30.1 C
Bhubaneswar
Sunday, February 8, 2026
Homeଓଡିଶା୩୮ତମ ନ୍ୟାସନାଲ ଗେମ୍ସର ଓଡ଼ିଶାର ପଦକ ବିଜେତାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

୩୮ତମ ନ୍ୟାସନାଲ ଗେମ୍ସର ଓଡ଼ିଶାର ପଦକ ବିଜେତାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

ସ୍ବର୍ଣ୍ଣ ପଦକ ପାଇଁ ୬ ଲକ୍ଷ, ରୌପ୍ୟ ପାଇଁ ୪ ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ

ନ୍ୟାସନାଲ ଗେମ୍ସରେ ଓଡ଼ିଶାର ବିଜୟ ଯୁବକ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାଦାୟୀ : ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଠାରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ୬ ଲକ୍ଷ, ରୌପ୍ୟ ପାଇଁ ୪ ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଆଜିର ସମ୍ବର୍ଦ୍ଧନା ସମାରୋହରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣ ରେ ସେ କହିଥିଲେ ଯେ, ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାର କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏଥିସହ ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରି ଶ୍ରେଷ୍ଠ ୧୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ। କ୍ରୀଡ଼ାର ମୌଳିକତା ହେଉଛି ବିଜୟର ଉତ୍ସାହ ରହିବା, ପରାଜୟ ଦ୍ୱାରା ନିରାଶ ନ ହୋଇ ପୁନର୍ବାର ଜିତିବା ପାଇଁ ଅନୁପ୍ରାଣିତ ହେବା। ନ୍ୟାସନାଲ ଗେମ୍ସରେ ଏହି ବିଜୟ ଆଜି ଓଡ଼ିଶାର ବହୁ ଯୁବକ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାଦାୟୀ। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଆମ ଓଡ଼ିଶାର କ୍ରୀଡ଼ାବିତମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ।

କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣର ଯୋଜନା ଠାରୁ ଆରମ୍ଭ କରି କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ସିଏମ-ଟ୍ରଫି ଚାମ୍ପିୟନସିପ୍ ଆଦିର ଆୟୋଜନ ଆମ ସରକାରଙ୍କ ଦ୍ୱାରା କରାଯାଇଛି। ଆଗକୁ ମଧ୍ୟ ସରକାରଙ୍କ ତରଫରୁ କ୍ରୀଡ଼ାର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ।

ଆଜି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନ୍ୟାସନାଲ ଗେମ୍ସର ପଦକ ବିଜେତାମାନେ ନିଜର ଖୁସିବ୍ୟକ୍ତ କରିବା ସହ ଏହି ସମ୍ବର୍ଦ୍ଧନା ଆଗାମୀ ଦିନ ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଛି ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ବରିଷ୍ଠ ଅଧିକାରୀଗଣ ଏବଂ ବିଭିନ୍ନ କ୍ରୀଡ଼ା ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ, ବିଗତ ୨୮ ଜାନୁଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ୩୮ତମ ନ୍ୟାସନାଲ ଗେମ୍ସର ଆୟୋଜନ କରାଯାଇଥିଲା। ନ୍ୟାସନାଲ ଗେମ୍ସର ଆଗାମୀ ସଂସ୍କୃରଣ, ୩୯ତମ ନ୍ୟାସନାଲ ଗେମ୍ସ ୨୦୨୭ ମସିହାରେ ମେଘାଳୟରେ ଆୟୋଜନ କରାଯିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking