32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପ୍ରତିଶୋଧ ନେଲା ଇସ୍ରାଏଲ୍‌: ସତ ମାନିଲା ହମାସ୍‌; ଇସ୍ରାଏଲ୍ ସେନା ଆକ୍ରମଣରେ ନିହତ ହୋଇଛି ସିନୱାର

ପ୍ରତିଶୋଧ ନେଲା ଇସ୍ରାଏଲ୍‌: ସତ ମାନିଲା ହମାସ୍‌; ଇସ୍ରାଏଲ୍ ସେନା ଆକ୍ରମଣରେ ନିହତ ହୋଇଛି ସିନୱାର

ଗାଜା: ଶେଷରେ ସତ ମାନିବାକୁ ବାଧ୍ୟ ହୋଇଛି ପାଲେଷ୍ଟାଇନୀୟ ବିଦ୍ରୋହୀ ଗୋଷ୍ଠୀ ହମାସ୍ ସଂଗଠନ। ହମାସ୍ ପକ୍ଷରୁ ଶୁକ୍ରବାର ସ୍ୱୀକାର କରାଯାଇଛି ଯେ, ଗତ ଗୁରୁବାର ଇସ୍ରାଏଲ୍ ସେନା ପକ୍ଷରୁ ଗାଜା ଷ୍ଟ୍ରିପ୍‌ରେ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍ ସଂଗଠନର ୬୨ ବର୍ଷୀୟ ମୁଖ୍ୟ ୟାହୟା ସିନ୍‌ୱାର ପ୍ରାଣ ହରାଇଛନ୍ତି। ସିନୱାରଙ୍କ ମୃତ୍ୟୁ ସମ୍ପର୍କରେ ଗାଜାରେ ଥିବା ହମାସର ଉପମୁଖ୍ୟ ଖଲିଲ ଅଲ୍ ହାୟା ସୂଚନା ଦେଇଛନ୍ତି। ସିନୱାରଙ୍କ ମୃତ୍ୟୁ ହୋଇଥିଲେ ହେଁ ହମାସ ଇସ୍ରାଏଲର ପଣବନ୍ଦୀମାନଙ୍କୁ କଦାପି ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କ କହିବା କଥା ଯେ ଯେଉଁ ପର୍ଯ୍ୟନ୍ତ ଗାଜାରେ ଆକ୍ରମଣ ବନ୍ଦ ହୋଇନାହିଁ ଓ ଇସ୍ରାଏଲ ସେନା ସଂପୂର୍ଣ୍ଣ ଭାବେ ଗାଜାରୁ ପ୍ରତ୍ୟାହୃତ ହୋଇନାହାନ୍ତି, ସେଯାଏ ପଣବନ୍ଦୀଙ୍କୁ ଖଲାସ କରାଯିବ ନାହିଁ। ପ୍ରକାଶ, ଦିନକ ପୂର୍ବେ ଇସ୍ରାଏଲ୍ ସେନା ପକ୍ଷରୁ ସିନୱାର ମୃତ୍ୟୁବରଣ କରିଥିବା ନେଇ ସୂଚନା ଦିଆଯାଇଥିଲେ ମଧ୍ୟ ଏନେଇ ସତ୍ୟାସତ୍ୟ ଜଣାପଡିନଥିଲା।

ହମାସ୍ ମଧ୍ୟ ସିନ୍‌ୱାରଙ୍କ ମୃତ୍ୟୁକୁ ନେଇ ଚୁପ୍ ରହିଥିଲା। ତେବେ ଇସ୍ରାଏଲ୍ ସେନାବାହିନୀ (ଆଇଡିଏଫ୍‌) ପକ୍ଷରୁୂ ସିନୱାର ନିହତ ହୋଇଥିବା ନେଇ ଦାବି କରାଯିବାର ୨୪ ଘଣ୍ଟା ମଧ୍ୟରେ ହମାସ୍ ପକ୍ଷରୁ ଏହି ସମ୍ବାଦକୁ ସତ୍ୟ ବୋଲି ଅଭିହିତ କରାଯାଇଛି। ତେବେ ହମାସ୍ ପକ୍ଷରୁ ସ୍ପଷ୍ଟୀକରଣ ଆସିସାରିବା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଏସମ୍ପର୍କରେ ଦୋହରାଇଛନ୍ତି। ନେତାନ୍ୟାହୁ କହିଛନ୍ତି, ‘ଗତ ବର୍ଷ (୨୦୨୩) ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ମାଟିରେ ନରସଂହାର ଘଟାଇଥିବା ବ୍ୟକ୍ତି ଠାରୁ ଆମେ ପ୍ରତିଶୋଧ ନେଇଛୁ। ଗାଜାଷ୍ଟ୍ରିପ୍‌ରେ ହମାସ ନେତା ୟାହୟା ସିନୱାରଙ୍କ ହତ୍ୟା ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ।

ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ।’ ଏହି ଅବସରରେ ନେତାନ୍ୟାହୁ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ସେ କହିଛନ୍ତି, ଆସନ୍ତା କାଲି ସୁଦ୍ଧା ଯୁଦ୍ଧ ଶେଷ ବୋଲି ଘୋଷଣା କରାଯାଇପାରିବ। କିନ୍ତୁ ଏଥିପାଇଁ ହମାସ୍ ସଂଗଠନକୁ କିଛି ସର୍ତ୍ତ ମାନିବାକୁ ପଡ଼ିବ। ହମାସ୍ ଯଦି ଅସ୍ତ୍ର ଛାଡ଼ି ପଣବନ୍ଦୀ କରି ରଖିଥିବା ଇସ୍ରାଏଲୀୟ ସୈନିକ ତଥା ସାଧାରଣ ନାଗରିକଙ୍କୁ ଫେରାଇଦିଏ ତେବେ ଯୁଦ୍ଧ କାଲି ହିଁ ସମାପ୍ତ ହୋଇଯିବ। ନେତାନ୍ୟାହୁଙ୍କ କହିବାନୁସାରେ ହମାସ୍ ବର୍ତ୍ତମାନ ୨୩ ଦେଶର ପ୍ରାୟ ୧୦୧ ନାଗରିକଙ୍କୁ ଏବେ ବି ପଣବନ୍ଦୀ କରି ରଖିଛି। ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ନେତାନ୍ୟାହୁ ବିପକ୍ଷ ଶକ୍ତିଙ୍କୁ ଆହ୍ୱାନ ଦେଇଛନ୍ତି।

ହମାସ ଉପରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଇସ୍ରାଏଲ୍ ସେନା ପକ୍ଷରୁ ଗାଜା ଷ୍ଟ୍ରିପ୍‌ରେ ବରାବର ଭୟଙ୍କର ଆକ୍ରମଣ କରାଯାଇଆସୁଥିଲା। ତେବେ ଇସ୍ରାଏଲ ବାୟୁସେନା ପକ୍ଷରୁ ଗତକାଲି ଏଠାରେ କରାଯାଇଥିବା ଏକ ଏୟାରଷ୍ଟ୍ରାଇକ୍ ଘଟଣାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ସିନୱାର ଥିବା ନେଇ ସନ୍ଦେହ କରାଯାଉଥିଲା। ଏହାପରେ ଇସ୍ରାଏଲ୍ ସେନା ଏହି ୩ ମୃତକଙ୍କ ଡିଏନ୍‌ଏ ସଂଗ୍ରହ କରି ଏମାନଙ୍କ ମଧ୍ୟରେ ସିନୱାର ଥିବା ନେଇ ଦାବି କରିଥିଲା। କିନ୍ତୁ ସ୍ପଷ୍ଟ ପ୍ରମାଣ ମିଳିନଥିବାରୁ ଇସ୍ରାଏଲ୍ ସେନା ଏନେଇ ଦୃଢ଼ୋକ୍ତି କରିନଥିଲା। କିନ୍ତୁ ଡିଏନ୍‌ଏ ପରୀକ୍ଷାରୁ ଏହି ୩ ମୃତକଙ୍କ ମଧ୍ୟରୁ ଜଣେ ମୃତକ ହମାସ୍ ନେତା ସିନ୍‌ୱାର ବୋଲି ସ୍ପଷ୍ଟ ହେବା ପରେ ଇସ୍ରାଏଲ୍ ଏନେଇ ସୂଚନା ଦେଇଥିଲା।

୨୦୨୩ ମସିହା ଅକ୍ଟୋବର ୭ର ଇସ୍ରାଏଲ ଉପରେ ହମାସ କରିଥିବା ଅତର୍କିତ ଆକ୍ରମଣର ମୁଖ୍ୟ ସୂତ୍ର ଧର ଥିଲା ସିନୱାର। ତା’ ତତ୍ତ୍ୱାବଧାନରେ ହମାସର ସଦସ୍ୟମାନେ ଆକ୍ରମଣ କରିଥିଲେ, ଯେଉଁଥିରେ ଇସ୍ରାଏଲ୍ ପ୍ରାୟ ୧୨୦୦ରୁ ଅଧିକ ନୀରିହ ଇସ୍ରାଏଲ୍ ନାଗରିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକଙ୍କୁ ହମାସ ପଣବନ୍ଦୀ କରିନେଇଥିଲା। ଏମାନଙ୍କ ମଧ୍ୟରେ କିଛି ଇସ୍ରାଏଲୀୟ ସୈନିକ ମଧ୍ୟ ସାମିଲ ରହିଛନ୍ତି। ଗୋଟିଏ ପଟେ ସିନ୍‌ୱାରର ମୃତ୍ୟୁ ଇସ୍ରାଏଲ ସେନା ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ବଡ଼ ସଫଳତା ବୋଲି ବିବେଚନା କରାଯାଉଥିବା ବେଳେ ଅନ୍ୟପକ୍ଷେ ହମାସ୍ ପାଇଁ ଏହା ଏକ ବଡ଼ ଝଟ୍‌କା ସଦୃଶ ହୋଇଛି। ସିନୱାରଙ୍କ ମୃତ୍ୟୁପରେ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଇପାରେ ବୋଲି ଆଶା କରାଯାଉଛି। ଏସବୁ ମଧ୍ୟରେ ସିନୱାରଙ୍କ ମୃତ୍ୟୁ ପ୍ରସଙ୍ଗରେ ମତ ଦେବାକୁ ଯାଇ ଏହା ଇସ୍ରାଏଲ୍ ପାଇଁ ଭଲ ଦିନ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking