30.1 C
Bhubaneswar
Saturday, October 5, 2024
Homeଓଡିଶାଥମୁନି ନକଲି କାରବାର : ଜଗତପୁରରେ ଠାବ ହେଲା ଗୁଆଘିଅ କାରଖାନା

ଥମୁନି ନକଲି କାରବାର : ଜଗତପୁରରେ ଠାବ ହେଲା ଗୁଆଘିଅ କାରଖାନା

କଟକ :ଜଗତପୁର ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ନକଲି କ୍ଷୀର କାରଖାନା ଠାବ ହୋଇଥିଲା ବେଳେ ଆଜି ପୁଣି ନକଲି ଗୁଆଘିଅ କାରଖାନା ଠାବ ହୋଇଛି । ସ୍ଥାନୀୟ ପୁଲିସ ଅତର୍କୀତ ଚଢଉ କରି ଏହି କାରଖାନାରୁ ବିପୁଳ ପରିମାଣର ନକଲି ଗୁଆଘିଅ, ଶସ୍ତା ବନସ୍ପତି, କେମିକାଲ୍ ଓ ପ୍ୟାକିଂ ଯନ୍ତ୍ରପାତି ଜବତ କରିଛି । ଏଥି ସହିତ ଏହି କାରବାର ଚଳାଇଥିବା କାରଖାନାର କାରଖାନା ମାଲିକ ଫେରାର ହୋଇଯାଇଥିବା ବେଳେ ୨ଜଣ କର୍ମଚାରୀଙ୍କୁ ଅଟକ ରଖି ଖୋଳତାଡ ଆରମ୍ଭ କରିଛି ପୁଲିସ । ଜଗତପୁର ଏବେ ପାଲଟି ଯାଇଛି ନକଲି କାରବାରର ଭୂସ୍ୱର୍ଗ । ଡାଲି ଠାରୁ ଆରମ୍ଭ କରି ଚା ପତି ଓ ମସଲା ଠାରୁ ଆରମ୍ଭ କରି ନକଲି କ୍ଷୀର ପର୍ଯ୍ୟନ୍ତ ନକଲି ଜିନିଷ ପ୍ରସ୍ତୁ ହେଉଥିବା ବେଳେ ଏବେ ନକଲି ତଥା ଅପମିଶ୍ରିତ ଗୁଆଘିଅ କାରଖାନା ଠାବ କରାଯାଇଛି । ନକଲି ଘିଅ କାରଖାନା ଚାଲିଥିବାର ଖବର ପାଇ ଆଜି ଅପରାହ୍ନରେ ପୁଲିସ ଜଗତପୁର ଶିଳ୍ପାଞ୍ଚଳ ଫେଜ-୨ରେ ଥିବା ଏକ କାରଖାନା ଉପରେ ଚଢଉ କରିଥିଲା ।

ସେଠାରୁ ଅପମିଶ୍ରିତ ଘିଅ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ପ୍ରାୟ ୪ଲକ୍ଷ ଟଙ୍କାର ବାଲ ଗୋପାଳ ଓ ନିର୍ମାଲ୍ୟ ବ୍ରାଣ୍ଡର ଘିଅ ସହ ପ୍ୟାକିଂ ମେସିନ,ଅପମିଶ୍ରିତ ସାମଗ୍ରୀ ଖାଲି ଡବା,ଷ୍ଟିକର,ଓଜନ କଣ୍ଟା, ଜବତ କରିଛି । ଏଥି ସହିତ କିଲିକିଆ,ଅଧକିଲିଆ ଏବଂ ୨୦୦ଗ୍ରାମ ଓଜନର ପ୍ୟାକିଂ ଘିଅ ଜବତ କରାଯାଇଛି । ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ-୨ରେ ଏକ ଦୁଇ ମହଲା ଘରେ ପ୍ରାୟ ୨ବର୍ଷ ହେଲା ଏହି ନକଲି ଘିଅ କାରଖାନା ଚାଲିଥିଲା । ଏସମ୍ପର୍କରେ ଜଗତପୁର ଥାନା ଅଧିକାରୀ ଓମପ୍ରକାଶ ମହାନ୍ତି ବିଶେଷସୂତ୍ରରୁ ଖବରପାଇ କଟକ ଜୋନ-୧ଏସିପି ଅରୁଣ କୁମାର ସ୍ୱାଇଁ,ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଓ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରାଙ୍କ ପକ୍ଷରୁ ଶିଳ୍ପାଞ୍ଚଳ ଫେଜ-୨ ସ୍ଥିତ ଅଭିଷ୍ଠିକା ଅର୍ଗାନିକ କାରଖାନା ଉପରେ ଚଢଉ କରିଥିଲେ । ଚଢଉ ସମୟରେ ବାଲ ଗୋପାଳ ଓ ନିର୍ମାଲ୍ୟ ବ୍ରଣ୍ଡ୍‌ର ଗାଇ ଚିହ୍ନ ଥିବା ନକଲି ଖାଇବା ଘିଅ ତିଆରି ହେଉଥିବା ଦେଖିବାକୁ ମିଳିଥିଲା ।

ଏଠାରେ ପ୍ରସ୍ତୁତ ନକଲି ଘିଅ ସାମଗ୍ରୀ ବାଲଗୋପାଲ ଓ ନିର୍ମାଲ୍ୟ ନାମରେ ବିକ୍ରି କରାଯାଉଥିଲା । ରୁଚି ଗୋଲ୍ଡ ବନସ୍ପତି ସହିତ ଅନ୍ୟକିଛି ରାସାୟନିକ ଦ୍ରବ୍ୟ ମିଶାଇ ଏକ ବଡ ଡିସରେ ଗରମ କରାଯାଉଥିଲା । ତା’ପରେ ଡବାରେ ପ୍ୟାକିଂ କରାଯାଇ ମାର୍କେଟକୁ ଛଡ଼ା ଯାଉଥିଲା । ବନସ୍ପତିରେ ବିଭିନ୍ନ ଏସେନ୍ସ ମିଶାଇ ତିଆରି ହେଉଥିଲା ‘ବାଲ୍‌ଗୋପାଲ୍‌’ ଖାଣ୍ଟି ଗୁଆଘିଅ ଆଉ ସେହି ଘଅକୁ ମାର୍କେଟକୁ ଛଡ଼ା ଯାଉଥିଲା । ଯାହାକୁ ଅସଲି ଘିଅ ବୋଲି ଲୋକେ ଖାଉଥିଲେ ଓ ଠାକୁରଙ୍କ ପାଖରେ ପୂଜାରେ ବ୍ୟବହାର କରୁଥିଲେ । ବାଲ ଗୋପାଳ ଓ ନିର୍ମାଣ ବ୍ରଣ୍ଡ୍ ଡବାରେ ପ୍ୟାକିଂ କରି ବଜାରକୁ କମ୍ ମୂଲ୍ୟରେ ବିକ୍ରି ନିମନ୍ତେ ମାଲକାନାଗିରି,ନବରଙ୍ଗପୁର, କେନ୍ଦ୍ରପଡା, କୋରାପୁଟ୍‌, ପଶ୍ଚିମ ଓଡିଶାକୁ ପଠାଯାଉଥିଲା ।

ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଜବତ ସାମଗ୍ରୀ ଗୁଡିକର ନମୁନା ସଂଗ୍ରହ କରିବା ପରେ ସେହି ସାମଗ୍ରୀକୁ ନକଲି ବୋଲି ଜାଣିବାକୁ ପାଇଁ ଲାବ୍ରୋଟୋରୀକୁ ପରୀକ୍ଷା ନିମନ୍ତେ ପଠାଯାଇଛି । ଅପରପକ୍ଷେ କାରଖାନା ମାଲିକ ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଜାରିରଖିଛି । ଏଥିସହ କାରଖାନାରେ ନିୟୁଟ୍ରିଲାଇଟ୍ ବ୍ରାଣ୍ଡର ସୋୟାବିନ ବଡ଼ି ଓ ଟିଲ ସୋନୀ ନାମକ ରାଶି ତେଲ ମଧ୍ୟ ପ୍ରସ୍ତୃତି କରାଯାଉଥିବା ଜଣାଯାଇଛି । ସୋୟାବିନ୍ ଓ ଟିଲ ସୋନି ରାଶିତେଲ ପ୍ରସ୍ତୁତ ହେଉଥିବା ଦର୍ଶାଇ ନକଲି ଘିଅ ତିଆରି କରି ବ୍ୟବସାୟ ଚଳାଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି । କାରଖାନା ମାଲିକ ଧରାପଡିଲେ ନିକଲି ସମନ୍ଧରେ ଅଧିକ ତଥ୍ୟ ଜଣାପଡିବ ବୋଲି ଏସିପି ଶ୍ରୀ ସ୍ୱାଇଁ କହିଛନ୍ତି । ତେବେ ବାରମ୍ବାର ଚଢଉ ସତ୍ତ୍ୱେ ଜଗତପୁର ଅଞ୍ଚଳରେ ନକଲି କାରବାର ଥମିବାର ନାଁ ଧରୁନାହିଁ । ଫଳରେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking