30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଅପରେସନ୍‌ ‘ସିନ୍ଦୂର’ ଆତଙ୍କବାଦ ବିରୋଧରେ ଐତିହାସିକ ଉଦାହରଣ: ରାଷ୍ଟ୍ରପତି

ଅପରେସନ୍‌ ‘ସିନ୍ଦୂର’ ଆତଙ୍କବାଦ ବିରୋଧରେ ଐତିହାସିକ ଉଦାହରଣ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ‘ଅପରେସନ ସିନ୍ଦୂର’କୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଐତିହାସିକ ଉଦାହରଣ ଭାବେ ଅଭିହିତ କରିଛନ୍ତି। ଗୁରୁବାର ଦିନ ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତି ମୁର୍ମୁ ଏପ୍ରିଲରେ ପହଲଗାମରେ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ “କାପୁରୁଷ ଏବଂ ସମ୍ପୂର୍ଣ୍ଣ ଅମାନବୀୟ” ବୋଲି କହିଛନ୍ତି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ମାଧ୍ୟମରେ ଭାରତର ପ୍ରତିକ୍ରିୟା “ନିର୍ଣ୍ଣାୟକ ଉପାୟରେ ଏବଂ ଦୃଢ଼ ସଂକଳ୍ପ ସହିତ” ଦିଆଯାଇଥିଲା

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ “ଏକତା ସହିତ” ଜବାବ ଦେଇଥିଲା, ଯାହା “ଆମକୁ ବିଭାଜିତ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସବୁଠାରୁ ଉପଯୁକ୍ତ ଜବାବ” ଥିଲା। ଆମେ ଆକ୍ରମଣକାରୀ ହେବୁ ନାହିଁ କିନ୍ତୁ ଆମର ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିଶୋଧ ନେବାକୁ ମଧ୍ୟ ପଛଘୁଞ୍ଚା ଦେବୁ ନାହିଁ ବୋଲି ଭାରତର ମତକୁ ବିଶ୍ୱ ଜାଣିଛି।” ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, “ଅପରେସନ୍ ସିନ୍ଦୂର ଦେଖାଇଛି ଯେ ଆମର ସଶସ୍ତ୍ର ବାହିନୀ ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ”। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା “ଆତଙ୍କବାଦ ବିରୁଦ୍ଧରେ ମାନବଜାତିର ଲଢ଼େଇରେ ଇତିହାସରେ ଏକ ଉଦାହରଣ ଭାବରେ ନାମିତ ହେବ।”

ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ କ୍ରୀଡ଼ାକୁ ସଶକ୍ତୀକରଣର ଏକ ପ୍ରମୁଖ ମାପକାଠି ଭାବେ ବିବେଚନା କରି ଜାତୀୟ କ୍ରୀଡ଼ା ନୀତି ୨୦୨୫ ଅଧୀନରେ‘ପରିବର୍ତ୍ତନମୂଳକ ପରିବର୍ତ୍ତନ’ର ପୂର୍ବାନୁମାନ କରିଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ପ୍ରଶଂସା କରି ସେ କହିଛନ୍ତି ଯେ ଶିକ୍ଷାକୁ ପରମ୍ପରା, ମୂଲ୍ୟବୋଧ ଓ ଦକ୍ଷତା ସହିତ ଯୋଡ଼ିବା ଦ୍ବାରା ଉଦ୍ଭାବନ ଏବଂ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏବେ ନିଯୁକ୍ତି ସୁଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଯୁବ ଉଦ୍ୟୋଗୀମାନେ ଭାରତର ଇତିହାସରେ ସବୁଠାରୁ ସହାୟକ ‘ଇକୋସିଷ୍ଟମ’ରେ ପ୍ରବେଶ କରିଛନ୍ତି।

ଭାରତର ମହାକାଶ କାର୍ଯ୍ୟକ୍ରମ ପରବର୍ତ୍ତୀ ପିଢ଼ିକୁ କିପରି ପ୍ରେରଣା ଦେଉଛି, ସେ ସଂପର୍କରେ ମଧ୍ୟ ରାଷ୍ଟ୍ରପତି ତାଙ୍କ ଉଦ୍‌‌ବୋଧନରେ କହିଛନ୍ତି। ନିକଟରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ ପରିଦର୍ଶନ କରିଥିବା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସଫଳତା ଉପରେ ଆଲୋକପାତ କରି ସେ କହିଛନ୍ତି, ତାଙ୍କର ଏହି ଯାତ୍ରା ପୂରା ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି ଏବଂ ଏହା ଭାରତର ଆଗାମୀ ଗଗନଯାନ ମାନବ ମହାକାଶ ଯାତ୍ରା ଅଭିଯାନ ପାଇଁ ସିଧାସଳଖ ସହାୟକ ହେବ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଭାରତର ପ୍ରତିରକ୍ଷା ଦକ୍ଷତା, ଭିତ୍ତିଭୂମି ସମ୍ପ୍ରସାରଣ, ବିଶ୍ୱ କ୍ରୀଡ଼ା ମଞ୍ଚରେ ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ମହାକାଶ ଅନୁସନ୍ଧାନ ମାଧ୍ୟମରେ ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଦିଗରେ ସୃଷ୍ଟି ହେଉଥିବା ଆତ୍ମବିଶ୍ବାସକୁ ଉଲ୍ଲେଖ କରିଛନ୍ତି। ସ୍ୱାଧୀନତା ପରଠାରୁ ଏହି ଘଟଣାଗୁଡ଼ିକୁ ‘ଐତିହାସିକ ଉପଲବ୍ଧି’ଭାବରେ ଚିତ୍ରଣ କରି ରାଷ୍ଟ୍ରପତି ବିଶ୍ୱ ଆହ୍ୱାନର ମୁକାବିଲାରେ ଏକତା, ଆତ୍ମନିର୍ଭରଶୀଳତା ଏବଂ ସାମୂହିକ ସଂକଳ୍ପ ପାଇଁ ଆହ୍ୱାନ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking