24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକେଜ୍ରିୱାଲଙ୍କ ପତନର ୧୧ କାରଣ

କେଜ୍ରିୱାଲଙ୍କ ପତନର ୧୧ କାରଣ

ନୂଆଦିଲ୍ଲୀ: ଦୁଇ ୨ ଥର କ୍ଷମତାସୀନ ହୋଇଥିବା ଦଳର ଏବଂ ୩ଥର ମୁଖ୍ୟମନ୍ତ୍ରୀ ହୋଇଥିବା କେଜ୍ରିୱାଲ୍‌ଙ୍କର ଏପ୍ରକାର ଶୋଚନୀୟ ପରାଜୟ ପାଇଁ ମୁଖ୍ୟତଃ ୧୧ଟି କାରଣକୁ ଦେଖାଯାଉଛି। ପ୍ରଥମତଃ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି-ସିବିଆଇ ଆପ୍‌ର ଅନ୍ୟ କିଛି ନେତାଙ୍କ ସହ କେଜ୍ରିୱାଲ୍‌ଙ୍କୁ ମଧ୍ୟ ଜେଲ୍ ପଠାଇଥିଲା। ୧୭୭ ଦିନ ଧରି ସେ ଜେଲ୍‌ରେ ରହିଥିଲେ। ଏହି ସମୟରେ ବିଜେପି ଏହାକୁ ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଥିଲା ଏବଂ ନିଜକୁ କଟ୍ଟର ଇମାନଦାର (ସଚ୍ଚୋଟ) ବୋଲି କହିହେଉଥିବା କେଜ୍ରିୱାଲ୍‌ଙ୍କୁ ବିଜେପି କଟ୍ଟର ବେଇମାନ୍ ଏବଂ ଆପ୍‌କୁ ଦେଶର ସବୁଠୁ ଭ୍ରଷ୍ଟ ତଥା ଦୁର୍ନୀତିଗ୍ରସ୍ତ ଦଳ ଭାବେ ଦିଲ୍ଲୀବାସୀଙ୍କ ଆଗରେ ଚିତ୍ରଣ କରିଥିଲା। ଏହା କେଜ୍ରିୱାଲ୍ ଏବଂ ଆପ୍‌ର ରାଜନୈତିକ ଛବିକୁ ବେଶ୍ ଖରାପ କରିଦେଇଥିଲା। ସେହିପରି କେଜ୍ରିୱାଲ ପ୍ରାୟ ୪୫ କୋଟି ଟଙ୍କା (ସରକାରୀ ଅର୍ଥ) ଖର୍ଚ୍ଚ ପୂର୍ବକ ନିଜେ ରହୁଥିବା ସରକାରୀ ବାସଭବନକୁ ପୁନିର୍ମାଣ କରାଇଥିଲେ। ଏହାକୁ ମଧ୍ୟ ବିଜେପି ବଡ଼ ମୁଦ୍ଦା କରିଥିଲା। ଏତଦ୍‌ବ୍ୟତୀତ କେଜ୍ରିୱାଲ୍‌ଙ୍କ ସମ୍ପତ୍ତି ୪୦ଗୁଣ ବୃଦ୍ଧି ପାଇଥିବା ନେଇ ମଧ୍ୟ ବିଜେପି ନାରା ଦେଇଥିଲା। ସବୁଠୁ ବଡ଼ କାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ କେଜ୍ରିୱାଲ୍‌ଙ୍କ ବିପକ୍ଷରେ ରାଜନୈତିକ ଚେହେରା ସାଜିଥିଲେ। ମୋଦୀ ବିଜେପି ପାଇଁ ଦିଲ୍ଲୀରେ କରିଥିବା ମୋଟ୍ ୫ଟି ରାଲିରେ କେଜ୍ରିୱାଲ୍ ଏବଂ ଆପ୍‌କୁ ହିଁ ଟାର୍ଗେଟ୍ କରିଥିଲେ। ମୋଦୀ ଦିଲ୍ଲୀବାସୀଙ୍କୁ ତାଙ୍କ ଉପରେ ବିଶ୍ୱାସ କରିବାକୁ କହିଥିଲେ ଏବଂ ମୋଦୀ ଗ୍ୟାରେଣ୍ଟି ନାମରେ ପ୍ରତିଶ୍ରୁତି ଦେଇଥିଲେ। ସିଧାସଳଖ କହିଲେ ମୋଦୀ ଏକାକୀ ହିଁ ଦିଲ୍ଲୀରେ ବିଜେପିକୁ ୭୬% ଷ୍ଟ୍ରାଇକ୍ ରେଟ୍ ସହ ପ୍ରାୟ ୩୮ ଆସନରେ ଏଥର ବିଜୟୀ କରାଇଛନ୍ତି। ମୋଦୀ ଯେଉଁ ୫୦ ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ମଙ୍ଗ ଧରିଥିଲେ ସେଥିମଧ୍ୟରୁ ବିଜେପି ୩୮ ଆସନରେ ବିଜୟୀ ହୋଇଛି।

ଏସବୁ ବ୍ୟତୀତ ଦିଲ୍ଳୀ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିଥିବା ବଜେଟ୍‌ରେ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଗରିବଙ୍କ ଉପରେ କେନ୍ଦ୍ର ସରକାରଙ୍କ ଅଧିକ ଫୋକସ୍‌, ସରକାରୀ ଚାକିରିଆଙ୍କ ପାଇଁ ଟିକସ୍ ସ୍ଲାବ୍‌ରେ ଆଶ୍ୱସ୍ତି (୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ), ନିର୍ବାଚନର ୧୯ ଦିନ ପୂର୍ବରୁ ୮ମ ବେତନ କମିଶନ ସମ୍ପର୍କରେ ଘୋଷଣା, ପୂର୍ବ ସରକାରଙ୍କ କୌଣସି ଯୋଜନାକୁ ବନ୍ଦ କରାନିଯବାର ପ୍ରତିଶ୍ରୁତି ସାଙ୍ଗକୁ ଆପ୍ ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ତୁଳନାରେ ଅଧିକ ଭରସାଯୋଗ୍ୟ ପ୍ରତିଶ୍ରୁତି ଆଦି ଅନେକ କାରଣ ଯୋଗୁ ବିଜେପି ଏଥର ଦିଲ୍ଲୀବାସୀଙ୍କ ଫେଭରିଟ୍ ହୋଇପାରିଥିଲା। ଅନ୍ୟପକ୍ଷେ କେଜ୍ରିୱାଲ୍ ଏବଂ ତାଙ୍କ ଦଳ କେବଳ ବିଜେପି ବିରୋଧରେ ଭାଷଣବାଜି କରିବା, ଯମୁନା ନଦୀରେ ବିଷ ମିଶାଯାଇଥିବା ଭଳି ଅନେକ ମିଥ୍ୟା ତଥା ଉଦ୍‌ଭ୍ରାନ୍ତଜନକ ଅଭ୍‌ିଯୋଗ ଆଣିବା, କଂଗ୍ରେସକୁ ସମାଲୋଚନା ଭଳି କାର୍ଯ୍ୟରେ ବ୍ୟସ୍ତ ରହିଲା।

ବିଜେପି କିନ୍ତୁ ସମ୍ପୂର୍ଣ୍ଣ ରଣନୀତି ଆଧାରରେ ହିଁ ଦିଲ୍ଲୀ ନିର୍ବାଚନକୁ ପରିଚାଳନା କରିଥିଲା। ବିପକ୍ଷ ଦଳଙ୍କୁ ସମାଲୋଚନା ତଥା ସେମାନଙ୍କ ଦୁର୍ଗୁଣର ବ୍ୟାଖ୍ୟା କରିବା ତୁଳନାରେ ବିଜେପି ଶାସିତ ରାଜ୍ୟରେ ହେଉଥିବା ବିକାଶୋନ୍ମୁଖୀ କାର୍ଯ୍ୟକ୍ରମର ତାଲିକା ଦିଲ୍ଲୀବାସୀଙ୍କ ଆଗରେ ରଖିଥିଲା ବିଜେପି। ବିଜେପି ଦିଲ୍ଲୀର ୭୦ ଆସନ ମଧ୍ୟରୁ ୧୪% ଟିକଟ କେବଳ ଜାଠ୍ ବର୍ଗର ନେତାଙ୍କୁ ହିଁ ଦେଇଥିଲା। ଏସବୁ ଆସନଗୁଡ଼ିକ ଜାଠ୍ ସମ୍ପ୍ରଦାୟ ବହୁଳ ହୋଇଥିବା ବେଳେ ବିଜେପି ଏଠାରୁ ବେଶ୍ ଲାଭ ପାଇଛି। ଆପ୍ ଛାଡି କୈଳାସ ଗେହଲଟ୍‌ଙ୍କ ଭଳି ଅନେକ ଜାଠ୍ ନେତା ବିଜେପିରେ ସାମିଲ ହେବା ଏବଂ ବିଜେପି ପରବେଶ ବର୍ମାଙ୍କୁ ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରଣ କରିବା ଦଳକୁ ବେଶ୍ ଲାଭଦାୟକ ହୋଇଛି। ଦିଲ୍ଲୀର ମୋଟ୍ ୭୦ ଆସନ ମଧ୍ୟରୁ ୧୦ ଆସନରେ ଜାଠ୍ ସମ୍ପ୍ରଦାୟଙ୍କ ଦବ୍‌ଦବା ରହିଛି। ପୂର୍ବରୁ ଆପ୍ ଏସମସ୍ତ ୧୦ ଆସନକୁ ଜିତିଆସୁଥିବା ବେଳେ ଏଥର କିନ୍ତୁ ବିଜେପି ଏସବୁ ଆସନକୁ ନିଜ ଅକ୍ତିଆରକୁ ନେଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking