23.1 C
Bhubaneswar
Sunday, December 21, 2025
Homeଓଡିଶାରାଜ୍ୟ ପାଇଁ ଏବର ସମୟ ହିଁ ପ୍ରକୃଷ୍ଟ ସମୟ: ମୁଖ୍ୟମନ୍ତ୍ରୀ

ରାଜ୍ୟ ପାଇଁ ଏବର ସମୟ ହିଁ ପ୍ରକୃଷ୍ଟ ସମୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା। ରାଜ୍ୟ ପାଇଁ ଏବର ସମୟ ହିଁ ପ୍ରକୃଷ୍ଟ ସମୟ। କାରଣ ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର୍ ଛୁଇଁବା ଲକ୍ଷ୍ୟ ରହିଥିଲା ବେଳେ ୨୦୪୭ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୧.୫ ଟ୍ରିଲିୟନ୍ ଡଲାର ଛୁଇଁବା ଲକ୍ଷ୍ୟଧାର୍ଯ୍ୟ ସ୍ଥିର ହୋଇଛି। ଏହାଦ୍ୱାରା ସମୃଦ୍ଧ ଓ ଉନ୍ନତ ଓଡ଼ିଶା ଗଠନ ସମ୍ଭବ ହେବ। ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନ୍‌ସିଲ୍ ବୈଠକରେ ଯୋଗଦେଇ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି। ୩.୨ ଲକ୍ଷ ଲୋକଙ୍କଠାରୁ ମତାମତ ନିଆଯାଇଛି। ଏହି ଭିଜନ୍ ଡକ୍ୟୁମେଣ୍ଟ ଆଧାରରେ ଭବିଷ୍ୟତ କାର୍ଯ୍ୟଧାରା ତିଆରି କରାଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତିି, ଏଗାର ମାସର ଆମ ସରକାର। ଏହି ଅବଧି ଭିତରେ ଅନେକ କାର୍ଯ୍ୟ କରାଯାଇଛି। ଏସବୁ ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଶୀବାଦ ଯୋଗୁଁ। ଓଡ଼ିଶା ଏବେ ସବୁ କ୍ଷେତ୍ରରେ ଉନ୍ନତି କରୁଛି। କେନ୍ଦ୍ର ସରକାର ରେଳ ବିକାଶ ପାଇଁ ୭୩ ହଜାର କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ଜାତୀୟ ରାଜପଥ ବିକାଶ ପାଇଁ ୪,୬୦୦ କୋଟି ବିନିଯୋଗ କରିଛନ୍ତି। ଆଉ ୧୭,୫୦୦ କୋଟି ଆଗାମୀ ଦିନରେ ବିନିଯୋଗ ହେବ। ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍ ସବ୍‌କା ବିକାଶ’ ଆହ୍ୱାନ ଏବେ ବାସ୍ତବ ରୂପ ନେଇଛି। ବିକଶିତ ଓଡ଼ିଶା-୨୦୩୬ ପାଇଁ ପ୍ରସ୍ତୁତି ଜୋର୍‌ଦାର୍‌। ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ୍ ଡଲାର୍ ଛୁଇଁବା ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସେହିପରି ରାଜ୍ୟର ସମସ୍ତ ଚାଷ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରହିଛି। ୨୦୨୯-୩୦ ସୁଦ୍ଧା ରାଜ୍ୟର ୧୫ ଲକ୍ଷ ହେକ୍ଟର୍ ଜମିକୁ ଜଳସେଚନ କରାଯିବ। ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ, ରେଳ ଓ ଆକାଶ ପଥ ବିକାଶ ହେବ। କେନ୍ଦ୍ର ସରକାରଙ୍କ ସହଯୋଗ ବିନା ତାହା ସମ୍ଭବ ନୁହେଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବେ ପୁଞ୍ଜିନିବେଶ ପାଇଁ ‘ବେଷ୍ଟ ଡେଷ୍ଟିନେସନ୍‌’। ସେଥିପାଇଁ ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା -ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌’ ଆୟୋଜନ କରି ସଫଳ ହୋଇଥିଲେ। ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି। ଆଗାମୀ ପାଞ୍ଚ ବର୍ଷରେ ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ। ଅନ୍ୟପ’ରେ ରାଜ୍ୟରେ ୧୬ ଲକ୍ଷପତୀ ଦିଦି ସୃଷ୍ଟି କରାଯିବ। ଏହା ଦେଶରେ ପ୍ରଥମ ବୋଲି ସେ ପ୍ରକାଶ କରିଥିଲେ। ଏହି ଗସ୍ତବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking