19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶୱାକଫ୍ ବିଲ୍ ପରେ ଏବେ ୟୁନିଫର୍ମ ସିଭିଲ୍ କୋଡ୍ ପାଳି; ୟୁସିସି ଲାଗୁ କରିବାକୁ ଚାଲିଛି...

ୱାକଫ୍ ବିଲ୍ ପରେ ଏବେ ୟୁନିଫର୍ମ ସିଭିଲ୍ କୋଡ୍ ପାଳି; ୟୁସିସି ଲାଗୁ କରିବାକୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ଆଇନ୍ ଆଣିସାରିବା ପରେ କେନ୍ଦ୍ର ସରକାର ଏବେ ଦେଶବ୍ୟାପୀ ୟୁନିଫର୍ମ ସିଭିଲ୍ କୋଡ୍ (ଏକକ ନାଗରିକ ସଂହିତା-ୟୁସିସି) ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରିପୋର୍ଟ ଅନୁସାରେ ୟୁସିସି ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୨୩ତମ ନିୟମ କମିଶନକୁ ଏହାର ଖସଡ଼ା ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ସରକାର ଏବେ ୟୁସିସି ଲାଗୁ କରିବା ଉପରେ ପ୍ରାଥମିକତା ଦେଉଛନ୍ତି।

ୟୁସିସି ହେଉଛି ଏକ ଏଭଳି ଆଇନ୍‌, ଯାହା ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ବିବାହ, ବିଚ୍ଛେଦ, ଉତ୍ତରାଧିକାର ଓ ଦାନ ଗ୍ରହଣ ଭଳି ବ୍ୟକ୍ତିଗତ ବିଷୟରେ ଏକ ସମାନ ଆଇନ୍ ପ୍ରଣୟନ କରିବ। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୪୪ରେ ଉଲ୍ଲେଖ ହୋଇଛି, ଯାହା ରାଷ୍ଟ୍ରକୁ ଏକ ସମାନ ନାଗରିକ ସଂହିତା ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛି। ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ୟୁସିସିକୁ ପ୍ରାଧାନ୍ୟ ଦେଇଛି, ଯାହାକୁ ମହିଳା ସଶକ୍ତିକରଣ ଓ ଜାତୀୟ ଏକତାର ମାଧ୍ୟମ ଭାବେ ଦେଖାଯାଉଛି। ତେବେ ଗତ କିଛି ବର୍ଷ ଧରି ୟୁସିସି ଏକ ବିବାଦୀୟ ବିଷୟ ହୋଇ ରହିଛି।

ୟୁସିସି ବିଲ୍‌କୁ ସମର୍ଥନ କରୁଥିବା ସମର୍ଥକମାନେ ଯେଉଁଠିି ଏହାକୁ ସାମାଜିକ ସମାନତା ଓ ଆଧୁନିକତାର ପ୍ରତୀକ ଭାବେ ଦେଖୁଛନ୍ତି, ଯାହାଦ୍ୱାରା ବିଭିନ୍ନ ଧାର୍ମିକ ବ୍ୟକ୍ତିଗତ ଆଇନ୍‌ରେ ଥିବା ଅସମାନତା ଦୂର ହୋଇପାରିବ, ସେତେବେଳେ ବିରୋଧୀମାନେ କିନ୍ତୁ କହୁଛନ୍ତି ଯେ, ଏହା ଧାର୍ମିକ ସ୍ୱାଧୀନତା ଓ ସାଂସ୍କୃତିକ ବିବିଧତା ଉପରେ ଆଘାତ ହେବ। ବିଶେଷତଃ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଏହାକୁ ନେଇ ଆଶଙ୍କା ରହିଛି। ଉତ୍ତରାଖଣ୍ଡରେ ସମ୍ପ୍ରତି ୟୁସିସି କାର୍ଯ୍ୟକାରୀ ହୋଇଛି, ଯାହା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ୍ ଭାବେ ଦେଖାଯାଉଛି।

ଏହା ବିବାହ ନିବନ୍ଧନ, ବହୁବିବାହ ଉପରେ ନିଷେଧ ଓ ସମାନ ଉତ୍ତରାଧିକାର ଅଧିକାର ଭଳି ବିଷୟକୁ ଗୁରୁତ୍ୱ ଦେଇଛି। କେନ୍ଦ୍ର ସରକାର ଏହାକୁ ଜାତୀୟ ସ୍ତରରେ ଲାଗୁ କରିବା ପାଇଁ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହୁଛନ୍ତି। ତେବେ ନିୟମ କମିଶନର ରିପୋର୍ଟ ଏହାର ଖସଡ଼ା ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୟୁସିସିର ସଫଳ କାର୍ଯ୍ୟକାରୀତା ସମାଜରେ ଏହାର ଗ୍ରହଣୀୟତା ଓ ଆଇନଗତ ସନ୍ତୁଳନ ଉପରେ ନିର୍ଭର କରିବ ବୋଲି ମତ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking