17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସାହସିକତାର ଆଉ ଏକ ଜ୍ୱଳନ୍ତ ପ୍ରମାଣ; ପେଟରେ ଗୁଳି ବାଜିବା ପରେ ବି ୧୫ ଯାତ୍ରୀଙ୍କ...

ସାହସିକତାର ଆଉ ଏକ ଜ୍ୱଳନ୍ତ ପ୍ରମାଣ; ପେଟରେ ଗୁଳି ବାଜିବା ପରେ ବି ୧୫ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଚାଳକ

ପାଟନା: ସନ୍ତୋଷ ସିଂହ ନାମକ ଜଣେ ଜିପ୍ ଡ୍ରାଇଭରଙ୍କ ସାହସିକତାକୁ ଏବେ ପୁରା ଦେଶ ସଲାମ୍ କରୁଛି। ରିପୋର୍ଟ ଅନୁସାରେ ସେ ନିଜ ଗାଡ଼ିରେ ପ୍ରାୟ ୧୪/୧୫ଜଣଙ୍କୁ ଧରି ଏକ ତିଲକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ୨ଟି ବାଇକ୍‌ରେ ଦୁର୍ବୃତ୍ତମାନେ ଝାଉନ୍ ଗ୍ରାମ ନିକଟରେ ତାଙ୍କ ଗାଡ଼ିକୁ ପିଛା କରିଥିଲେ ଏବଂ ଗୁଳିମାଡ଼ କରିଥିଲେ। ଦୁର୍ବୃତ୍ତମାନେ ଗୁଳିମାଡ଼ କରିବା ଦେଖି ସନ୍ତୋଷ ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଗାଡ଼ିକୁ ନରଖି ଦ୍ରୁତଗତିରେ ଆଗକୁ ବଢ଼ାଇଥିଲେ। ତେବେ ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଗାଡି ରଖିବାକୁ ବାରମ୍ବାର ଧମକ ତଥା ଚେତାବନୀ ଦେଇଥିଲେ ମଧ୍ୟ ସେ ଶୁଣିନଥିଲେ। ଫଳରେ ଦୁର୍ବୃତ୍ତମାନେ ରାଗିଯାଇ ସନ୍ତୋଷଙ୍କୁ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଏଥିରେ ଗୋଟିଏ ଗୁଳି ସନ୍ତୋଷଙ୍କ ପେଟରେ ବାଜିଥିଲା। ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ରକ୍ତଜୁଡୁବୁଡୁ ଅବସ୍ଥାରେ ହିଁ ସନ୍ତୋଷ ପ୍ରାୟ ୫ କିମି ପର୍ଯ୍ୟନ୍ତ ଗାଡ଼ି ଚଳାଇବା ଜାରି ରଖିଥିଲେ। ଶେଷରେ ସେ ଦୁର୍ବୃତ୍ତମାନଙ୍କ କବଳରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇଆସିବାରେ ସଫଳ ହୋଇଥିଲେ। ଏକ ସୁରକ୍ଷିତ ସ୍ଥାନରେ ଗାଡ଼ି ରଖିବା ପରେ ହିଁ ସନ୍ତୋଷ ଚେତାଶୂନ୍ୟ ହୋଇପଡିଥିଲେ। ଯାତ୍ରୀମାନେ ପୁଲିସ୍‌କୁ ଏଠାରୁ ଘଟଣା ସମ୍ପର୍କରେ ସୂଚୀତ କରିଥିଲେ। ପୁଲିସ୍ ସେଠାରେ ପହଞ୍ôଚବା ପରେ ସନ୍ତୋଷଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଡାକ୍ତରଙ୍କ କହିବାନୁସାରେ ସନ୍ତୋଷଙ୍କ ପେଟରୁ ଅସ୍ତ୍ରୋପଚାର ମାଧ୍ୟମରେ ଗୁଳି କାଢ଼ି ଦିଆଯାଇଛି। ଗୁଳି ବାଜିବା ପରେ ଗାଡ଼ି ଚଳାଇବା ଯୋଗୁ ତାଙ୍କ ସମ୍ପୂର୍ଣ୍ଣ ଅନ୍ତ୍ରନଳୀ କ୍ଷତିଗ୍ରସ୍ତ ହୋଇଛି। ତେବେ ବର୍ତ୍ତମାନ ସମୟରେ ସନ୍ତୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ବୋଲି କୁହାଯାଇଛି।ଡ୍ରାଇଭର ସନ୍ତୋଷ ସିଂହଙ୍କ ଘର ବିହାରର ହିମ୍ମତପୁର ବୋଲି ଜଣାପଡିଛି। ପୁଲିସ୍ ଅଧିକାରୀ ରାଜୀବ ଚନ୍ଦ୍ର ସିଂହ କହିଛନ୍ତି, ଯାତ୍ରୀଙ୍କ କହିବାମୁତାବକ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ସ୍କେଚ୍ ପ୍ରସ୍ତୁତ କରାଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି, ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ଘଟଣାଟି ଭୋଜପୁର ଜିଲ୍ଲା ଝାଉନ୍ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଘଟିଛି। ତେବେ ପ୍ରାଥମିକ ତଦନ୍ତରୁ କେବଳ ସନ୍ତୋଷଙ୍କ ଗାଡ଼ି ନୁହେଁ, ଅନ୍ୟ ୨ଟି ଗାଡ଼ିକୁ ବି ଏପରି ଟାର୍ଗେଟ କରାଯାଇଥିବା ଜାଣିବାକୁ ମିଳିଛି। ଫଳରେ ଏସବୁ ଘଟଣା ପଛରେ କେବଳ ଲୁଟ୍ ଉଦ୍ଦେଶ୍ୟ ରହିଥିବା ପୁଳିସ୍ ଅନୁମାନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking