33.1 C
Bhubaneswar
Wednesday, March 25, 2026
Homeଓଡିଶାପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ବଙ୍ଗଳାଦେଶୀ ଓ ରୋହିଙ୍ଗିୟା ସନ୍ଦେହରେ ବେଆଇନ ଅଟକ ରଖିବା ଘଟଣାରେ ହସ୍ତକ୍ଷେପ...

ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ବଙ୍ଗଳାଦେଶୀ ଓ ରୋହିଙ୍ଗିୟା ସନ୍ଦେହରେ ବେଆଇନ ଅଟକ ରଖିବା ଘଟଣାରେ ହସ୍ତକ୍ଷେପ ଲାଗି

ମାନବ ଅଧିକାର କମିଶନଙ୍କୁ ବାମପନ୍ଥୀ ଦଳମାନଙ୍କ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ଅନ୍ୟ ବାମପନ୍ଥୀ ଦଳ ଯଥା ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନ୍‌ବାଦୀ) ଲିବରେସନ ଓ ଆଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଭୁବନେଶ୍ୱରଠାରେ ମାନବ ଅଧିକାର କମିଶନଙ୍କୁ ଜୁଲାଇ ୧୧ ତାରିଖ ମଧ୍ୟାହ୍ନରେ ସାକ୍ଷାତକରି ପଡ଼ୋଶୀ ପଶ୍ଚିମ ବଙ୍ଗଳାରୁ ଆସି ଓଡ଼ିଶାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୁଥିବା ୪୪୮ଜଣ ପ୍ରବାସୀ ଶ୍ରମିକମାନଙ୍କୁ ବଙ୍ଗଳାଦେଶୀ ଓ ରୋହିଙ୍ଗିୟା ଭାବେ ସନ୍ଦେହକରି ବେଆଇନ ଭାବରେ ଅଟକ ରଖିବା ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିବେଦନ ଜଣାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପ୍ରକାଶଥାଉକି ଗତ ୧୦ ଜୁଲାଇ, ୨୦୨୫ ତାରିଖରେ ଓଡିଶାର ଇଂରାଜୀ ଦୈନିକ ପତ୍ରିକା “ଓଡ଼ିଶା ପୋଷ୍ଟ”ରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ପଶ୍ଚିମ ବଙ୍ଗଳାର ୪୪୪ଜଣ ଝାରସୁଗୁଡ଼ା ଜିଲ୍ଲାରେ ଏବଂ ୪ଜଣ ଜଗତସିଂହପୁରର ପାରାଦ୍ୱୀପଠାରେ ପଶ୍ଚିମ ବଙ୍ଗଳାର ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖାଯାଇଛି। ସେମାନେ ବଙ୍ଗଳାଦେଶୀ କିମ୍ବା ରୋହିଙ୍ଗିୟା ଭାବେ ସନ୍ଦେହ କରି ସେମାନଙ୍କ ଦଲିଲ ପତ୍ର ତନଖି କରିବା ନାମରେ ଅଟକ ରଖାଯାଇଥିବା ଜଣାଯାଇଛି।

ଅଭିଯୋଗ କରାଯାଉଛିଯେ, ପଡ଼ୋଶୀ ପଶ୍ଚିମ ବଙ୍ଗଳାରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଏବଂ ଛୋଟ ବ୍ୟବସାୟୀ ଭାବେ କାର୍ଯ୍ୟକରି ଆସୁଥିବା ଗରିବ ପ୍ରବାସୀ ଶ୍ରମିକମାନଙ୍କୁ ବଙ୍ଗଳାଦେଶୀ କିମ୍ବା ରୋହିଙ୍ଗିୟା ସନ୍ଦେହରେ ବିଭିନ୍ନ ଜିଲ୍ଲାର ଅଟକ କେନ୍ଦ୍ରମାନଙ୍କରେ ରାଜ୍ୟ ପୋଲିସ ଜୁଲାଇ ୮ ତାରିଖରୁ ଅଟକ ରଖିଛି। ପୋଲିସ ସାହାଯ୍ୟରେ ଓଡ଼ିଶା ସରକାରଙ୍କ ଏତାଦୃଶ୍ୟ କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ ଏବଂ ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ଅପମାନଜନକ ଘଟଣା ଭାବେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ସ୍ମାରକ ପତ୍ରରେ କୁହାଯାଇଛିଯେ, ସନ୍ଦେହରେ ଅଟକ ରଖାଯାଇଥିବା ଏହି ପୀଡ଼ିତ ଗରିବ ଲୋକେ ତାଙ୍କର ସ୍ୱାଧୀନତା, ସମ୍ମାନ, ଜୀବନ-ଜୀବିକା ଏବଂ ମୌଳିକ ମାନବିକ ଅଧିକାର ହରାଇଛନ୍ତି। ସେମାନଙ୍କ ପରିବାର ବର୍ଗ ମାନସିକ ଏବଂ ଶାରିରୀକଭାବେ ନିର୍ଯ୍ୟାତନା ଓ ଯନ୍ତ୍ରଣାର ଶୀକାର ହୋଇଛନ୍ତି। ସେମାନଙ୍କୁ ନିଜ ନିଜର ପରିବାର ସହିତ ସମ୍ପର୍କ କରିବାକୁ ପୋଲିସ ଅନୁମତି ଦେଉନାହିଁ।

ପ୍ରତ୍ୟେକ ପ୍ରବାସୀ ଶ୍ରମିକ ସେମାନଙ୍କ ଜାତୀୟତା ଏବଂ ପ୍ରବାସିକତାର ଅବସ୍ଥାନ ନିର୍ବିଶେଷରେ ସମ୍ମାନ ଓ ମର୍ଯ୍ୟାଦା ପାଇବାର ଅଧିକାରୀ ବୋଲି ଭାରତର ସମ୍ବିଧାନର ଧାରା ୨୧ରେ ସୁନିଶ୍ଚିତ କରାଯାଇଛି। ସମ୍ବିଧାନରେ ଆହୁରି ମଧ୍ୟ ସୁନିଶ୍ଚିତ କରାଯାଇଛିଯେ ପ୍ରତ୍ୟେକ ଭାରତୀୟ ନାଗରିକ ପାଠ ପଢ଼ିବା, ବ୍ୟବସାୟ କରିବା, କର୍ମସଂସ୍ଥାନ ଏବଂ ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟରେ ସମଗ୍ର ଦେଶ ମୁକ୍ତଭାବେ ବୁଲାବୁଲି କରିପାରିବେ। ଏହି ଦେଶରେ କୌଣସି ବ୍ୟକ୍ତିଙ୍କୁ ଦୁଃବ୍ୟବହାର କରାଯାଇ ପାରିବ ନାହିଁ ଯେହେତୁ ମୁକ୍ତ ଭାବେ ଯାତାୟତ କରିବାର ସ୍ୱାଧୀନତା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ଭାବରେ ସମ୍ବିଧାନରେ ସୁନିଶ୍ଚିତ କରାଯାଇଛି। “ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବାର ଗୁରୁତ୍ୱ ସମ୍ପର୍କରେ ଆମେ ଭଲଭାବେ ଜାଣୁ, କିନ୍ତୁ ମାନବିକତା, ଅଟକ ରଖିବା ଓ ଅଟକରଖିବା ପାଇଁ ନଥିପତ୍ର ତନଖି କରିବାର ଯେଉଁ ପ୍ରକ୍ରିୟା ଅବଲମ୍ବନ କରାଯାଇଛି, ସେଥିରେ ଆମ୍ଭେମାନେ ଚିନ୍ତିତ ତଥା ଉଦ୍‌ବିଗ୍ନ” ବୋଲି ପ୍ରକାଶ କରି ଓଡ଼ିଶା ମାନବ

ଅଧିକାର କମିଶନ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ସ୍ମାରକପତ୍ରରେ ଜଣାଇ ନିମ୍ନମତେ କହିଛନ୍ତି–
୧) ଅଟକ ରଖାଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ମଣିଷ ଭଳି ବ୍ୟବହାର କରାଯାଇ ସେମାନଙ୍କ ପରିଚୟ ତନଖି ସମୟରେ ସେମାନଙ୍କ ଅଧିକାରକୁ ସମ୍ମାନ ପ୍ରଦାନ କରାଯିବା ସୁନିଶ୍ଚିତ କରାଯାଉ ଏବଂ ଯେତେଶୀଘ୍ର ସମ୍ଭବ ସେମାନଙ୍କୁ ମୁକ୍ତ କରାଯାଉ। ୨) ସେମାନଙ୍କ ତନଖି ପ୍ରକ୍ରିୟାକୁ ମନିଟରିଂ କରି ସେମାନଙ୍କ ଯେ କୌଣସି ମୌଳିକ ମାନବିକ ଅଧିକାର ଉଲ୍ଲଂଘନର ପ୍ରତିରୋଧ କରାଯାଉ ଏବଂ ଅପରାଧୀଙ୍କ ଭଳି ଅଟକ କେନ୍ଦ୍ରମାନଙ୍କରେ ସେମାନଙ୍କୁ ବନ୍ଦି ଭଳି ରଖାନଯାଉ। ୩) ଅଟକଥିବା ପ୍ରବାସୀ ଶ୍ରମିକମାନେ ଆଇନଗତ ପ୍ରତିନିଧିତ୍ୱର ସହାୟତା ଏବଂ ନିଜ ପରିବାର ସହିତ ସମ୍ପର୍କ ରକ୍ଷାର ସୁଯୋଗ ପାଇବା ସୁନିଶ୍ଚିତ କରାଯାଉ ଏବଂ ୪) ଅଟକ ରହିଥିବା ପ୍ରବାସୀ ଶ୍ରମିକମାନେ ଓଡ଼ିଶାରେ କିଭଳି ଅବସ୍ଥାରେ ବସବାସ କରୁଛନ୍ତି ତାହାର ଅନୁଧ୍ୟାନ କରି ସେମାନଙ୍କ ଆବାସ ସାଙ୍ଗକୁ ଆର୍ଥିକ କ୍ଷତିପୂରଣ ସମେତ ସମ୍ଭାବ୍ୟ ଆବଶ୍ୟକ ମାନବିକ ସହାୟତା ଯୋଗାଇାଦବାର ସମ୍ଭାବନା ନିଶ୍ଚିତ କରାଯାଉ। ଏହି ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସିପିଆଇ ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ସିଂହଦେଓ, ସିପିଆଇ(ଏମ୍‌)ର ପ୍ରଦୀପ୍ତ ନାୟକ, ସିପିଆଇ(ଏମ୍‌-ଏଲ୍‌) ଲିବରେସନର ମହେନ୍ଦ୍ର ପରିଡ଼ା ଏବଂ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର ଓଡିଶା ମାନବ ଅଧିକାର କମିଶନରଙ୍କୁ ତାଙ୍କର କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। କମିଶନର ତୁରନ୍ତ ହସ୍ତକ୍ଷେପକରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧିମଣ୍ଡଳୀଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking