କଟକ: ୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ରୁଜୁ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଜବାବ ଦାଖଲ ପାଇଁ ତାରିଖ ଗଡ଼ାଇ ଚାଲିବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ ଅଧିକ ସମୟ ଚାହିଁବାରୁ ହାଇକୋର୍ଟ ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ୨ ହଜାର ଟଙ୍କା ଜରିମାନା କରି ତାଙ୍କ ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ଉକ୍ତ ଜରିମାନା ଅର୍ଥ ହାଇକୋର୍ଟ ବାର୍ ଆସୋସିଏସନ କଲ୍ୟାଣପାଣ୍ଠିରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଦେଓ ବଲାଙ୍ଗୀର ଜିଲା ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାଜପା ଟିକେଟରେ ନିର୍ବାଚନ ଜିତିଥିଲେ। ହେଲେ ସେ ନିର୍ବାଚନରେ ଅନିୟମିତତା କରିଥିବା ନେଇ ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ତାଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ।
ସିଂହଦେଓ ପ୍ରାର୍ଥିପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାକୁ ଚପାଇଛନ୍ତି ଓ ସମ୍ପତିର ତାଲିକା ମିଛ ଦେଇଛନ୍ତି। ଉକ୍ତ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ଆଦେଶ ମତେ ଗତ ସେପ୍ଟେମ୍ବର ମାସରେ ଓକିଲଙ୍କ ଜରିଆରେ ଶ୍ରୀ ସିଂହଦେଓ ହାଇକୋର୍ଟରେ ହାଜର ହୋଇଥିଲେ। ହେଲେ ଜବାବ ଦାଖଲ ପାଇଁ କ୍ରମାଗତ ସମୟ ନେଇ ଚାଲିଥିଲେ। ଗତ ଶୁଣାଣିରେ ବି ସେ ସମୟ ମାଗିଥିଲେ। ମାତ୍ର ହାଇକୋର୍ଟ ଏହାକୁ ଖାରଜ କରିଦେବା ସହ ଆଗାମୀ ଫେବୃୟାରୀ ୩ ତାରିଖକୁ ଶୁଣାଣି ନିମନ୍ତେ ଧାର୍ଯ୍ୟ କରିଥିଲେ। ଫଳରେ ପୁଣି ଥରେ ସିଂହଦେଓ ତାଙ୍କ ଜବାବକୁ ଗ୍ରହଣ କରିବା ପାଇଁ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ଉକ୍ତ ପ୍ରାର୍ଥନାକୁ ହାଇକୋର୍ଟ ଗ୍ରହଣ କରିବା ସହ ଉପରୋକ୍ତ ଜରିମାନା ଆଦାୟ ପାଇଁ ଆଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ବେହେରା ମାମଲା ପରିଚାଳନା କରୁଛନ୍ତି।










