ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ନୌସେନା ମିଳିତ ଅପରେସନ ଚଳାଇ ଆରବ ସାଗରରୁ ୫୦୦ କିଲୋ ଡ୍ରଗ୍ସ ଜବତ କରିଛନ୍ତି । ନଭେମ୍ବର ୨୪ ଏବଂ ୨୫ରେ ଏକ ଆଣ୍ଟି ଡ୍ରଗ୍ସ ଅପରେସନରେ ଦୁଇଟି ବୋଟ ସହ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏଥିରେ ଥିବା କ୍ରୁମାନଙ୍କୁ ଶ୍ରୀଲଙ୍କା ନୌସେନାକୁ ହସ୍ତାନ୍ତର କରାଯାଇଛି । ଶ୍ରୀଲଙ୍କା ନୌସେନା ଭାରତୀୟ ନୌସେନାକୁ ସୂଚନା ଦେଇଥିଲା ଯେ ଦୁଇଟି ଡଙ୍ଗା ଶ୍ରୀଲଙ୍କା ପତାକା ସହିତ ଆରବ ସାଗରରେ ଅଛନ୍ତି । ଏଥିରେ ଡ୍ରଗ୍ସ ଥିବା ସୂଚନା ମିଳିଛି । ସୂଚନା ପାଇ ଭାରତୀୟ ନୌସେନା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ଶ୍ରୀଲଙ୍କା ନୌସେନା ସହ ମିଳିତ ଭାବେ ଡ୍ରଗ୍ସ ବିରୋଧୀ ଅପରେସନ୍ ଚଳାଇଥିଲା ।
ସମୁଦ୍ରରେ ଦୁଇଟି ଡଙ୍ଗାକୁ ଖୋଜିବା ପାଇଁ ଭାରତୀୟ ନୌସେନାର ଲଙ୍ଗ୍ ରେଞ୍ଜ ସାମୁଦ୍ରିକ ପାଟ୍ରୋଲିଂ ଏୟାରକ୍ରାଫ୍ଟ ଏବଂ ରିମୋଟଲି ପାଇଲେଟେଡ୍ ଏୟାରକ୍ରାଫ୍ଟକୁ ପଠାଯାଇଥିଲା । ଗୁରୁଗ୍ରାମସ୍ଥିତ ଇନଫର୍ମେସନ ଫ୍ୟୁଜନ୍ ସେଣ୍ଟର (ଇଣ୍ଡିଆନ୍ ଓସେନ୍ ଅଞ୍ଚଳ)ରୁ ଡଙ୍ଗାଗୁଡ଼ିକର ଲାଇଭ୍ କୋର୍ଡିନେଟ୍ସ ମିଳିଥିଲା । ଏହାପରେ ସେମାନଙ୍କୁ ଧରିବା ପାଇଁ ନୌସେନା ଜାହାଜକୁ ନିୟୋଜିତ କରାଯାଇଥିଲା । ନୌସେନା ଏହି ଡଙ୍ଗା ଦୁଇଟିକୁ ଆରବ ସାଗରରେ ଧରିଥିଲା । ସେମାନଙ୍କ ପାଖରୁ ୫୦୦ କିଲୋ କ୍ରିଷ୍ଟାଲ୍ ମିଥ୍ ମିଳିଥିଲା । ଏହି ଆଣ୍ଟି-ନାର୍କୋଟିକ୍ସ ଅପରେସନରେ ନୌସେନା ଡ୍ରୋନ୍, ହେଲିକପ୍ଟର ଏବଂ ଦୁଇଟି ଜାହାଜକୁ ନିୟୋଜିତ କରିଥିଲା । ଦୁଇ ନୌସେନାର ମିଳିତ ଅପରେସନ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ବନ୍ଧୁତ୍ୱକୁ ଦର୍ଶାଇଛି ।