21.1 C
Bhubaneswar
Wednesday, February 11, 2026
Homeଓଡିଶାଶ୍ରୀମନ୍ଦିର ପାଇଁ ୩୮୬ କୋଟିର ବଜେଟ୍‌‌

ଶ୍ରୀମନ୍ଦିର ପାଇଁ ୩୮୬ କୋଟିର ବଜେଟ୍‌‌

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଗୁରୁବାର ଅର୍ଥ ସବ୍‌‌-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ରହିଥିଲା ଶ୍ରୀମନ୍ଦିର ବଜେଟ୍‌‌। ଏ ବର୍ଷ ନିର୍ବାଚନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌‌ ବିଳମ୍ବ ହୋଇଥିଲା। ତେବେ ଅର୍ଥ ସବ୍‌‌-କମିଟିରେ ଶ୍ରୀମନ୍ଦିର ପାଇଁ ମୋଟ ୩୮୬ କୋଟିର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ବୈଠକରେ ଆୟବ୍ୟୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ତେବେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ପ୍ରସ୍ତୁତ ବଜେଟ୍‌‌ ଆଗତ କରାଯିବ। ଆଲୋଚନା ପରେ ଶ୍ରୀମନ୍ଦିରର ଚୂଡ଼ାନ୍ତ ବଜେଟ୍‌‌ କରାଯାଇ ପରିଚାଳନା କମିଟି ଅନୁମୋଦନ ଦେବ। ତେଣୁ ଉପରୋକ୍ତ ବଜେଟ୍‌‌ରେ ପରିବର୍ତ୍ତନ ହୋଇପାରେ। ସେହିପରି ଶ୍ରୀମନ୍ଦିରର ଆୟବୃଦ୍ଧି ପାଇଁ ଅର୍ଥ ସବ୍‌‌-କମିଟି ବୈଠକରେ ଆଲୋଚନା ହୋଇଛି। ଆଗାମୀ ଦିନରେ ଭକ୍ତମାନେ ଯେଭଳି ଗୋଲ୍ଡ ବଣ୍ଡ୍‌‌ କିଣିପାରିବେ, ସେନେଇ ବ୍ୟବସ୍ଥା ପାଇଁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ବିଭିନ୍ନ ପର୍ବପର୍ବାଣି ଦିନରେ ମହାପ୍ରଭୁ ଯେଉଁ ବେଶ ହେଉଛନ୍ତି ଏବଂ ସେଥିରେ ଲାଗୁଥିବା ସୁନା ଅଳଙ୍କାର ମଧ୍ୟରୁ କେତେକ ଭାଙ୍ଗିଗଲାଣି। ଦୀର୍ଘବର୍ଷ ହେବ ଏହା ମରାମତି ହୋଇନାହିଁ। ଫଳରେ ଅସୁନ୍ଦର ଦେଖାଯାଉଛି। ତେଣୁ ଆଉ ଗୋଟିଏ ସୁବର୍ଣ୍ଣ ଅଳଙ୍କାର ସେଟ୍‌‌ ତିଆରି ପାଇଁ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ। ଏହା ଉପରେ ଆଲୋଚନା କରାଯାଇ ପରିଚାଳନା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ରତ୍ନଭଣ୍ଡାର ମୁଖ୍ୟ ଦ୍ୱାର ରୁପା ଛାଉଣି କରିବା, ପ୍ରତି ଜିଲ୍ଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ସୂଚନା କେନ୍ଦ୍ର ସ୍ଥାପନ କରାଯିବ ତା’ ଉପରେ ଆଲୋଚନା କରାଯାଇଛି। ଏ ପ୍ରସଙ୍ଗ ମଧ୍ୟ ପରିଚାଳନା କମିଟିରେ ଉପସ୍ଥାପନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking