17.1 C
Bhubaneswar
Tuesday, December 9, 2025
Homeଓଡିଶାଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ ଅନୁଷ୍ଠିତ

ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ ଅନୁଷ୍ଠିତ

– ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭାରତରୁ ଅଂଶଗ୍ରହଣ
– ଏହି ସମ୍ମିଳନୀ ସୀମାପାର ସହଯୋଗକୁ ସୁଦୃଢ଼ କରିବ

ଭୁବନେଶ୍ୱର: ଭୁଟାନ ରାଜସରକାର ଓ ବିଶ୍ଵବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଦାଦନ ଶ୍ରମିକ ବିସ୍ଥାପନ ନିମନ୍ତେ ଗଠିତ ଟାସ୍କଫୋର୍ସର ଚେୟାରମ୍ୟାନ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଭାରତରୁ ଅଂଶଗ୍ରହଣ କରିଛନ୍ତି l ବିଶ୍ଵବ୍ୟାଙ୍କ ସମେତ ଦକ୍ଷିଣ ଏସିଆର ପ୍ରମୁଖ ଅର୍ଥନୈତିଜ୍ଞମାନେ ଏହି ସମ୍ମିଳନୀରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ l ସମ୍ମିଳନୀରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ଭୁଟାନର ପ୍ରଧାନମନ୍ତ୍ରୀ ଲିୟନଚୟେନ ସେରିଙ୍ଗ ଟୋବଗେଙ୍କ (Lyonchhen Tshering Tobgay) ସହିତ ଦୁଇ ଦେଶ ସହଭାଗୀତାର ସହ ସମସ୍ତ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ l

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଲୋକଙ୍କ ମଧ୍ୟରେ ସ୍ଥାନାନ୍ତର ବା ମାଇଗ୍ରେସନ ଏକ ବହୁମୁଖୀ ବାସ୍ତବତା ଯାହା ଜୀବନର ଗୁଣବତ୍ତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ବହୁମାତ୍ରାରେ ପ୍ରଭାବିତ କରେ। ଉପମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଥିଲେ, ଭାରତରେ, ପ୍ରାୟ ୧୦ କୋଟି ପ୍ରବାସୀ ଶ୍ରମିକ ପ୍ରତିବର୍ଷ ସାଧାରଣତଃ ଏକ ରୁ ଛଅ ମାସ ନିମନ୍ତେ କାମ ପାଇଁ ସ୍ଥାନାନ୍ତରିତ ହୁଅନ୍ତି । ଜନଗଣନା ତଥ୍ୟ ଅନୁଯାୟୀ ପ୍ରାୟ ୧୩ କୋଟି ୯୦ ଲକ୍ଷ ଭାରତ ଭିତରେ ହିଁ ସ୍ଥାନାନ୍ତର ହୋଇଛନ୍ତି l ପ୍ରବାସ କାରଣରୁ ଅଧିକାଂଶ ନିଜ ଅଞ୍ଚଳର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଏବଂ ପ୍ରବାସ ସ୍ଥାନରେ ମଧ୍ୟ ସମ୍ମୁଖୀନ ହେଉଥିବା ଅସୁବିଧାର ନିରାକରଣ ନିମନ୍ତେ ୧୯୭୯ ମସିହାରୁ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ତିଆରି ହୋଇ କାର୍ଯ୍ୟକାରୀ ହେଉଛି l ୨୦୧୧ ଜନଗଣନା ଅନୁସାରେ ଓଡିଶାର ଜନସଂଖ୍ୟା ୪ କୋଟି ୨୦ ଲକ୍ଷ l ତନ୍ମଧ୍ୟରୁ ୧୪ ଟି ଜିଲ୍ଲାକୁ ବିଶେଷ ଭାବରେ ପ୍ରବାସୀ-ପ୍ରବଣ ଭାବରେ ଚିହ୍ନଟ କରି ଓଡିଶା ସରକାରଙ୍କ ଦ୍ଵାରା କିଛି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି l ଯେଉଁଥିରେ, ଶୋଷଣମୂଳକ ଆଗୁଆ ଦେୟ ବ୍ୟବସ୍ଥାର ମୁକାବିଲା, ଅନୌପଚାରିକ ନିଯୁକ୍ତି ଶୃଙ୍ଖଳକୁ ନିୟନ୍ତ୍ରଣ କରିବା, ସୂଚନାପ୍ରଦ ପ୍ରବାସ ପାଇଁ ସଚେତନତା ସୃଷ୍ଟି କରିବା, ଦକ୍ଷତା ବିକାଶ ସଂଯୋଗକୁ ସୁଦୃଢ଼ କରିବା, ସେବାଗୁଡ଼ିକର ଆନ୍ତଃରାଜ୍ୟ ପୋର୍ଟେବିଲିଟି ଦିଗରେ କାର୍ଯ୍ୟ କରିବା ଆଦି ପ୍ରମୁଖ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି l ଏଥିସହିତ, ରାଜ୍ୟରେ ପ୍ରବାସୀ ଶ୍ରମିକ ସହାୟତା ଡେସ୍କ, ୧୫ ଲକ୍ଷ ଟଙ୍କାର ଜିଲ୍ଲା ସ୍ତରୀୟ ଜରୁରୀକାଳୀନ ପାଣ୍ଠିର ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋକପାତ କରି ବିଶ୍ୱ ସମୁଦାୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆହୁରି ମଧ୍ୟ କହିଥିଲେ ଯେ, ପ୍ରବାସୀ ଶ୍ରମିକ ପଞ୍ଜିକରଣ ସମେତ PAReSHRAM ପୋର୍ଟାଲ୍ ମାଧ୍ୟମରେ ୬୭ ଟି ଅନଲାଇନ୍ ସେବା ପ୍ରଦାନ କରାଯାଉଛି । ଏହି ସମ୍ମିଳନୀ ସୀମାପାର ସହଯୋଗକୁ ସୁଦୃଢ଼ କରିବ ଏବଂ ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବାରେ ସହାୟକ ହେବ । ଏଥିସହିତ, ନୂତନ ନୀତି ପ୍ରଣୟନ ଏବଂ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ବିଶ୍ଵବ୍ୟାଙ୍କର ଆନ୍ନା ଜୋର୍ଦେ (Anna Bjerde), ପ୍ରମୁଖ ଅର୍ଥନୀତିଜ୍ଞ ରୋବର୍ଟ ଗତ୍ତି (Roberta Gatti), ଲିଜୁ ଜର୍ଜ (Liju George), ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ମାଳଦ୍ବୀପ, କାନାଡ଼ା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଫିଲିପାଇନ୍ସ, ଜାମାଇକା, ଆରବ ଦେଶ, ମଧ୍ୟପ୍ରାଚ୍ୟ ପ୍ରମୁଖ ଦେଶରୁ ପ୍ରତିନିଧି ମାନେ ଯୋଗଦେଇ ସମ୍ମିଳନୀକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking