26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଇରାକରେ ୯ ବର୍ଷର ନାବାଳିକା କରିବେ ବିବାହ

ଇରାକରେ ୯ ବର୍ଷର ନାବାଳିକା କରିବେ ବିବାହ

ବାଗ୍‌ଦାଦ୍‌: ଝିଅମାନଙ୍କର ବିବାହ ବୟସକୁ ୯ ବର୍ଷକୁ ହ୍ରାସ କରିବା ଭଳି ଏକ ବିବାଦୀୟ ଏକ ବିବାଦୀୟ ସଂଶୋଧିତ ବିଲ୍‌କୁ ଅନୁମୋଦନ କରିଛି ଇରାକ୍ ସଂସଦ। ଅର୍ଥାତ୍ ଏହି ବିଲ୍ ଏବେ ଇରାକ୍‌ରେ ଆଇନ୍‌ରେ ପରିଣତ ହେବା ପରେ ଏଠାରେ ୯ ବର୍ଷର ନାବାଳିକାଙ୍କୁ ମଧ୍ୟ ବିବାହ ଯୋଗ୍ୟା ଘୋଷଣା ପୂର୍ବକ ବିବାହ କରିଦିଆଯିବ। ତେବେ ଇରାକ୍ ସଂସଦର ଏପ୍ରକାର ନିଷ୍ପତ୍ତିକୁ ବିଶ୍ୱ ମାନବାଧିକାର ସଂଗଠନ, ଅନ୍ତର୍ଜାତୀୟ ମହିଳା ସଂଗଠନଗୁଡ଼ିକ ତୀବ୍ର ନିନ୍ଦା ତଥା ଭର୍ତ୍ସନା କରିଛନ୍ତି। ସେହିପରି ବିଶ୍ୱର ପ୍ରାୟ ସବୁ କୋଣଅନୁକୋଣରୁ ଏପ୍ରକାର ଆଇନ୍‌କୁ ଇରାକ୍ ମହିଳାଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ବୋଲି ଅଭିହିତ କରିଛନ୍ତି। ଏହି ନିୟମ ଲାଗୁ ହେଲେ ଦେଶରେ ଶିଆ ଏବଂ ସୁନ୍ନିଙ୍କ ପାଇଁ ବିବାହ ପାଇଁ ଭିନ୍ନ ଭିନ୍ନ ବୟସ ହେବ। ଦି ଗାର୍ଡିୟନ ରିପୋର୍ଟ ଅନୁଯାୟୀ, ଇରାକର ଝିଅମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ଅଧିକାଂଶ ଶିଆ ମୁସଲମାନମାନଙ୍କ ପାଇଁ ୯ ବର୍ଷ ହୋଇଥିବାବେଳେ ସୁନ୍ନି ମୁସଲମାନମାନଙ୍କ ପାଇଁ ଏହା ୧୫ ବର୍ଷ ହେବ। ଏହା ଶିଶୁ ବଳାତ୍କାରକୁ ଆଇନଗତ କରିବ ବୋଲି କେତେକ କହିଛନ୍ତି। ଇରାକ ସରକାରଙ୍କ ଏହି ସଂଶୋଧିତ ବିଲ୍ ଇସଲାମ ଦେଶରେ ବାଲ୍ୟବିବାହକୁ ଆଇନଗତ କରିଛି।

ଦଶନ୍ଧି ପୁରୁଣା ଆଇନରେ ସଂଶୋଧନ କରିବା ଆଳରେ ଇରାକ୍‌ରେ ଏବେ ୯ ବର୍ଷରୁ କମ୍ ବାଳିକାମାନେ ବର୍ତ୍ତମାନ ବିବାହ କରିପାରିବେ ବୋଲି ବିଲ୍‌ରେ ଉଲ୍ଲେଖ କରାଯାଇଛି। ପ୍ରକାଶ, ଇରାକରେ ମହିଳାମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ପୂର୍ବରୁ ୧୮ ବର୍ଷ ଥିଲା। କିନ୍ତୁ ନୂତନ ସଂଶୋଧନ ଆଳରେ ଅଣାଯାଇଥିବା ନୂଆ ବିଲ୍ ଧର୍ମଗୁରୁମାନଙ୍କୁ ବିବାହ, ଛାଡପତ୍ର ଏବଂ ଶିଶୁ ଯତ୍ନ ସମେତ ପାରିବାରିକ ବିଷୟ ଉପରେ ନିଷ୍ପତ୍ତି ନେବାର ଅଧିକାର ଦେଇଛି। ତେବେ ଇରାକ୍ ସଂସଦର କେତେକ ସଦସ୍ୟ ଏହି ବିଲ୍‌କୁ ସମର୍ଥନ କରିନାହାନ୍ତି। ସେମାନଙ୍କ ମଧ୍ୟରେ ସ୍ୱାଧୀନ ସାଂସଦ ସାଜଜାଦ ସଲିମଙ୍କ ଭଳି ସାଂସଦ ଏହା ଉପରେ ମତ ବ୍ୟକ୍ତ କରି କହିଛନ୍ତି, ଇରାକ ରାଜ୍ୟ ଏପରି ଅବନତି ଏବଂ ଅପବିତ୍ରତା କେବେ ଦେଖି ନାହିଁ ଯାହା ଆଜି ଇରାକର ଗୌରବ ଓ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। ସୂଚନାଯୋଗ୍ୟ ୨୦୨୩ ମସିହାରେ ମିଳିତ ଜାତିସଂଘର ଏକ ସର୍ଭେରୁ ଜଣାପଡିଛି ଯେ, ଇରାକ୍‌ର ୨୮% ଝିଅ ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିଥାନ୍ତି। ଝିଅମାନଙ୍କୁ ଦାରିଦ୍ର‌୍ୟରୁ ରକ୍ଷା ପାଇବା ପାଇଁ ଏକ ସୁଯୋଗ ଭାବରେ ଏଭଳି ବିବାହ ପ୍ରସ୍ତାବ ପାରିତ କରାଯାଇଥିବା ଇରାକ୍ ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking