ନୂଆଦିଲ୍ଲୀ: ଖୋଲାଗଲା ଡ୍ରାଗନ କ୍ୟାପସୁଲ ଦ୍ୱାର । ଜଣେ ପରେ ଜଣେ ସଦସ୍ୟ ହସ ହସ ମୁହଁରେ ଡ୍ରାଗନ କ୍ୟାପସୁଲରୁ ବାହାରିଛନ୍ତି । ଶୁଭାଂଶୁ ଏବଂ ତାଙ୍କ ଦଳର ସଦସ୍ୟମାନେ ହେଲେ — ଯୁକ୍ତରାଷ୍ଟ୍ର ର କମାଣ୍ଡର ପେଗି ହ୍ୱିଟସନ , ପୋଲାଣ୍ଡ ର ସ୍ଲାୱୋସଜ ଉଜନାନସ୍କି , ଏବଂ ହଙ୍ଗେରୀ ଟିବୋର କାପୁ । ଶୁଭାଂଶୁ ଶୁକ୍ଲା ମଧ୍ୟ ଡ୍ରାଗନ କ୍ୟାପସୁଲରୁ ବାହାରି ଖୁସିର ସହ ହାତ ହଲାଇ ବାହାରିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନରୁ ଅଧିକ ସମୟ ଅତିବାହିତ କରିବା ପରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରିଛନ୍ତି । ଆକ୍ସିଅମ- ୪ ମିସନରେ ଯାଇ ସଫଳତାର ସହ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା । ଏହି ସମୟରେ ସମସ୍ତେ ଶୁଭାଂଶୁଙ୍କୁ ଏବଂ ତାଙ୍କ ସହିତ ଯାଇଥିବା ଅନ୍ୟ ସଦସ୍ୟଙ୍କୁ ସ୍ୱାଗତ କରାଯାଇଛି । ଶୁଭାଂଶୁଙ୍କ ମା ମଧ୍ୟ ଭାବ ବିହ୍ୱଳ ହୋଇ ଆଖିରେ ଖୁସିର ଲୁହ ଛଳ ଛଳ କରି ତାଳି ମାରି ସ୍ୱାଗତ କରିଛନ୍ତି । ଗତକାଲି ଅପରାହ୍ନ ୪ଟା ୪୫ ମିନିଟ ସମୟରେ ମହାକାଶ ଷ୍ଟେସନରୁ ସ୍ପେସ-ଏକ୍ସ ଡ୍ରାଗନରେ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ସହିତ ଆକ୍ସିଅମ-୪ ମିଶନ ରେ ଯାଇଥିବା ଚାରି ଜଣିଆ ଦଳ ସୋମବାର ସନ୍ଧ୍ୟା ପ୍ରାୟ ୪:୫୦ ରେ ଆଇଏସଏସକୁ ବିଦାୟ ଦେଇଥିଲେ । ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନ ‘ଗ୍ରେସ୍’ ଏବେ ସାଢ଼େ 23 ଘଣ୍ଟାର ଯାତ୍ରା ପରେ ଆଜି ଭାରତୀୟ ସମୟ ପ୍ରାୟ ୩ଟାରେ ଆମେରିକାର କାଲିଫର୍ନିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅବତରଣ କରିଥିଲା ।









