ଆନ୍ଧ୍ରପ୍ରଦେଶ : ଟ୍ରକ୍ ସହ ପିଟି ହେଲା କାର୍। ଘଟଣାସ୍ଥଳରେ ଚାଲିଗଲା ୫ ଜଣଙ୍କ ଜୀବନ। ଆନ୍ଧ୍ରପ୍ରଦେଶରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି ଜାତୀୟ ରାଜପଥର ଗୁଭାଲଚେରୁଭୁ ଘାଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। କୁଡାପ୍ପା ଠାରୁ ଗୁଭାଲଚେରୁଭୁକୁ ଯାଉଥିବା ଏକ କାର ସହିତ ଏକ କଣ୍ଟେନର ଟ୍ରକ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ କଣ୍ଟେନର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କାରରେ ଥିବା ଲୋକମାନେ ନିଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।










