ଭୁବନେଶ୍ୱର: ଖୁବଶୀଘ୍ର ଦୂରଦର୍ଶନରେ ସାନ୍ତାଳି ଭାଷାରେ ନ୍ୟୁଜ ପଢ଼ାଯିବ । ୬ ରୁ ୭ ଦିନରେ ଏହା କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସାନ୍ତାଳି ଭାଷାରେ ନ୍ୟୁଜ ପଢ଼ାଯିବା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା । ସୂଚନା ଯୋଗ୍ୟ , ଆଜି ରାଇରଙ୍ଗପୁରରେ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ନ୍ୟାସ କରିଛନ୍ତି ମହାମହିମ। ପ୍ରଥମେ ବାଙ୍ଗରିପୋଷୀ ରେଳଷ୍ଟେସନ ସଭାସ୍ଥଳରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ସେଠାରେ ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଢାମରା- ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁରରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ଓ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏକ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି । ଏହି ସଭାରେ ରେଳମନ୍ତ୍ରୀ ସାନ୍ତାଳି ଭାଷାରେ ନ୍ୟୁଜ ପଢ଼ାଯିବା ନେଇ କହିଛନ୍ତି ।