28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଇସ୍ରାଏଲ ଓ ଇରାନ : କାହା ପାଖରେ କେତେ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ କ୍ଷମତା?

ଇସ୍ରାଏଲ ଓ ଇରାନ : କାହା ପାଖରେ କେତେ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ କ୍ଷମତା?

ନୂଆଦିଲ୍ଲୀ: ଇରାନର ଜନସଂଖ୍ୟା ୯ କୋଟି । ଇରାନର ମୋଟ ଜିଡିପି ହେଉଛି ୪୧୩ ବିଲିୟନ ଡଲାର । ଇରାନର ପ୍ରତିରକ୍ଷା ବଜେଟ ୭.୪ ବିଲିୟନ ଡଲାର, ଯାହାକି ମୋଟ ଜିଡିପିର ପ୍ରାୟ  ୨% । ଇରାନ ହେଉଛି ବିଶ୍ୱର ୧୪ତମ ବୃହତ୍ତମ ସାମରିକ ବାହିନୀ ଏବଂ ମଧ୍ୟପ୍ରାଚ୍ୟର ସର୍ବବୃହତ ସାମରିକ ବାହିନୀ । ଇରାନ ସେନାରେ ୫,୮୦,୦୦୦ସୈନିକ ଥିବାବେଳେ ୨ଲକ୍ଷ ରିଜର୍ଭ ଫୋର୍ସ ରହିଛି । କହିବାକୁ ଗଲେ ଇରାନ ପାଖରେ ମୋଟ ସୈନିକ ସଂଖ୍ୟା ୭,୮୦,୦୦୦ ହେବ । ଇରାନର ସବୁଠାରୁ ବଡ ଶକ୍ତି ହେଉଛି ଏହାର ବାଲାଷ୍ଟିକ୍ କ୍ଷେପଣାସ୍ତ୍ର । ଆମେରିକାର ଗୁଇନ୍ଦା ନିର୍ଦ୍ଦେଶାଳୟର ଏକ ରିପୋର୍ଟ ଅନୁଯାୟୀ ସମଗ୍ର ମଧ୍ୟପ୍ରାଚ୍ୟରେ ଥିବା ଇରାନ ପାଖରେ ସବୁଠାରୁ ଅଧିକ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ରହିଛି ।

୧୯୮୦ ଦଶକରେ ପଡୋଶୀ ଇରାକ ସହ ଯୁଦ୍ଧ ସମୟରେ ଇରାନ ନିଜର କ୍ଷେପଣାସ୍ତ୍ର ପ୍ରଣାଳୀ ଉପରେ କାମ ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ଦଶନ୍ଧିରେ ସେ ଶତାଧିକ କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ରକୁ ବିକଶିତ କରିଥିଲା । ଇରାନ ପାଖରେ ‘ସେଜିଲ୍‌’ ନାମକ ଏକ କ୍ଷେପଣାସ୍ତ୍ର ରହିଛି ଯାହା ଘଣ୍ଟା ପ୍ରତି ୧୭୦ କିଲୋମିଟର ବେଗରେ ୨୫୦୦ କି.ମି ପର୍ଯ୍ୟନ୍ତ ଯାଇପାରିବ । ସେହିପରି ‘ଖେବର’ କ୍ଷେପଣାସ୍ତ୍ରର ରେଞ୍ଜ ୨୦୦୦ କି.ମି ରହିଥିବା ବେଳେ ‘ହଜ୍ କାସେମ୍‌’ ୧୪୦୦ କି.ମି ପର୍ଯ୍ୟନ୍ତ ଯାଇପାରିବ । ଏହାସହିତ ଇରାନ ପାଖରେ କେଏଚ୍‌-୫୫ ଭଳି କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟ ରହିଛି । ଯାହାର କ୍ଷମତା ପରମାଣୁ ଭଳି ହୋଇଥିବା ଦାବି କରାଯାଏ । ଇରାନ ପାଖରେ ପରମାଣୁ ଅସ୍ତ୍ର ରହିଥିବା ଦାବି କରାଯାଉଛି । କିନ୍ତୁ ଇରାନ କେବେ ବି ଏହାକୁ ଖୋଲାଖୋଲି ସ୍ୱୀକାର କରିନାହିଁ । ସେହିପରି ଇରାନ ପାଖରେ ୨୭୩ଟି ଲଢୁଆ ବିମାନ ରହିଛି ।

ଏହାବ୍ୟତୀତ ୫୦ରୁ ଅଧିକ ହେଲିକପ୍ଟର, ୨୪୦ ପରିବହନ ହେଲିକପ୍ଟର, ୧୭୮୩ଟି ଟ୍ୟାଙ୍କ, ୫୭୨ଟି ବଙ୍କର ଗାଡ ମଧ୍ୟ ରହିଛି । ଇସ୍ରାଏଲ ତୁଳନାରେ ଇରାନର ନୌସେନା ଅତ୍ୟାଧୁନିକ ନୁହେଁ । କିନ୍ତୁ ଏଥର ପାଖାପାଖି ୨୨୦ଟି ଜାହାଜ ରହିଛି ଯେତେବେଳେ କି ଇସ୍ରାଏଲ ପାଖରେ ମାତ୍ର ୬୦ଟି ଜାହାଜ ରହିଛି । ଇରାନ ଏଥର ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଗତ ବର୍ଷ ଜୁନ୍ ମାସରେ ବିଶ୍ୱ ସାମ୍ନାରେ ଉପସ୍ଥାପିତ କରାଯାଇଥିଲା । ଏହା ଶଦ୍ଦର ବେଗଠାରୁ ୫ଗୁଣ ଦ୍ରୁତ ଗତିରେ ଚାଲିଥାଏ ଏବଂ ଏହାକୁ ଅଟକାଇବା ବହୁତ କଷ୍ଟକର । ଏହାବ୍ୟତୀତ ଇରାନ ସମଗ୍ର ମଧ୍ୟପ୍ରାଚ୍ୟରେ ଡ୍ରୋନର ସବୁଠାରୁ ବଡ ଉତ୍ପାଦନକାରୀ ଦେଶ । ମୋହଜେର-୧୦ ନାମକ ଏକ ଡ୍ରୋନ୍ ରହିଛି, ଯାହା ୨୦୦୦ କି.ମି ପର୍ଯ୍ୟନ୍ତ ଯାଇପାରେ ଏବଂ ୨୦୦କେଜି ଓଜନର ଅସ୍ତ୍ରଶସ୍ତ୍ର ବହନ କରିପାରିବ ।

ଅନ୍ୟ ପକ୍ଷେ ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ଇସ୍ରାଏଲ ସେନା ବିଶ୍ୱର ୨୦ତମ ଶକ୍ତିଶାଳୀ ସେନା ଅଟେ । ଇସ୍ରାଏଲ ସେନାରେ ୧,୬୯,୫୦୦ ସକ୍ରିୟ ସୈନିକ ଏବଂ ରିଜର୍ଭ ୟୁନିଟରେ ୪,୬୫,୦୦୦ ସୈନିକ ରହିଛନ୍ତି । ଇସ୍ରାଏଲର ପ୍ରତିରକ୍ଷା ବଜେଟ ଇରାନ ଠାରୁ ୭ଗୁଣା ଅଧିକ ।  ଇସ୍ରାଏଲ ପ୍ରତିରକ୍ଷା ପ୍ରଣାଳୀ ଏବଂ ଅସ୍ତ୍ରଶସ୍ତ୍ର ପ୍ରସଙ୍ଗରେ ଆଇରନ ଡୋମ୍ ଏବଂ ଡେଭିଡ୍ସ ସ୍ଲିଙ୍ଗ ଭଳି ଏୟାର ଡିଫେନ୍ସ ସିଷ୍ଟମ୍ ରହିଛି ଯାହାକି ଇସ୍ରାଏଲ ସେନାକୁ ଅଧିକ ଶକ୍ତିଶାଳୀ କରୁଛି । ଆକାଶମାର୍ଗରେ ହିଁ କ୍ଷୁଦ୍ର ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର, ରକେଟ୍ ଓ ଡ୍ରୋନକୁ ନଷ୍ଟ କରିବା ଦିଗରେ ଇସ୍ରାଏଲର ଡିଫେନ୍ସ ସିଷ୍ଟମ୍ ବେଶ୍ ପ୍ରଭାବୀ ।

ଏତଦ୍‌ବ୍ୟତୀତ ଇସ୍ରାଏଲ ପାଖରେ ୧୨୦୦ରୁ ଅଧିକ ତୋପ, ମଲ୍ଟିପଲ ଲଞ୍ଚ ରକେଟ୍ ସିଷ୍ଟମ ଏବଂ ସ୍ମାର୍ଟ ବୋମା ଭଳି ଅସ୍ତ୍ରଶସ୍ତ୍ର ରହିଛି । ଯାହା ସଠିକ୍ ଭାବେ ଟାର୍ଗେଟକୁ ହିଟ୍ କରିବାରେ ସମର୍ଥ । ସେହିପରି ଇସ୍ରାଏଲ ସେନା ପାଖରେ ଅତି କମରେ ୨୪୧ଟି ଲଢୁଆ ବିମାନ, ୪୮ଟି ଆଟାକିଂ ହେଲିକପ୍ଟର ଏବଂ ୨୨୦୦ ଟ୍ୟାଙ୍କ୍ ରହିଛି । ଇସ୍ରାଏଲ ପାଖରେ ଅତି କମରେ ୭ଟି ଯୁଦ୍ଧ ଜାହାଜ ଏବଂ ୬ଟି ବୁଡାଜାହାଜ ରହିଛି । ଯାହା ପରମାଣୁ ଅସ୍ତ୍ର ବହନ ଏବଂ ଉତ୍‌କ୍ଷେପଣ କରିବାରେ ସକ୍ଷମ । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୁସାଦ ହେଉଛି ଇସ୍ରାଏଲର ସବୁଠାରୁ ବଡ ସାମରିକ ବାହିନୀ । ଇସ୍ରାଏଲ ପାଖରେ ଅତି କମରେ ଏକ ଡର୍ଜନ ପରମାଣୁ ଅସ୍ତ୍ର ରହିଛି । ଇସ୍ରାଏଲ ପାଖରେ ଏକ ବିଶାଳ ପ୍ରତିରକ୍ଷା ବିଶେଷଜ୍ଞ ଏବଂ ଥିଙ୍କ୍ ଟ୍ୟାଙ୍କ୍ ଟିମ୍ ରହିଛି, ଯେଉଁମାନେ ରଣନୀତି ପ୍ରସ୍ତୁତ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking