ଭୁବନେଶ୍ୱର: ସୁସ୍ଥ ଶରୀର, ବିଶୁଦ୍ଧ ପାନୀୟ, ଆଉ ଖାଦ୍ୟକୁ ନେଇ ଲୋକମାନେ କେତେ କେତେ ସତର୍କତା ଅବଲମ୍ବନ କରୁଛନ୍ତି । ହେଲେ ଚାଷୀ ଠାରୁ ବ୍ୟବସାୟୀ କିନ୍ତୁ ଲୋକଙ୍କୁ ଖାଦ୍ୟରେ କିଭଳି ହାନିକାରକ ଉପାଦାନ ମିଶାଇ ରୋଗୀଣା କରିବେ ସେଦିଗରେ ଲାଗି ପଡ଼ିଛନ୍ତି । କିଛିଦିନ ତଳେ ରାଜ୍ୟର ଛେନା ଓ ପନିରରେ ହେଉଥିବା ଅପମିଶ୍ରଣ ରାଜ୍ୟର ଖାଉଟିମାନଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ କଦଳୀକୁ ନେଇ ଆସିଥିବା ଖୁଲାସା ହୋସ୍ ଉଡ଼ାଇ ଦେଇଛି । କଦଳୀ ଏପରି ଏକ ଖାଦ୍ୟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ । ସୁସ୍ଥ ଶରୀର ପାଇଁ କଦଳୀରେ ଥିବା ଭିଟାମିନ୍ ତତ୍ତ୍ୱ ନିହାତି ଆବଶ୍ୟକ ପଡ଼େ ।ସେପଟେ ଆଜି ରାଜଧାନୀର କଦଳୀ ଗୋଦାମରେ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ କରି ଯେଉଁ ତଥ୍ୟ ପାଇଛି ସେଥିରୁ ସ୍ପଷ୍ଟ ହେବାରେ ଲାଗିଛି କି କଦଳୀକୁ ଶୀଘ୍ର ପଚାଇବା ପାଇଁ ଗୋଦାମ ମାଲିକମାନେ ସେଥିରେ ସର୍ବାଧିକ ହାନୀକାରକ ବିଷ ପ୍ରୟୋଗ କରୁଛନ୍ତି ।










