ଇନଭେସିଭ୍ ରକ୍ତନଳୀ ଚିକିତ୍ସା ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ,” ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଏହି ସୁବିଧା ଉପଲବ୍ଧ ହେବା ପରେ ଜଟିଳ ରକ୍ତ ଜମାଟ ସମସ୍ୟାରେ ପୀଡ଼ିତ ରୋଗୀମାନେ, ଯେଉଁମାନଙ୍କୁ ପୂର୍ବରୁ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା, ସେମାନେ ଏବେ ଭୁବନେଶ୍ୱରରେ ଏହି ଅତ୍ୟାଧୁନିକ ଥ୍ରୋମ୍ବେକ୍ଟୋମି ଚିକିତ୍ସାର ସୁବିଧା ପାଇପାରିବେ।

ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର କହିଛନ୍ତି, “ଆଞ୍ଜିଓଜେଟର ପ୍ରଚଳନ ଆମର ଅତ୍ୟାଧୁନିକ ଏବଂ ମିନିମାଲି ଇନଭେସିଭ୍ ଭାସ୍କୁଲାର କେୟାର କ୍ଷମତାକୁ ଆହୁରି ସୁଦୃଢ଼ କରିବ।” ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି, “ଆଞ୍ଜିଓଜେଟ୍ ଅତ୍ୟାଧୁନିକ, ପ୍ରଯୁକ୍ତିନିର୍ଭର ଏବଂ ବିଶ୍ୱସ୍ତରୀୟ ରକ୍ତନଳୀ ଚିକିତ୍ସା ସେବାକୁ ଆମ ରୋଗୀଙ୍କ ନିକଟତର କରିବ।” ଏହି ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରଚଳନ ନେଇ ଖୁସି ବ୍ୟକ୍ତ କରି ଶିକ୍ଷା ‘ଓ’ ଅନୁସନ୍ଧାନର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି ଯେ “ଓଡ଼ିଶାବାସୀଙ୍କ ନିକଟରେ ଅତ୍ୟାଧୁନିକ ଓ ଅଭିନବ ସ୍ୱାସ୍ଥ୍ୟସେବା ପହଂଚାଇବା ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।” “ବଡ଼ ଅସ୍ତ୍ରୋପଚାରକୁ ଯଥାସମ୍ଭବ ଏଡ଼ାଇ ରୋଗୀଙ୍କୁ ଅତ୍ୟାଧୁନିକ, ମିନିମାଲି ଇନଭେସିଭ୍ ଏବଂ ପ୍ରମାଣଭିତିକ ଚିକିତ୍ସା ସେବା ପ୍ରଦାନ କରିବା ସମ୍ମମର ଲକ୍ଷ୍ୟ। ଆଞ୍ଜିଓଜେଟର ପ୍ରଚଳନ ଓଡ଼ିଶାରେ ସାମଗ୍ରିକ ଇଂଟରଭେନସନାଲ୍ ରେଡିଓଲୋଜି ଏବଂ ରକ୍ତନଳୀ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking