ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ବ୍ୟାଟର୍ ୱିଲ୍ ପୁକୋଭସ୍କି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତିକ୍ରମେ ୨୬ ବର୍ଷ ବୟସରେ କ୍ରିକେଟ୍ରୁ ସନ୍ନ୍ୟାସ ନେଇଛନ୍ତି। ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟ୍ କ୍ୟାରିୟର୍ରେ ବ୍ୟାଟିଂ ବେଳେ ତାଙ୍କ ମୁଣ୍ଡରେ ବହୁବାର ଆଘାତ ଲାଗିଥିଲା। ଏହି କାରଣରୁ ତାଙ୍କୁ କମ୍ ବୟସରେ ଅବସର ନେବାକୁ ପଡ଼ିଛି। ଅଷ୍ଟ୍ରେଲିଆ କ୍ରିକେଟ୍ର ଭବିଷ୍ୟତ କୁହାଯାଉଥିବା ଏହି ଯୁବ ବ୍ୟାଟର୍ଙ୍କୁ ଡେଭିଡ୍ ୱାର୍ଣ୍ଣର୍ଙ୍କ ସନ୍ନ୍ୟାସ ପରେ ଟିମ୍ରେ ସ୍ଥାନ ମିଳିବା ସମ୍ଭାବନା ରହିଥିଲା। ତେବେ ଦୁହେଁ ଏବେ ରିଟାୟର୍ ହୋଇଯାଇଛନ୍ତି। ପୁକୋଭସ୍କି ଅଷ୍ଟ୍ରେଲିଆ ପକ୍ଷରୁ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଭାରତ ବିପକ୍ଷରେ ସିଡ୍ନୀରେ ଖେଳିଥିଲେ। ଏହି ମ୍ୟାଚ୍ରେ ୭୨ ରନ୍ କରିଥିବା ପୁକୋଭସ୍କିଙ୍କ ମୁଣ୍ଡରେ ମଧ୍ୟ ବଲ୍ ବାଜିଥିଲା। ଭାରତ ବିପକ୍ଷରେ ଆହତ ହେବାପରେ ପୁକୋଭକ୍ସି ଘରୋଇ କ୍ରିକେଟ୍ରେ ମଧ୍ୟ ବହୁବାର ଆହତ ହୋଇଥିଲେ। ଅଧିକାଂଶ ଥର ବ୍ୟାଟିଂ ବେଳେ ତାଙ୍କ ମୁଣ୍ଡରେ ବଲ୍ ବାଜିଥିଲେ। ଫଳରେ କନ୍କସନ୍ କାରଣରୁ ସେ ଚର୍ଚ୍ଚିତ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ପୁକୋଭସ୍କି ଘରୋଇ କ୍ରିକେଟ୍ରେ ଭିକ୍ଟୋରିଆ ପକ୍ଷରୁ ୩୬ ପ୍ରଥମ ଶ୍ରେଣୀ ଏବଂ ୧୪ ଲିଷ୍ଟ୍-ଏ ମ୍ୟାଚ୍ ଖେଳିଛନ୍ତି। ଏଥିରେ ତାଙ୍କ ନାମରେ ୮ ଶତକ ଏବଂ ୧୧ ଅର୍ଦ୍ଧଶତକ ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ସେ ଶେଷଥର ପାଇଁ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ।










