28.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଆମ୍ବେଦକରଙ୍କ ଉପରେ ଶାହଙ୍କ ଟିପ୍ପଣୀଜନିତ ବିବାଦ; ରଣକ୍ଷେତ୍ର ପାଲଟିଲା ପୌରପାଳିକା ବୈଠକ

ଆମ୍ବେଦକରଙ୍କ ଉପରେ ଶାହଙ୍କ ଟିପ୍ପଣୀଜନିତ ବିବାଦ; ରଣକ୍ଷେତ୍ର ପାଲଟିଲା ପୌରପାଳିକା ବୈଠକ

ଚଣ୍ଡିଗଡ଼: ସଂସଦରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଭାରତୀୟ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବିବୃତିକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନା ଧରୁନି। ମଙ୍ଗଳବାର ଏହାର ଏକ ବଳିଷ୍ଠ ପ୍ରମାଣ ମିଳିଛି। ରିପୋର୍ଟ ଅନୁସାରେ ମଙ୍ଗଳବାର ଚଣ୍ଡିଗଡ଼ ପୌରନିଗମ କାର୍ଯ୍ୟାଳୟରେ ପୌରପାଳିକା ବୈଠକ ଚାଲିଥିବା ବେଳେ ହଠାତ୍ ଏହା ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଉପସ୍ଥିତ କାଉନସିଲରଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ପ୍ରଥମେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଯାହାକି ପରବର୍ତ୍ତୀ ସମୟରେ ହାତାହାତି ପରିସ୍ଥିତିର ରୂପ ନେଇଥିଲା। ପ୍ରାୟ ୨୦ ମିନିଟ ଧରି ସଭାଗୃହରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ବିଜେପି ଓ କଂଗ୍ରେସ କାଉନସିଲରମାନେ ପରସ୍ପରକୁ ଆକ୍ରମଣ କରିଥିଲେ ଏବଂ ପରସ୍ପରକୁ ବିଧାଗୋଇଠା ଧକ୍କା, ମୁଥ ମରାମରି ହୋଇଥିଲେ। କେହି କାହା କଥା ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ।

ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା। ଶାହଙ୍କ ଇସ୍ତଫା ଦାବି କରି କଂଗ୍ରେସ ଓ ଆପ୍‌ର କାଉନସିଲରମାନେ ଗୋଟିଏ ପ୍ରସ୍ତାବ ପାରିତ କରିଥିଲେ। ତେବେ ଏହାକୁ ବିଜେପି କାଉନସିଲରମାନେ ବିରୋଧ କରିଥିଲେ। ଜବାହରଲାଲ ନେହରୁଙ୍କ ସମୟରେ କଂଗ୍ରେସ କେମିତି ଆମ୍ବେଦକରଙ୍କୁ ହଇରାଣ କରିଥିଲା, ସେକଥା ବିଜେପି ପକ୍ଷରୁ କୁହାଯାଇଥିଲା। କେବଳ ସେତିକି ନୁହେଁ, ବିଜେପି ପକ୍ଷରୁ ମନୋନୀତ କାଉନସିଲର ଅନୀଲ ମସିଙ୍କୁ କଂଗ୍ରେସ ଓ ଆପ୍ ପକ୍ଷରୁ ଭୋଟ୍‌ଚୋର କୁହାଯାଇ ଆକ୍ଷେପ କରାଯାଇଥିଲା। ମେୟର ନିର୍ବାଚନ ବେଳେ ଅନୀଲ ପ୍ରିଜାଇଡିଂ ଅଫିସର ଥିଲେ। ସେ ପ୍ରାୟ ୮ଟି ଭୋଟକୁ ଟାମ୍ପରିଂ କରିଥିବା ମାମଲାରେ ଫସିଥିଲେ।

ଏଥିପାଇଁ ଆଜି ଆପ ଓ କଂଗ୍ରେସ କାଉନସିଲରମାନେ ତାଙ୍କୁ ଟାର୍ଗେଟ୍ କରିଥିଲେ। ଏହାକୁ ନେଇ ଉତ୍ତେଜନା ଆହୁରି ବଢ଼ିଥିଲା। ତେବେ ଏଭଳି ଆରୋପ ପ୍ରତ୍ୟାରୋପ ଯୋଗୁ ବୈଠକରେ ଉତ୍ତେଜନା ଭରିଯାଇଥିଲା। ଏହାପରେ ଦୁଇ ଦଳର କାଉନସିଲର ହାତାହାତି ହୋଇଥିଲେ। ସଂସଦରେ ନିଜ ବିବୃତି ରଖିବା ଅବସରରେ ଶାହ କହିଥିଲେ ଯେ, “ବିରୋଧୀ ଦଳ ଏବେ କେବଳ ଆମ୍ବେଦକର, ଆମ୍ବେଦକର (୭ ଥର) ହେଉଛନ୍ତି। ଏହା ଏବେ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଯେତେଥର ସେମାନେ ଆମ୍ବେଦକରଙ୍କ ନାମ ଘୋଷିହେଉଛନ୍ତି ଯଦି ସେତିକି ଥର ସେମାନେ ଭଗବାନ୍‌ଙ୍କ ନାମ ଉଚ୍ଚାରଣ କରନ୍ତେ ତେବେ ସେମାନଙ୍କୁ ନିଶ୍ଚିତ ରୂପେ ୭ଜନ୍ମ ପାଇଁ ସ୍ୱର୍ଗପ୍ରାପ୍ତି ହୋଇଯାଆନ୍ତା।” ଶାହଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ ବିରୋଧୀ ଦଳ ଏକଜୁଟ୍ ହେବା ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରୁ ଶାହଙ୍କ ଇସ୍ତଫା ଦାବିରେ ଅଡିବସିଥିଲେ। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ବି ବଳବତ୍ତର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking