39.1 C
Bhubaneswar
Sunday, June 21, 2026
Homeଓଡିଶାଦିବ୍ୟାଙ୍ଗ ବିବାହ ପ୍ରୋତ୍ସାହନ ଯୋଜନାର ନିୟମ ଆହୁରି କଡ଼ା

ଦିବ୍ୟାଙ୍ଗ ବିବାହ ପ୍ରୋତ୍ସାହନ ଯୋଜନାର ନିୟମ ଆହୁରି କଡ଼ା

ଭୁବନେଶ୍ବର: ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ଚାଲିଥିବା ବିବାହ ପ୍ରୋତ୍ସାହନ ଯୋଜନାର ନିୟମକୁ ଆହୁରି କଡ଼ା କରିଛନ୍ତି ରାଜ୍ୟ ସରକାର । ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀରେ ପ୍ରୋତ୍ସାହନ ରାଶି ଉଠାଣ ସମ୍ପର୍କିତ ଲକ୍-ଇନ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏପର୍ଯ୍ୟନ୍ତ ପ୍ରଚଳିତ ନିୟମ ଅନୁସାରେ ହିତାଧିକାରୀ ଦମ୍ପତି ବିବାହ ପ୍ରୋତ୍ସାହନ ରାଶିର ୧୦ ପ୍ରତିଶତ ଅଂଶ ୬ ମାସ ପରେ ଉଠାଣ କରିପାରୁଥିଲେ । ଦ୍ୱିତୀୟ ବର୍ଷରେ ଆଉ ୧୦ ପ୍ରତିଶତ ଏବଂ ତୃତୀୟ ବର୍ଷରେ ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ମିଳୁଥିଲା । କିନ୍ତୁ ନୂଆ ନିର୍ଦ୍ଦେଶାବଳୀରେ ପ୍ରଥମ କିସ୍ତି ପାଇବାର ସମୟସୀମାକୁ ୬ ମାସରୁ ବଢ଼ାଇ ଏକ ବର୍ଷ କରାଯାଇଛି । ଏବେ ହିତାଧିକାରୀମାନେ ବିବାହର ଏକ ବର୍ଷ ପୂରଣ ପରେ ମାତ୍ର ୧୦ ପ୍ରତିଶତ ଅର୍ଥ ଉଠାଣ କରିପାରିବେ । ଦ୍ୱିତୀୟ ବର୍ଷ ଶେଷରେ ଆଉ ୧୦ ପ୍ରତିଶତ ଏବଂ ତୃତୀୟ ବର୍ଷ ଶେଷରେ ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ପାଇବେ । ଅର୍ଥାତ୍ ଯୋଜନାରେ ୩ ବର୍ଷର ଲକ୍-ଇନ୍ ବ୍ୟବସ୍ଥା ପୂର୍ବଭଳି ଜାରି ରହିଥିଲେ ମଧ୍ୟ ପ୍ରଥମ କିସ୍ତି ଉଠାଣକୁ ନେଇ ସରକାର ଅଧିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ନୂଆ ନିୟମ ଅନୁଯାୟୀ, ପ୍ରୋତ୍ସାହନ ରାଶି ପାଇବା ପରେ ପାଞ୍ଚ ବର୍ଷ ମଧ୍ୟରେ ଯଦି ବିବାହ ବିଚ୍ଛେଦ ହୁଏ, ତେବେ ଅବଶିଷ୍ଟ ଲକ୍-ଇନ୍ ଅର୍ଥ ବାତିଲ ହୋଇଯିବ । ବ୍ୟାଙ୍କ ଅବଶିଷ୍ଟ ରାଶିକୁ ସରକାରୀ ରାଜକୋଷକୁ ଫେରସ୍ତ କରିବ। ପୂର୍ବରୁ ଉଠାଣ ହୋଇଥିବା ରାଶି ମଧ୍ୟ ସୁଧ ସହ ଆଦାୟ କରାଯିବ। । ଯୋଜନାରେ ଠକେଇ କିମ୍ବା ଜାଲିଆତି ରୋକିବା ପାଇଁ କଡ଼ା ବ୍ୟବସ୍ଥା ରଖାଯାଇଛି । ମିଥ୍ୟା ତଥ୍ୟ ଦେଇ ସୁବିଧା ହାସଲ କରିଥିବା କିମ୍ବା ପୁଣିଥରେ ସୁବିଧା ନେବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦିବ୍ୟାଙ୍ଗ ଅଧିକାର ଆଇନ–୨୦୧୬ ଅନୁଯାୟୀ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା, ଅଥବା ଉଭୟ ଦଣ୍ଡ ବିଧାନ କରାଯାଇପାରିବ । ଏଥିସହିତ ପ୍ରଦାନ କରାଯାଇଥିବା ଅର୍ଥ ୧୨ ପ୍ରତିଶତ ସୁଧ ସହ ଆଦାୟ କରାଯିବ । ବିଭାଗର ମତରେ, ଯୋଜନାର ଅପବ୍ୟବହାର ରୋକିବା, ପ୍ରକୃତ ଦମ୍ପତିଙ୍କୁ ସୁବିଧା ପହଞ୍ଚାଇବା ଏବଂ କେବଳ ଆର୍ଥିକ ଲାଭ ପାଇଁ ବିବାହ କରିବା ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଇଛି । ଉଲ୍ଲେଖଯୋଗ୍ୟ, ବେଞ୍ଚମାର୍କ ଦିବ୍ୟାଙ୍ଗ ବ୍ୟକ୍ତି ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଯୌତୁକମୁକ୍ତ ବିବାହ କ୍ଷେତ୍ରରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking