ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦିକା,ପ୍ରଦେଶ ମହିଳା କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦିକା ତଥା ବିଶିଷ୍ଟ ମହିଳା ନେତ୍ରୀ ପ୍ରଭା ପଟେଲଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତାରେ ଶ୍ରୀ ଦାସ କହିଛନ୍ତି ଯେ ସ୍ୱର୍ଗତା ପଟେଲ କେବଳ ଯେ ଜଣେ ରାଜନେତ୍ରୀ ଥିଲେ, ତାହା ନୁହେଁ ସେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ, କ୍ରୀଡ଼ାନୁଷ୍ଠାନ ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ମହିଳାମାନଙ୍କର କିପରି ଉନ୍ନତି ହୋଇପାରିବ ଓ ସେମାନେ ସ୍ୱାବଲମ୍ବି ହୋଇପାରିବେ ସେ ଦିଗରେ ସ୍ୱର୍ଗତା ପଟେଲ ଅହରହ ଉଦ୍ୟମ ଜାରିରଖିଥିଲେ। ଦଳ ପକ୍ଷରୁ ତାଙ୍କ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସେ ନିଷ୍ଠାର ସହ ନିର୍ବାହ କରିଛନ୍ତି। ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ସ୍ନେହୀ ଓ ଦରଦୀ ମଣିଷ ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା। ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସଂଗେ ସଂଗେ ଶ୍ରୀ ଦାସ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।










