ଜମ୍ମୁକଶ୍ମୀର: ପାଖେଇ ଆସିଲାଣି ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ। ପ୍ରଥମ କରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ଉପତ୍ୟକାରେ ପଡିବାକୁ ଯାଉଛି ଭୋଟ୍। ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ଏହି ତାଲିକାରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରହିଛି।
ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ତେବେ ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ବାଦ୍ ପଡିଛନ୍ତି। ୨୦୧୪ରେ ନିର୍ମଳ ସିଂହ ବିଲାୱର ବିଧାନସଭା ଆସନରୁ ଜିତିଥିଲେ। ଏଥିସହ ପୂର୍ବତନ ଡେପୁଟି ସିଏମ କବିନ୍ଦର ଗୁପ୍ତାଙ୍କୁ ମଧ୍ୟ ଟିକେଟ ମିଳିନାହିଁ। ତେବେ ପରବର୍ତ୍ତୀ ତାଲିକାରେ କବିନ୍ଦର ଗୁପ୍ତାଙ୍କ ନାମ ଘୋଷଣା କରାଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ସେହିପରି ଏହି ତାଲିକାରେ ରାଜ୍ୟ ବିଜେପି ସଭାପତି ରବିନ୍ଦ୍ର ରାଇନାଙ୍କ ନାମ ମଧ୍ୟ ଘୋଷଣା କରାଯାଇ ନାହିଁ।
ବିଧାନସଭା ନିର୍ବାଚନ ପାଇଁ ପ୍ରକାଶିତ ତାଲିକା ଅନୁଯାୟୀ, ରାଜପୋରାରୁ ଅର୍ଶିଦ ଭଟ୍ଟ, ଶୋପିଆନରୁ ଜାଭେଦ ଅହମ୍ମଦ କାଦ୍ରି, ମୋହମ୍ମଦ ରଫିକ ୱାନି ଅନନ୍ତନାଗ ୱେଷ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନନ୍ତନାଗରୁ ନିର୍ବାଚନ ଲଢିବା ପାଇଁ ଆଡଭୋକେଟ ସୟଦ ୱାଜାହାଟଙ୍କୁ ଟିକେଟ ଦିଆଯାଇଛି। କିସ୍ତଓ୍ବାଡରୁ ଶାଗୁନ ପରିହାର ଏବଂ ଦୋଡା ଠାରୁ ଗଜୟ ସିଂ ରାଣା। କୁଲଦୀପ ରାଜ ଦୁବେ ରିୟାସିରୁ, ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଠାରୁ ରୋହିତ ଦୁବେ ଏବଂ ପୁଞ୍ଚ ହାଭେଲିର ଚୌଧୁରୀ ଅବଦୁଲ ଘାନି ପ୍ରତିଯୋଗିତା କରିବେ। ପୱନ ଗୁପ୍ତା ଉଧମପୁର ପଶ୍ଚିମରୁ, ରାମଗଡ(ଏସ୍ସି)ରୁ ଦେବନ୍ଦର କୁମାର ମାନିଆଲ ଏବଂ ଅଖନୁରରୁ ମୋହନ ଲାଲ ଭଗତ ପ୍ରତିଯୋଗିତା କରିବାକୁ ଯାଉଛନ୍ତି।
ସେପ୍ଟେମ୍ବର-ଅକ୍ଟୋବରରେ ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିରେ ପ୍ରଥମ ପର୍ଯ୍ୟାୟ ପାଇଁ ୧୮ ସେପ୍ଟେମ୍ବରରେ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୫ ସେପ୍ଟେମ୍ବରରେ ଏବଂ ତୃତୀୟ ପର୍ଯ୍ୟାୟରେ ପ୍ରଥମ ଅକ୍ଟୋବରରେ ଭୋଟିଂ କରାଯିବ।










