27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶମାୟୋତରେ ଭୟଙ୍କର ଝଡ଼ : ମୃତ୍ୟୁ ସଂଖ୍ୟା ୧୦୦୦ କୁ ବୃଦ୍ଧି

ମାୟୋତରେ ଭୟଙ୍କର ଝଡ଼ : ମୃତ୍ୟୁ ସଂଖ୍ୟା ୧୦୦୦ କୁ ବୃଦ୍ଧି

ନୂଆଦିଲ୍ଲୀ : ବାତ୍ୟା ଚିଡୋର ଭୟାବହ ରୂପ। ଭାରତ ମହାସାଗରରେ ଥିବା ଫ୍ରାନ୍ସର ମାୟୋତ ଦ୍ୱୀପରେ ତାଣ୍ଡବ ରଚିଛି ଚିଡୋ । ଛାରଖାର ମାୟୋତ ଦ୍ବୀପ। ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଭାବେ ମାୟୋତ ଦ୍ୱୀପରେ ପ୍ରଳୟ ରଚିଛି । ୧୦୦ ବର୍ଷ ପରେ ଫ୍ରାନ୍ସ ଦେଖିଛି ଭୟଙ୍କର ବାତ୍ୟାର ପ୍ରକୋପ। ଏଥିରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ କ୍ଷୟକ୍ଷତିର ଆକଳନ ଏଯାଏଁ ଆରମ୍ଭ ହୋଇନାହିଁ। ପ୍ରଳୟଙ୍କରୀ ବାତ୍ୟା ସମ୍ପୂର୍ଣ୍ଣ ମାୟୋତ ଦ୍ୱୀପକୁ ନିଶ୍ଚିହ୍ନ କରିଦେଇଛି। ଭାରତ ମହାସାଗରର ଦକ୍ଷିଣରେ ସୃଷ୍ଟି ବାତ୍ୟା ଚିଡୋ ଶନିବାର ରାତିରେ ଲ୍ୟାଣ୍ଡଫଲ କରିଥିଲା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୨ ଶହ କିଲୋମିଟର ଥିଲା। ଏହାସହିତ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଫ୍ରାନ୍ସର ଗରିବ ପ୍ରଦେଶ ଭାବେ ପରିଚିତ ମାୟୋତ ଏହି ଘୂର୍ଣ୍ଣିଝଡ ପ୍ରଭାବରେ ମାଟିରେ ମିଶି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିଡୋ ପ୍ରଭାବରେ ସହରର ବସ୍ତି ଅଞ୍ଚଳ ମାଟିରେ ମିଶି ଯାଇଥିବା ବେଳେ ସରକାରୀ ଅଫିସ, କୋଠାଘର, ଡାକ୍ତରଖାନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମାୟୋତ ଦ୍ୱୀପକୁ ସମସ୍ତ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବାରୁ ସେଠାକାର ସ୍ଥିତି ଆକଳନ କରିବା ମଧ୍ୟ କଷ୍ଟକର ହୋଇପଡିଛି। ଫଳରେ ପରିସ୍ଥିତି ଆହୁରି ଭୟାବହ ହୋଇଥିବା ଆଶଙ୍କା କରାଯାଉଛି। ଘୂର୍ଣ୍ଣିଝଡ ଏତେ ଭୟଙ୍କର ଥିଲା ଯେ, ମାୟୋତ ଦ୍ୱୀପରେ ରହୁଥିବା ପ୍ରାୟ ୩ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି। ବାତ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିବାକୁ ଫ୍ରାନ୍ସ ସେନା ଆରମ୍ଭ କରିଛି ଅପରେସନ। ରାସ୍ତାଘାଟ, ପୋଲ ଭଳି ଯାତାୟତର ସମସ୍ତ ମାଧ୍ୟମ କ୍ଷତିଗ୍ରସ୍ତ ହୋଇଛି। ବିପନ୍ନଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କୁ ଉଦ୍ଧାର କରିବା ଏବେ ଫ୍ରାନ୍ସ ସେନା ପାଇଁ ଚ୍ୟାଲେଞ୍ଜ ପାଲଟିଛି। ମାୟୋତ ଦ୍ୱୀପର ବିଦ୍ୟୁତ, ଜଳ ଓ ଇଣ୍ଟରନେଟ ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ନିକଟସ୍ଥ ଲା ରିୟୁନିୟନ ଦ୍ୱୀପରୁ ଏହି ଉଦ୍ଧାର କାର‌୍ୟ୍ୟ ତଦାରଖ କରାଯାଉଛି। ଉଦ୍ଧାର କାର‌୍ୟ୍ୟ ତଦାରଖ ପାଇଁ ସେନାର ବିମାନ ମୁତୟନ ହୋଇଥିବା ବେଳେ ନୌସେନା ପାଟ୍ରୋଲିଂ ଜାହାଜ ମଧ୍ୟ ମୁତୟନ କରାଯାଇଛି। ଚିଡୋ ପ୍ରଭାବିତ ମାୟୋତବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁ ଘୋଷଣା କରିଥିବା ବେଳେ ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଉଦ୍ଧାର କାର‌୍ୟ୍ୟରେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଆନ୍ତର୍ଜାତିକ ରେଡକ୍ରସ ଭଳି ସଂଗଠନ ତୁରନ୍ତ ଉଦ୍ଧାର କାର‌୍ୟ୍ୟରେ ସହାୟତା କରିବାକୁ ଫ୍ରାନ୍ସ ପକ୍ଷରୁ ଅନୁରୋଧ କରାଯାଇଛି। ଉଦ୍ଧାର କାର‌୍ୟ୍ୟ ଓ ଥଇଥାନକୁ ପ୍ରାଥମିକତା ଦିଆଯାଉଥିବା ବେଳେ ସ୍ୱାସ୍ଥ୍ୟ ସେବା ଯୋଗାଇବା ମଧ୍ୟ ଫ୍ରାନ୍ସ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ମାୟୋତ ପୁନରୁଦ୍ଧାର ପାଇଁ ୟୁରୋପୀୟ ସଂଘ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ସେପଟେ ଗତ ଶୁକ୍ରବାର ଦିନ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ଫ୍ରାଙ୍କୋଇସ ବେୟୋରୁ ଦାୟିତ୍ୱ ନେଇଥିବା ବେଳେ ମାୟୋତରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ତାଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking