ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହାୟୁତି ସରକାରରେ କ୍ୟାବିନେଟ୍ ସଂପ୍ରସାରଣ । ଆଜି ସଂଧ୍ୟାରେ ନାଗପୁରରେ ଶପଥ ସମାରୋହ ନେଇ ଚୂଡ଼ାନ୍ତ ହୋଇଛି । ଫଡନବିସ୍ ସରକାରରେ ୩୦ରୁ ୩୫ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ମହାରାଷ୍ଟ୍ର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଟ୍ ୪୩ଜଣ ସଦସ୍ୟ ରହିପାରିବ । ବିଜେପିକୁ ୨୦-୨୧ଟି ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି । ଶିବସେନା ସିନ୍ଦେ ଗୋଷ୍ଠୀକୁ ୧୧-୧୨, ଏନ୍ସିପି ଅଜିତ ଗୋଷ୍ଠୀକୁ ୯-୧୦ ମନ୍ତ୍ରୀ ପଦ ମିଳିପାରେ । ସମ୍ଭାବିତ ମନ୍ତ୍ରୀମାନଙ୍କୁ ଶପଥ ଲାଗି ନିଜେ ମୁଖ୍ୟମନ୍ତ୍ରୀ ଫଡ଼ନବିସ୍ ଫୋନ୍ କରିବେ । ଜଣେ ବିଜେପି ନେତାଙ୍କ ସୂଚନା ମୁତାବକ, କ୍ୟାବିନେଟ୍ ସଂପ୍ରସାରଣ ନେଇ ଦୁଇଟି ଫର୍ମୁଲା ସ୍ଥିର ହୋଇଛି । ପ୍ରଥମଟି ହେଲା ୧୫:୮:୭, ଅର୍ଥାତ୍ ବିଜେପିରୁ ୧୫ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସେହିପରି ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀରୁ ୮ଜଣ ଏବଂ ଏନସିପି ଅଜିତ୍ ଗୋଷ୍ଠୀରୁ ୭ଜଣ ବିଧାୟକ କ୍ୟାବିନେଟରେ ସ୍ଥାନ ପାଇପାରନ୍ତି । ସେହିପରି ଦ୍ବିତୀୟ ସମୀକରଣ ହେଉଛି ୧୦:୪:୪ । ଅର୍ଥାତ୍ ବିଜେପିରୁ ୧୦, ଶିବସେନା ଏବଂ ଏନସିପିରୁ ଜଣ ଲେଖାଏଁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାବନକୁଲେ ଶୁକ୍ରବାର କ୍ୟାବିନେଟ୍ ଚୂଡ଼ାନ୍ତ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ସହିତ ଅଲଗା ଅଲଗା ଚର୍ଚ୍ଚା କରିଥିଲେ । ସିନ୍ଦେ ଓ ଅଜିତ ପାୱାର ନିଜ ନିଜ ମନ୍ତ୍ରୀମାନଙ୍କ ତାଲିକା ମୁଖ୍ୟମନ୍ତ୍ରୀ ଫଡ଼ନବିସ୍ଙ୍କୁ ଦେଇଛନ୍ତି । କ୍ୟାବିନେଟ୍ରେ ସ୍ଥାନ ପାଇବା ଲାଗି ବିଜେପି ପକ୍ଷରୁ ଚନ୍ଦ୍ରଶେଖର ବାବନକୁଲେ, ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗାନ୍ତିୱାର, ପଙ୍କଜା ମୁଣ୍ଡେଙ୍କ ନାମ ସବୁଠୁ ଆଗରେ ରହିଛି ।