30.8 C
Bhubaneswar
Thursday, April 9, 2026
Homeଓଡିଶାବରବରା ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ୩ ଗିରଫ

ବରବରା ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ୩ ଗିରଫ

ବାଲୁଗାଁ: ବାଲୁଗାଁ ବନ ବିଭାଗ ଅଧିନସ୍ଥ ସଂରକ୍ଷିତ ବରବରା ଜଙ୍ଗଲରୁ ରବିବାର ରାତ୍ରିରେ ଏକ ଟାଟା ଏସି ଗାଡ଼ିରେ ମୂଲ୍ୟବାନ ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ବେଳେ ବନ କର୍ମଚାରୀଙ୍କ ହାତରେ ଧରାପଡ଼ିଛି। ଏହି ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା କୁମାରିପାରି ଗ୍ରାମର ବିଷ୍ଣୁ ସ୍ୱାଇଁ (୨୪), ରାଜୀବ କୁମାର ସ୍ୱାଇଁ(୩୩) ଏବଂ ଅନ୍ୟ ଜଣେ ବାଣପୁର ଥାନା ମନ୍ଦାର ଗାଁର ସାଗର ଶବର (୨୩)। ଏସିଆ ମହାଦେଶର ସର୍ବବୃହତ କୁହାଯାଉଥିବା ବରବରା ଏବଂ ଧୂଆଁନଳୀ ଜଙ୍ଗଲର ସୁରକ୍ଷା ପାଇଁ ବାଲୁଗାଁ ବନ ବିଭାଗ ଅଧିନସ୍ଥ କର୍ମଚାରୀ ଏବଂ ଓଏସ୍‌ଏସ୍‌ଏଫ୍ ବାହିନୀ ନିୟୋଜିତ ହୋଇଛନ୍ତି। ତେବେ କଡ଼ା ସୁରକ୍ଷା ସତ୍ତ୍ୱେ କାଠ ମାଫିଆମାନେ ଜଙ୍ଗଲରୁ ମୂଲ୍ୟବାନ ଶାଳ ଓ ଶାଗୁଆନ କାଠ କାଟି ଚୋରା ଚାଲାଣ କରିବାକୁ ପଛାଉନାହାନ୍ତି। ଏତେ ବଡ଼ ଜଙ୍ଗଲକୁ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ସୁରକ୍ଷା ଦେବା ସମ୍ଭବପର ହୋଇପାରୁନି। ଏପରି ସ୍ଥଳେ ରବିବାର ରାତ୍ରିରେ ବରବରା ଜଙ୍ଗଲରୁ ଏକ ଟାଟା ଏସି ଗାଡ଼ିରେ କାଠ ଚୋରା ଚାଲାଣ ହେଉଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ବାଲୁଗାଁ ରେଞ୍ଜର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଚଢ଼ଉକରି ରାତ୍ରି ପ୍ରାୟ ୮ଟାରେ ବରବରା ଗ୍ରାମ ଛକଠାରେ ଗଞ୍ଜାମ ଅଭିମୁଖେ ଚାଲାଣ ହେଉଥିବା ଓଡି ୦୭ ଏଏ ୮୮୫୪ ନମ୍ବର ବିଶିଷ୍ଟ ଟାଟା ଏସି ଗାଡ଼ିରୁ ୮ଟି ଶାଗୁଆନ୍ ଲଗ୍ ଜବତ କରିଥିଲେ ଏବଂ ଡ୍ରାଇଭର ସମେତ ୩ ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଥିଲା। ଜବତ କାଠର ଆନୁମାନିକ ମୂଲ୍ୟ ୧ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି। ବିଭାଗୀୟ କେସ୍ ନଂ- ୪/୨୪ରେ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଜବତ କାଠ ସମେତ ଗାଡ଼ିକୁ ବାଲୁଗାଁ କାର୍ଯ୍ୟାଳୟରେ ଆଣି ରଖାଯାଇଛି। ଏହି ଚଢ଼ଉରେ ବନପାଳ ପୂର୍ଣ୍ଣଚନ୍ଦ୍ର ସୋରେନ, ବନରକ୍ଷୀ ବିଶ୍ୱଜିତ ପ୍ରଧାନ, ନିହାର ରଞ୍ଜନ ପ୍ରଧାନ ଏବଂ ଓଏସ୍‌ଏସ୍‌ଏଫ୍ ବାହିନୀ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking