32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଉତ୍ତର ଗାଜାରେ ଇସ୍ରାଏଲର ଭୟଙ୍କର ବୋମାବର୍ଷା

ଉତ୍ତର ଗାଜାରେ ଇସ୍ରାଏଲର ଭୟଙ୍କର ବୋମାବର୍ଷା

ଗାଜା: ହମାସ୍ ଆକ୍ରମଣର ବର୍ଷ ପୂର୍ତ୍ତି ପାଳନ କରୁଥିବା ଇସ୍ରାଏଲ୍ ଗୁରୁବାର ପାଲେଷ୍ଟାଇନ୍‌ର ଗାଜାଷ୍ଟ୍ରିପ୍‌ରେ ଭୟଙ୍କର ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୨୮ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଗୁରୁତର ହୋଇପଡ଼ିଥିବା ପାଲେଷ୍ଟାଇନ୍ ସରକାର ସ୍ପଷ୍ଟ କରିଛନ୍ତି। ରିପୋର୍ଟ ଅନୁସାରେ ଇସ୍ରାଏଲ୍ ଏବେ ପାଲେଷ୍ଟାଇନ୍‌ର ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ଲଢ଼ୁଥିବା ହମାସ ଉଗ୍ରବାଦୀ ସଂଗଠନ ଉପରେ ଆକ୍ରମଣକୁ ତୀବ୍ର କରିଛି। ଇରାନ୍ ଏବଂ ଲେବାନନ୍‌ର ହିଜବୁଲ୍ଲା ଉଗ୍ରବାଦୀଙ୍କ ବିରୋଧରେ ନିଜ ଆକ୍ରମଣକୁ ସାମାନ୍ୟ କରିଥିବା ଇସ୍ରାଏଲ ହମାସ୍‌କୁ ଏବେ ମୁଖ୍ୟ ଟାର୍ଗେଟ୍ କରିଛି। ଇସ୍ରାଏଲ୍ ବାୟୁସେନା ପକ୍ଷରୁ ଆଜି କରାଯାଇଥିବା କ୍ଷେପଣାସ୍ତ୍ର ତଥା ବୋମାମାଡ଼ ଯୋଗୁ ଏଠାରେ ଥିବା ଏକ ସ୍କୁଲ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି। ଏହି ସ୍କୁଲକୁ ହମାସ ଉଗ୍ରବାଦୀ ନିଜ ଆଡ୍ଡା ଭାବେ ବ୍ୟବହାର କରୁଥିବା ନେଇ ସୂଚନା ମିଳିବା ପରେ ଏଠାରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନାବାହିନୀ (ଆଇଡିଏଫ୍‌) ଦାବି କରିଛି।

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଇସ୍ରାଏଲ୍ ସେନା ଆକ୍ରମଣରେ ୨୮ଜଣ ନୀରିହ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାଏର ଏଲ୍‌-ବଲାହ ଠାରେ ଥିବା ଅଲ୍ ଆକ୍‌ସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ନାଗରିକ ରହିଛନ୍ତି। ସେହିପରି ଖାନ୍ ୟୁନିସ ପ୍ରାନ୍ତରେ ଇସ୍ରାଏଲ୍ ସେନାବାହିନୀ ୪ ପାଲେଷ୍ଟାଇନ୍ ନାଗରିକଙ୍କୁ ଏବଂ ଜବାଲିଆ ରିଫ୍ୟୁଜି କ୍ୟାମ୍ପ୍ ନିକଟରେ ୩ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ପ୍ରକାଶ, ୨୦୨୩ ଅକ୍ଟୋବର ୭ରେ ହମାସ ଉଗ୍ରବାଦୀ ସଂଗଠନ ପକ୍ଷରୁ ଇସ୍ରାଏଲ ଉପରେ କରାଯାଇଥିବା ଆକ୍ରମଣରେ ପ୍ରାୟ ୧୧୩୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଇସ୍ରାଏଲ୍ ହମାସ ଉପରେ ଗତ ୧ ବର୍ଷ ଧରି ଆକ୍ରମଣ କରିଆସୁଛି। ଗତବର୍ଷ ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ସେନାର ଆକ୍ରମଣରେ ପାଲେଷ୍ଟାଇନର ଗାଜା ଷ୍ଟ୍ରିପ୍‌ରେ ପ୍ରାୟ ୪୩ହଜାର ଲୋକ ମୃତ୍ୟୁବରଣ କରିଥିବା ବେଳେ ୯୭,୮୮୬ଜଣ ଗୁରୁତର ଆହତ ହୋଇଛନ୍ତି।

ଏସବୁ ମଧ୍ୟରେ ଏକ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି। ଜର୍ମାନ ଚାନ୍‌ସେଲର ଓଲାଫ୍ ସ୍କୋଲ୍‌ଜ ଇସ୍ରାଏଲ୍‌କୁ ଅଧିକରୁ ଅଧିକ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍‌ଶୀଘ୍ର ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଓଲାଫ୍ କହିଛନ୍ତି। ପ୍ରକାଶ, ଚଳିତ ବର୍ଷ ଜର୍ମାନୀ ପକ୍ଷରୁ ଇସ୍ରାଏଲ୍‌କୁ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଣ ସାମାନ୍ୟ ହ୍ରାସ ପାଇଛି। ୨୦୨୩ରେ ଜର୍ମାନୀ ଇସ୍ରାଏଲ୍‌କୁ ମୋଟ୍ ୩୫୬.୪ ମିଲିଅନ୍ ଡଲାର ମୂଲ୍ୟର ସାମରିକ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିଥିବା ବେଳେ ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ୨୧ ତାରିଖ ମଧ୍ୟରେ ଏହା ୧୫.୮ ମିଲିଅନ୍ ଡଲାର ପର୍ଯ୍ୟନ୍ତ କମ୍ ରହିଥିଲା। ତେବେ ଜର୍ମାନୀର ଏହି ନୂଆ ଘୋଷଣା ଇରାନ, ହମାସ ଓ ହିଜବୁଲ୍ଲା ବିରୋଧରେ ସମାନ ସମୟରେ ତଥା ଏକାକୀ ଯୁଦ୍ଧ ଲଢ଼ୁୂଥିବା ଇସ୍ରାଏଲ୍ ପାଇଁ ବଡ଼ ଆଶ୍ୱସ୍ତିଜନକ ହୋଇଛି।

ଅନ୍ୟପକ୍ଷେ ଇରାନ୍ ସହ ଇସ୍ରାଏଲର ଛାମୁଆ ଯୁଦ୍ଧ ମଧ୍ୟ ଅନ୍ୟ ଏକ ମୋଡ଼ ନେଇଛି। ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଆଜି ପୁଣିଥରେ ଟେଲିଫୋନିକ୍ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏସମ୍ପର୍କରେ ସୂଚନା ଦେଇ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ କହିଛନ୍ତି ଯେ, ଇରାନ୍‌ର ୪୦୦ରୁ ଊର୍ଦ୍ଧ୍ୱ ମିସାଇଲ ଆକ୍ରମଣର ପ୍ରତିଶୋଧ ନିଆଯିବ। ଇରାନ୍ ମଧ୍ୟ ଦେଖିବ ଆଗକୁ ତା’ ସହ କ’ଣ ସବୁ ଘଟୁଛି। ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପାଇଁ ଇରାନ୍‌କୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ତେବେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପ୍ରକାର ବୟାନବାଜି ଆଗାମୀ ଦିନରେ ଇରାନ-ଇସ୍ରାଏଲ ଯୁଦ୍ଧକୁ ନିଶ୍ଚିତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking