25.9 C
Bhubaneswar
Monday, April 6, 2026
Homeଓଡିଶାରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ

ଭୁବନେଶ୍ୱର (ବିପିନ୍ ସିଂ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ବିଧାନସଭାରେ ଗୃହ ବିଭାଗ ଖର୍ଚ୍ଚ ଦାବୀ ଆଲୋଚନାର ଉତ୍ତର ଦେବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମନଭରି କଟୁ ସମାଲୋଚନା କରିଥିଲେ। ହେଲେ ନବୀନ ଆଲୋଚନା ବେଳେ ଯେଉଁ ସବୁ ପ୍ରଶ୍ନ ଉଠାଇଥିଲେ ସେ ସବୁର ଉତ୍ତର ଦେଇ ନଥିଲେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ରରାନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷ କରି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ନବୀନ ଓ ତାଙ୍କ ଦଳର ବିଧାୟକମାନେ ଯେଉଁ ପ୍ରଶ୍ନ କରିଥିଲେ ସେ ବିଷୟରେ ମୁହଁ ଖୋଲି ନଥିଲେ ମୁଖ୍ୟମନ୍ତ୍ରୀ।

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଗତମାସ ୨୦ରୁ ଆରମ୍ଭ ହୋଇଥିଲେ ବି ବିରୋଧୀ ଦଳ ନେତା ହିସାବରେ ନବୀନ ପଟ୍ଟନାୟକ ଗୃହକୁ ଆସୁ ନଥିଲେ। ଏହାକୁ ନେଇ ବହୁ ସମାଲୋଚନା ମଧ୍ୟ ହେଉଥିଲା। ଶନିବାର ଘରୋଇ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଆଶା କରାଯାଉଥିଲା ସେ ଗୃହକୁ ଆସିବେ। ପ୍ରଥମେ ବିଭାଗ ଉପରେ ଆଲୋଚନା ଆରମ୍ଭ କରି ତାଙ୍କ ମତ ରଖିବେ। କିନ୍ତୁ ତାହା ଦେଖା ଯାଇନଥିଲା। ଫଳରେ ବିଜେପି ବିଧାୟକମାନେ ଆଲୋଚନା ସମୟରେ ନବୀନଙ୍କ ଅନୁପସ୍ଥିତିକୁ କଡ଼ା ସମାଲୋଚନା କରିଥିଲେ। ଏଥିସହ ଗୃହକୁ ଆସିବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ନବୀନ ଗୃହକୁ ଆସିଥିଲେ ଓ ତାଙ୍କ ମତ ରଖିଥିଲେ। ମାତ୍ର ୮ରୁ ୧୦ ମିନିଟ୍ ପାଇଁ ଗୃହକୁ ଆସିଥିଲେ। ଏଥିରେ ୫ମିନିଟ୍ ମଧ୍ୟରେ ଗୃହ ବିଭାଗ ଉପରେ ତାଙ୍କର ମତ ରଖି ଚାଲି ଯାଇଥିଲେ। ବର୍ତ୍ତମାନର ବିଜେପି ସରକାର କ୍ଷମତାକୁ ଆସିବା ପରେ କ’ଣ ସବୁ ପ୍ରମୁଖ ଆଇନ୍ ଶୃଙ୍ଖଳା ପରିସ୍ଥିତି ଘଟିଛି ସେ ବିଷୟରେ ଉଲ୍ଲେଖ କରି ମୋହନ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏଥିରେ ସରକାର ଆସିବା କ୍ଷଣି ବାଲେଶ୍ୱରରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଘଟଣାରୁ ସେ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ରଥଯାତ୍ରା ସମୟରେ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ରଙ୍କୁ ସେବକମାନେ ତଳେ ପକାଇ ଦେବା ଘଟଣା, ଖୋର୍ଦ୍ଧାରେ ଘଟିଥିବା ହିଂସା, ମଦ ମୃତ୍ୟୁ, ନାବାଳିକା ବଳାତ୍କାର ସହ ସେ ଅଧିକ ଗୁରୁତ୍ୱ ଦେଇଥିଲେ ରାଜ୍ୟପାଳଙ୍କ ପୁଅ ଘଟଣା ଉପରେ। ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ପୁରୀ ରାଜଭବନରେ ମାଡ଼ ମାରିବା ଘଟଣାରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ନବୀନ କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟପାଳଙ୍କ ପୁଅ କ’ଣ ଆଇନ୍‌ରେ ଉର୍ଦ୍ଧ୍ୱରେ ବୋଲି ପ୍ରଶ୍ନ କରିଥିଲେ। କେଉଁମାନେ ଆଇନ୍‌ରୁ ବଡ଼ ସେ ନେଇ ସରକାର ଲୋକଙ୍କୁ ଜଣାନ୍ତୁ ଏକଥା ମଧ୍ୟ କହିଥିଲେ। ଏବଂ ଏହାର ଜବାବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାଗିଥିଲେ।

ମୁଖ୍ୟମନ୍ତ୍ରୀ ମାଝୀ ଆଲୋଚନା ଶେଷରେ ଦୀର୍ଘ ସମୟ ଧରି ତାଙ୍କ ଉତ୍ତର ରଖିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ଥ ହୋଇପଡ଼ିଥିଲା ଏବଂ ଅପରାଧୀମାନଙ୍କୁ କିପରି ରାଜେନୈତିକ ପ୍ରୋତ୍ସାହନ ମିଳୁଥିଲା ସେ ବିଷୟରେ ବର୍ଣ୍ଣନା କରି କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ। ସେତେବେଳେ ଅଧିକାରୀମାନେ କିଭଳି ଭାବରେ ମନ ଇଚ୍ଛା କାର୍ଯ୍ୟ କରୁଥିଲେ ଓ ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନଥିଲା ତାହା ବର୍ଣ୍ଣନା କରିଥିଲେ। ଲୋକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ବି ବୁଝୁ ନଥିଲେ କି ଲୋକଙ୍କ ପାଖକୁ ଯାଉ ନଥିଲେ। ରାଜନୈତିକ ଛତ୍ରଛାୟା ତଳେ ରହି ଅପରାଧୀମାନେ ନାନା ଅଘଟଣ ଘଟାଉଥିଲେ ବୋଲି କହିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ବେଳେ ନବୀନ ଗୃହରେ ଉପସ୍ଥିତ ରହି ନଥିଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ନବୀନଙ୍କ ବିରୋଧରେ ପୋଷଣ କରିଥିଲେ। ପ୍ରଶ୍ନ ପଚାରୀ ଏହାର ଉତ୍ତର ମାଗି ନବୀନ ଉତ୍ତର ପାଇଁ ଅପେକ୍ଷା ନକରି ଚାଲିଯିବା ଘଟଣାକୁ ସେ ଗୁରୁତର ସହ ନେଇଥିଲେ। ସମାଲୋଚନା କରି କହିଥିଲେ ନବୀନ ଦଳୀୟ କାର୍ଯ୍ୟାଳୟକୁ ଘନ ଘନ ଯାଇ ସେଠାରେ ବହୁ ସମୟ ଧରି ଆଲୋଚନା କରୁଛନ୍ତି। ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି। ହେଲେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସମସ୍ୟା ନେଇ ବିଧାନସଭାରେ ଆଲୋଚନା ଚାଲିଥିବା ବେଳେ ଉପସ୍ଥିତ ନ ରହି ଚାଲିଗଲେ। ଏଥିରୁ ତାଙ୍କର ଲୋକଙ୍କ ପ୍ରତି ଥିବା ଅନୁରକ୍ତି ଓ ଆବେଗ ବିଷୟରେ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଥିଲେ।

ଏହା ସତ୍ତ୍ୱେ ନବୀନ ଉଠାଇଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ରଖିଥିଲେ। ବାଲେଶ୍ୱରର ସାମ୍ପ୍ରଦାୟିକ ହିଂସା, ଖୋର୍ଦ୍ଧା ହତ୍ୟା ଘଟଣା, ନାବାଳିକା ବଳାତ୍କାର ଘଟଣାର ଉତ୍ତର ରଖିଲା ବେଳେ ଗତ ସରକାର ସମୟରେ ଘଟିଥିବା ଘଟଣା ଉପରେ ଆଲୋକପାତ କରିଥିଲେ। ଏଥିସହ ପାଲଟା ଆକ୍ରମଣ କରିବାକୁ ପଛାଇ ନଥିଲେ। ମାତ୍ର ଯେଉଁ ମୁଖ୍ୟ ପ୍ରସଙ୍ଗ ନେଇ ନବୀନ ଓ ତାଙ୍କ ଦଳର ବିଧାୟକମାନେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ପ୍ରଶ୍ନ କରି ଥିଲେ ତାହା ଉପରେ କୌଣସି ମତ ରଖି ନଥିଲେ ମୁଖ୍ୟମନ୍ତ୍ରୀ। ଏଠି କୁହାଯାଉଛି ନବୀନ ଗୃହରେ ଉପସ୍ଥିତ ନଥିବାରୁ ଏବଂ ତାଙ୍କ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଯଦି ଚାହିଥାନ୍ତେ ତେବେ କୌଣସି ଉତ୍ତର ନ ଦେଇଥିଲେ ତାହା ଭିନ୍ନ କଥା ହୋଇ ଥାଆନ୍ତା। ଯେତେବେଳେ ଉତ୍ତର ରଖିଲେ ସେତେବେଳେ ସବୁର ଉତ୍ତର ଦେବା କଥା। କାରଣ ଗୃହରେ କିଏ ଉପସ୍ଥିତ ଥାଆନ୍ତୁ କିଏ ନଥାଆନ୍ତୁ ରେକର୍ଡ ପାଇଁ ଏବଂ ପରବର୍ତ୍ତୀ ସମୟରେ ଆଉ ଯେପରି କେହି ଆଙ୍ଗୁଳି ନଦେଖାଇବେ ସେଥିପାଇଁ ଉତ୍ତର ରଖାଯିବା କଥା ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି। ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ମତ ଏଯାଏଁ ସ୍ପଷ୍ଟ ହୋଇ ନାହିଁ କିମ୍ବା ପଦାକୁ ଆସି ନାହିଁ। ଏପରିକି ଯେଉଁ ତଦନ୍ତ ଆଦେଶ ଦିଆଯାଇଥିଲା ତାହାର ଫଲାଫଳ କ’ଣ ହେଲା ସେ ବିଷୟରେ ହିଁ ଲୋକେ ଜାଣି ପାରିଲେ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶୁଣିବା ପାଇଁ ଯେଉଁ ଆଶା ଥିଲା ସେଥିରେ ନିରାଶ ହେବାକୁ ପଡ଼ିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking