ଚେନ୍ନାଇ: ଚେନ୍ନାଇର ଏକ ସରକାରୀ ହସ୍ପିଟାଲରେ ନିୟୋଜିତ ଜଣେ ଡାକ୍ତରଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ରିପୋର୍ଟ ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ରୋଗୀଙ୍କ ପୁଅ ବିଘ୍ନେଶ ହିଁ ଡ. ବାଲାଜୀ ଜଗନ୍ନାଥ ନାମକ ଜଣେ ଡାକ୍ତରଙ୍କୁ ପ୍ରାୟ ୭ ଥର ଛୁରାଘାତ କରିଛି। ଡ. ବାଲାଜୀ ଏବେ ଗୁୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏପ୍ରକାର ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ମାତ୍ରେ ପୁଲିସ୍ ଅଭିଯୁକ୍ତ ବିଘ୍ନେଶ ଏବଂ ତା’ର ଅନ୍ୟ ୩ ସାଙ୍ଗଙ୍କୁ ଗିରଫ କରିଛି।
ପୁଲିସ୍ ସୂଚନାନୁସାରେ କାଲାଇଗାର ସେଞ୍ଚୁରି ହସ୍ପିଟାଲର କର୍କଟ ୱାର୍ଡରେ ଏହି ଅଘଟଣ ଘଟିଛି। ବିଘ୍ନେଶ କ୍ୟାନସର ପୀଡ଼ିତ ନିଜ ମା’କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ବିଘ୍ନେଶ ମଧ୍ୟ ନିଜ ମା’ର ଦେଖାଶୁଣା କରିବା ପାଇଁ ନିୟମିତ ଭାବେ ହସ୍ପିଟାଲରେ ରହୁଥିଲା। କିନ୍ତୁ ଆଜି ସକାଳୁ ହଠାତ୍ ସେ ଡ. ବାଲାଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଛୁୂରାମାଡ଼ କରିବା ପରେ ବିଘ୍ନେଶ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲୋକେ ମିଳିତ ଭାବେ ତା’କୁ କାବୁ କରିନେଇଥିଲେ ଏବଂ ପୁଲିସ୍ ଜିମା ଦେଇଥିଲେ। ବିଘ୍ନେଶ କିନ୍ତୁ ନିଜ ବୟାନ୍ରେ କହିଛି ଯେ, ତା’ର କ୍ୟାନ୍ସର ପୀଡ଼ିତ ମା’କୁ ଚିକିତ୍ସାରେ ଅବହେଳା କରାଯିବା ଏବଂ ଭୁଲ୍ ଔଷଧ ଦିଆଯାଉଥିଲା। ସେ ଏସମ୍ପର୍କରେ ଡ. ବାଲାଜୀଙ୍କୁ କହିବାରୁ ଡ. ବାଲାଜୀ କୁଆଡେ ତା’କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିପାଇଁ ସେ ଉତ୍କ୍ଷିପ୍ତ ହୋଇପଡିଥିଲା ଏବଂ ଡ. ବାଲାଜୀଙ୍କୁ ଉଚିତ ଶିକ୍ଷ।।ଦେବା ପାଇଁ ଯୋଜନା କରିଥିଲା। ନିଜର ଅନ୍ୟ ୩ ସାଙ୍ଗଙ୍କୁ ମଧ୍ୟ ଏଥିପାଇଁ ସେ ପ୍ରବର୍ତ୍ତାଥିଲା।
ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ଷ୍ଟାଲିନ୍ କହିଛନ୍ତି ଯେ ଆହତ ଡାକ୍ତରଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦିଆଯାଉ। ଏହାସହିତ ସେ ଘଟଣାର ବିସ୍ତୃତ ତଦନ୍ତ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କ ଅନୁସାରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଆମର ସରକାରୀ ଡାକ୍ତରଙ୍କ ନିସ୍ୱାର୍ଥପର କାର୍ଯ୍ୟ ଅତୁଳନୀୟ। ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର କର୍ତ୍ତବ୍ୟ। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେବେ। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ଏମ୍ ସୁବ୍ରମଣ୍ୟମ କହିଛନ୍ତି ଯେ, ଡାକ୍ତରଙ୍କ ବେକ, ପେଟ ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କର ସର୍ଜରୀ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ଥିର ଅଛି। ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ଏହି ଘଟଣା ପରେ ହସ୍ପିଟାଲରେ ଅନ୍ୟ ଡାକ୍ତରଙ୍କ ମଧ୍ୟରେ ଆକ୍ରୋଷ ଦେଖିବାକୁ ମିଳିଛି। ସର୍ଭିସ ଏବଂ ପିଜି ଡାକ୍ତର ସଂଘ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଡାକ୍ତରଖାନାରେ ଡାକ୍ତରମାନେ ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଜରୁରୀକାଳୀନ ସେବା ଜାରି ରହିଛି।