17.1 C
Bhubaneswar
Saturday, December 20, 2025
Homeଓଡିଶାପୂର୍ବତଟ ରେଳବାଇ ଜୋନ୍‌କୁ ବିକଳାଙ୍ଗ କରିବା ବନ୍ଦ ହେଉ

ପୂର୍ବତଟ ରେଳବାଇ ଜୋନ୍‌କୁ ବିକଳାଙ୍ଗ କରିବା ବନ୍ଦ ହେଉ

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବ୍ୟାପକ ରେଳପଥ ଓ ରାଜସ୍ୱ ଆୟକାରୀ ଅଞ୍ଚଳ ଓଡ଼ିଶା ବାହାରେ ଅବସ୍ଥାପିତ ରେଳବାଇ ଜୋନ୍‌ମାନଙ୍କ ଅଧିନରେ ଅଛି । ଉଦାହରଣ ସ୍ୱରୂପ- ଦକ୍ଷିଣପୂର୍ବ ବା ସାଉଥ୍ ଇଷ୍ଟର୍ଣ୍ଣ ରେଳଜୋନ୍ ଅନ୍ତର୍ଗତ ଚକ୍ରଧରପୁର ରେଳ ଡ଼ିଭିଜନ ମଧ୍ୟରେ ଓଡ଼ିଶାର ବଡ଼ବିଲ ସହର, ବଲାଣୀ ଖାଦାନ, ବନ୍ଧମୁଣ୍ଡା, ରାଉରକେଲା, ରାଜଗାଙ୍ଗପୁର ଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ରେଳପଥ ଓ ଛତିଶଗଡ଼ର ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ବିଳାସପୁର ଡ଼ିଭିଜନ ମଧ୍ୟରେ ଇବ୍‌, ବେଲପାହାଡ଼ ଓ ବ୍ରଜରାଜନଗର ଅଞ୍ଚଳ ରହିଛି । ସେହିପରି ଦକ୍ଷିଣ ପୂର୍ବ ରେଳପଥ ଅଧିନସ୍ଥ ଖଡ଼ଗପୁର ଡ଼ିଭିଜନ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ରେଳଲାଇନ୍ ଅଞ୍ଚଳ ରହିଛି । ଓଡ଼ିଶାର ଉତ୍ତରାଞ୍ଚଳରେ ଥିବା ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାରେ ଥିବା ରେଳ ରୁଟ୍‌କୁ ନେଇ ଏକ ରେଳ ଡ଼ିଭିଜନ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ।

ଯଦି କେନ୍ଦ୍ର ସରକାର ଓ ରେଳମନ୍ତ୍ରୀ ଆନ୍ଧ୍ରପ୍ରଦେଶ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟଭିତ୍ତିକ ରେଳବାଇ ଜୋନ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି କରିଛନ୍ତି ତେବେ ଓଡ଼ିଶାର ଯେଉଁ ସମସ୍ତ ଅଞ୍ଚଳ ଓ ରେଳରୁଟ୍ ଦକ୍ଷିଣ ପୂର୍ବ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ମଧ୍ୟରେ ଏପର୍ଯ୍ୟନ୍ତ ରହିଛି ଅର୍ଥାତ୍ ଯୋଡ଼ା ଖଣି ଅଞ୍ଚଳ, ବଡ଼ବିଲ ସହର, ବଲାଣୀ ଖାଦାନ ତଥା କେନ୍ଦୁଝର ଜିଲ୍ଲାର ସମସ୍ତ ରେଳ ଅଞ୍ଚଳ, ରାଉରକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର ଠାରୁ ଝାରସୁଗୁଡ଼ା, ଇବ୍‌, ବେଲପାହାଡ଼, ବ୍ରଜରାଜନଗର ଓ ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ପୂର୍ବତଟ ରେଳବାଇ ଜୋନ୍ ମଧ୍ୟକୁ ଆଣିବା ନିମନ୍ତେ ଆମେ ଓଡ଼ିଶାବାସୀଙ୍କ ତରଫରୁ ଦୃଢ ଭାବେ ଦାବି କରୁଛୁ । ଭୁବନେଶ୍ୱରରେ ନିର୍ମାଣ ହୋଇସାରିଥିବା ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନକୁ ତୁରନ୍ତ କାର୍ଯ୍ୟକାରୀ କରିବା ଅର୍ଥାତ୍ ନ୍ୟୁ ରେଳ ଷ୍ଟେସନଠାରୁ ରେଳ ଯାତାୟାତ କରିବା ପାଇଁ ସି.ପି.ଆଇ.(ଏମ୍‌) ଦାବି କରିଛି ।

ପୂର୍ବତଟ ରେଳବାଇ ଜୋନ୍‌କୁ ବିକଳାଙ୍ଗ କରିବା ବନ୍ଦ ହେଉ ଏବଂ ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ ସି.ପି.ଆଇ.(ଏମ୍‌) ଉପସ୍ଥାପିତ କରିଥିବା ସମସ୍ତ ଦାବି ଗୁଡ଼ିକୁ ଭାରତ ସରକାର ବିଶେଷ କରି ଭାରତ ରେଳ ମନ୍ତ୍ରଣାଳୟ ଗୁରୁତର ସହ ବିଚାର କରିବା ପାଇଁ ଦାବି କରାଯାଇଛି, ନତୁବା ରେଳବାଇ କ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥ ପାଇଁ ସି.ପି.ଆଇ.(ଏମ୍‌) ନିଜସ୍ୱ ଭାବେ ଏବଂ ମିଳିତ ଭାବେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଛି ।
ଆଜିକାର ଏହି ପ୍ରତିନିଧି ଦଳରେ ସି.ପି.ଆଇ.(ଏମ୍‌) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ କୁମାର ଦାସ ଏବଂ ପୁଷ୍ପା ଦାଶ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking