ବ୍ୟାଙ୍କକ୍: ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ଦେଶର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାୱାତ୍ରାଙ୍କୁ ନିଲମ୍ବିତ କରିଛନ୍ତି । ଫଳରେ ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟ୍କା ଲାଗିଛି । କମ୍ବୋଡିଆର ପ୍ରଭାବଶାଳୀ ପୂର୍ବତନ ନେତା ହୁନ୍ ସେନ୍ଙ୍କ ସହ ଶିନାୱାତ୍ରାଙ୍କ ଏକ ସମ୍ବେଦନଶୀଳ ଟେଲିଫୋନ୍ିକ୍ ବାର୍ତ୍ତାଳାପ ଲିକ୍ ହେବା ପରେ ଶିନାୱାତ୍ରାଙ୍କ ପାଇଁ ସମସ୍ୟା ବଢ଼ିଯାଇଥିଲା । ତାଙ୍କ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ଯାଇପାରେ ବୋଲି ଆଶଙ୍କା କରାଯାଉଥିଲା । ତେବେ ଏହି ଆଶଙ୍କା ସତ ସାବ୍ୟସ୍ତ ହୋଇଛି । ଅଡିଓ କ୍ଲିପ୍ ଆସିବା ପରେ ଶିନାୱାତ୍ରା ଅସାଧୁ ଉପାୟ ଅବଲମ୍ବନ କରିବା ସହ ନୈତିକ ମାନଦଣ୍ଡର ଉଲ୍ଲଂଘନ କରିଥିବା ନେଇ ୩୬ ଜଣ ସିନେଟର ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଆଞ୍ଚଳିକ ବିବାଦକୁ ପ୍ରଶମିତ କରିବା ଏବଂ ସୀମାରେ ସେନା ମୁତୟନଜନିତ ଉତ୍ତେଜନା ହ୍ରାସ କରିବା ଉକ୍ତ ବାର୍ତ୍ତାଳାପର ଉଦ୍ଦେଶ୍ୟ ଥିଲା । ଜୁନ୍ ୧୫ ତାରିଖର ଏହି ଟେଲିଫୋନ୍ କଲ ଲିକ୍ ଯୋଗୁ ଘରୋଇ ଉତ୍ତେଜନା ବଢ଼ିବା ସହ ଶିନାୱାତ୍ରାଙ୍କ ନେତୃତ୍ୱାଧୀନ ମେଣ୍ଟରୁ ଏକ ବଡ଼ ଦଳ ସମର୍ଥନ ପ୍ରତ୍ୟାହାର କରିବାରୁ ଏହାର ସଂଖ୍ୟାଗରିଷ୍ଠତା ହ୍ରାସ ପାଇଥିଲା । ଶିନାୱାତ୍ରା ଦେଶର ସାର୍ବଭୌମତ୍ୱକୁ ଦୁର୍ବଳ କରିଥିବା ଉକ୍ତ ଦଳ ଅଭିଯୋଗ କରିଥିବାବେଳେ ନୂଆ ସରକାର ଦାବିରେ ବିକ୍ଷୋଭକାରୀ ସଂଗଠନଗୁଡ଼ିକ ଆନ୍ଦୋଳନ ବଢ଼ାଇବାକୁ ଧମକ ଦେଇଥିଲେ ।
ଶିନାୱାତ୍ରା ୨୦୨୪ ଅଗଷ୍ଟ ୧୬ରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଅର୍ଥାତ୍ କ୍ଷମତାରେ ରହିବାର ମାତ୍ର ୧୦ ମାସ ପରେ ଶିନାୱାତ୍ରା ଏପ୍ରକାର ,କ କ୍ଷମତା ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି । ଥାଇଲାଣ୍ଡ ସେନା ଏବଂ ଶିନାୱାତ୍ରାଙ୍କ ରାଜନୈତିକ ବଂଶ ମଧ୍ୟରେ ଗତ ୨ ଦଶନ୍ଧି ହେଲା କ୍ଷମତା ଲଢ଼େଇ ଜାରି ରହିଛି । ୨ ଥର ସେନା ବିଦ୍ରୋହ ଏବଂ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଅନେକ ଦଳ ଓ ପ୍ରଧାନମନ୍ତ୍ରୀ କ୍ଷମତାଚ୍ୟୁତ ହୋଇସାରିଛନ୍ତି । ଶିନାୱାତ୍ରା କୋର୍ଟଙ୍କ ମଙ୍ଗଳବାରର ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଟେଲିଫୋନ୍ ବାର୍ତ୍ତାଳାପ ପ୍ରଘଟ ପାଇଁ ହୁନ୍ ସେନ୍ଙ୍କୁ କ୍ଷମା ମାଗିଛନ୍ତି । ଏଥିସହ ସେ ଥାଇଲାଣ୍ଡ ସୈନ୍ୟବାହିନୀକୁ ସମାଲୋଚନା କରିଛନ୍ତି । ଦେଶ ପାଇଁ କାମ କରିବା ଏବଂ ସାର୍ବଭୌମତ୍ୱ ବଜାୟ ରଖିବା ସହ ଆମ ସମସ୍ତ ସୈନ୍ୟଙ୍କ ଜୀବନ ରକ୍ଷା କରିବାଜନିତ ବାର୍ତ୍ତାଳାପକୁ ପ୍ରଘଟ ପଛରେ ସେନା ହିଁ ଥିବା ଶିନାୱାତ୍ରା ଗଣମାଧ୍ୟମକୁ କହିଛନ୍ତି । ଅନ୍ୟପକ୍ଷେ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ନିର୍ଦେଶନାମା କାଏମ ରହିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ସାମ୍ବିଧାନିକ ଅଦାଲତ ୭-୨ ଭୋଟରେ ଏଭଳି କଟକଣା ଜାରି କରିଛନ୍ତି।










