31.1 C
Bhubaneswar
Wednesday, April 29, 2026
Homeଓଡିଶାଭଙ୍ଗାଯିବ ଓଡ଼ିଶା ଭବନ

ଭଙ୍ଗାଯିବ ଓଡ଼ିଶା ଭବନ

ଭୁବନେଶ୍ୱର : ଦିଲ୍ଲୀ ଗସ୍ତ ସମୟରେ ରାଜ୍ୟର ବିଶିଷ୍ଟ ଓ ଅତିବିଶିଷ୍ଟ ବ୍ୟକ୍ତିଙ୍କ ରହଣି ନିମନ୍ତେ ବ୍ୟବହାର ହେଉଥିବା ଓଡ଼ିଶା ଭବନକୁ ଭଙ୍ଗାଯିବ। ଅସୁରକ୍ଷିତ ଥିବା ଦୃଷ୍ଟିରୁ ଏହି ଭବନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୧୯୮୦ ମସିହାରେ ନିର୍ମିତ ହୋଇଥିବା ଓଡ଼ିଶା ଭବନ ସହ ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ସୁରକ୍ଷା ଅଡିଟ୍‌ ୨୦୨୨ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କରାଯିବାକୁ ପ୍ରସ୍ତାବ ମିଳିଥିଲା। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଭିତ୍ତିଭୂମିର ସୁରକ୍ଷା ସଂକ୍ରାନ୍ତ ଅଡିଟ୍‌ କରାଯାଇଥିଲା। ୨୦୨୨ ଏପ୍ରିଲ୍‌ ୧୯ ତାରିଖରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଓଏସଡି ଓଡ଼ିଶା ଭବନଟି ଦୀର୍ଘସ୍ଥାୟୀ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ବୋଲି ଦର୍ଶାଇବା ସହ ଦୁଇରୁ ତିନିବର୍ଷ ମଧ୍ୟରେ ଏହାକୁ ଭଙ୍ଗ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ।
ଗତ ଅଗଷ୍ଟ ୨୬ ତାରିଖରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ରାଜ୍ୟ ସରକାରଙ୍କୁ ଓଡିଶା ଭବନକୁ ମରାମତି କରିବା ସମିଚୀନ ନୁହେଁ ଏବଂ ଏହା ଲୋକଙ୍କ ରହିବା ପାଇଁ ଅସୁରକ୍ଷିତ ବୋଲି ଅବଗତ କରିଥିଲେ। ଏହା ଉପରେ ବିଚାର କରି ଓଡିଶା ଭବନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ଯଥାଶୀଘ୍ର ଭାଙ୍ଗିବା ପାଇଁ ପୂର୍ତ୍ତ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ସେହି ସ୍ଥାନରେ ନୂଆକରି ଓଡିଶା ଭବନର ପୁନଃନିର୍ମାଣ ସଂକ୍ରାନ୍ତରେ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ। ସେହିପରି ନୂତନ ଭବନ ନିର୍ମାଣ ଶେଷ ପର୍ୟ୍ୟନ୍ତ ରାଜ୍ୟର ଅତିବିଶିଷ୍ଟ ଓ ବିଶିଷ୍ଟ ବ୍ୟକ୍ତିମାନେ ଦିଲ୍ଲୀ ଗସ୍ତ ସମୟରେ ଅଶୋକା ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇପାରେ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking