14.1 C
Bhubaneswar
Sunday, December 7, 2025
Homeଓଡିଶାନୂଆ ଜୀବନ ଦେଲା ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜ

ନୂଆ ଜୀବନ ଦେଲା ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜ

ଭୁବନେଶ୍ୱର: ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ସର୍ଜରୀ ବିଭାଗଙ୍କ ସମୟୋଚିତ ଓ ସଠିକ୍ ଚିକିତ୍ସା ହେତୁ ଜଣେ ଅତି ଗୁରୁତର ରୋଗୀ ନୂଆ  ଜୀବନ ପାଇଛନ୍ତି । ଏହି ବିଭାଗର ତୁରନ୍ତ ଓ ଉଚ୍ଚମାନର ସେବା ପାଇଁ ରୋଗୀଙ୍କର ପରିବାର ବର୍ଗ ଅପରେସନ କରିଥିବା ଟିମ୍ , ଡାକ୍ତର, ଷ୍ଟାଫ୍, ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ମାସ ୧୬ ତାରିଖ ଦିନ ପ୍ରାୟ ରାତି ୯ ଟା ସମୟରେ କିଞ୍ଜିରିକେଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପାଖାପାଖି ଅଞ୍ଚଳରେ ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଲୋକଙ୍କ ତଳିପେଟରେ ଛୁରୀ ଦ୍ଵାରା ଗଭୀର ଆଘାତ ହୋଇଥିଲା । ତାଙ୍କୁ ଉକ୍ତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଆଡ଼ମିଶନ କରାଯାଇଥିଲା । ଆବଶ୍ୟକୀୟ ଚିକିତ୍ସା ପରେ ରୋଗୀଙ୍କର ତଳିପେଟରେ କ୍ଷତ ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲକୁ ଅଣାଯାଇଥିଲା । ପେଟରେ କ୍ଷତ ହୋଇ ଅନ୍ତନଳୀର କିଛି ଅଂଶ ବାହାରି ଆସିଥିଲା । ୧୭ ତାରିଖ ଦିନ ସେ ମେଡିକାଲ କଲେଜ ହସ୍ପିଟାଲ ଆଶୁ ଚିକିତ୍ସା କେନ୍ଦ୍ରରେ ଆଡ଼ମିଶନ ହୋଇଥିଲେ । ସେଠାରେ ଆବଶ୍ୟକୀୟ ଚିକିତ୍ସା ସହ ରୋଗୀଙ୍କୁ ସ୍ଵାଭାବିକ କଲାପରେ ୱାର୍ଡକୁ ପଠାଯାଇଥିଲା । ସଂଗେସଂଗେ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯାଇ ସେହି ଦିନ ତାଙ୍କର ଅପରେସନ ନିମନ୍ତେ ଯୋଜନା କରାଯାଇଥିଲା ।

କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ବିଶେଷଜ୍ଞ ସର୍ଜରୀ ଟିମ୍ ଗଠନ କରାଯାଇଥିଲା । ଆସୋସିଏଟ ପ୍ରଫେସର ଡ଼ା. ରବି ନାରାୟଣ ଗୁରୁ, ସହକାରୀ ପ୍ରଫେସର ଡ଼ା. ଅରବିନ୍ଦ ଝା, ବରିଷ୍ଠ ଆବାସିକ ଡାକ୍ତର ଅଭିଜିତ, ନିଶେତକ ଡ଼ା. ମିନାକ୍ଷୀ ପାଣ୍ଡେ ଆଦି ପ୍ରମୁଖ ଟିମ୍ ରେ ସାମିଲ ହୋଇଥିଲେ । ପ୍ରଫେସର ପି.କେ ଦଳେଇ ଏବଂ ଅତିରିକ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ପାଢୀଙ୍କ ଯୁଗ୍ମ ତତ୍ତ୍ୱାବଧାନରେ ସମୁଦାୟ ସର୍ଜରୀ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା ।

ସେହି ୧୭ ତାରିଖ ଦିନ ରୋଗୀଙ୍କର ଅପରେସନ କରାଗଲା । ଅପରେସନ ପ୍ରକ୍ରିୟା ପ୍ରାୟ ୨ ଘଣ୍ଟା  ଧରି  ଚାଲିଲା । ଶେଷରେ ଅପରେସନ ଶେଷ ହେଲା ଏବଂ ଏକ ପ୍ରକାର ଜୀବନ ଆଶା ହରେଇଥିବା ରୋଗୀ ନୂଆ ଜୀବନ ପାଇଲେ । ବର୍ତ୍ତମାନ ରୋଗୀ ୱାର୍ଡରେ ଅଛନ୍ତି ଏବଂ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରମାନେ ପୂର୍ଣ୍ଣ ଦୃଷ୍ଟି ରଖିଛନ୍ତି । ତାଙ୍କର ଶାରୀରିକ ଅବସ୍ଥାରେ ଭଲ ଉନ୍ନତି ଘଟୁଛି ବୋଲି ଚିକିତ୍ସା କରୁଥିବା ଡ଼ାକ୍ତର କହିଛନ୍ତି ।ମେଡିକାଲ କଲେଜର ଅତିରିକ୍ତ ଅଧ୍ୟକ୍ଷ ପ୍ରଫେସର ପାଢ଼ୀ କହିଛନ୍ତି ଯେ ”ବର୍ତ୍ତମାନର ଆରୋଗ୍ୟ ହାର ବଜାୟ ରଖିଲେ ପ୍ରାୟ ୭ ଦିନ ମଧ୍ୟରେ ରୋଗୀଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ ଏବଂ ଡିସଚାର୍ଜର ୭ ଦିନ ପରେ ତାଙ୍କ ଅବସ୍ଥାରେ ପୁନଃ ନିରୀକ୍ଷଣ କରାଯିବ । ଆଗାମୀ ୧୫ ଦିନ ମଧ୍ୟରେ ସେ ସୁସ୍ଥତା ଲାଭ କରିବେ ବୋଲି ଆମେ ଆଶା କରୁଛୁ” ।ସୂଚନାଯୋଗ୍ୟ, ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ସର୍ଜରୀ ବିଭାଗ ଏକ ବର୍ଷ ତଳେ ୨୦୨୪ ଜୁଲାଇ ମାସରେ କାର୍ଯ୍ୟାରମ୍ଭ କରିଥିଲା । ଇତି ମଧ୍ୟରେ ଏହି ବିଭାଗ ନିଜର କର୍ମ ତତ୍ପରତା ଏବଂ ସଠିକ୍ ସେବା ଯୋଗୁ ସ୍ଥାନୀୟ ଜନସାଧାରଣଙ୍କ ବେଶ ଆସ୍ଥାଭାଜନ ହୋଇ ପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking