ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଓଡ଼ିଆ ଦମ୍ପତିଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ସମ୍ବାଦ ହସ୍ତଗତ ହୋଇଛି। ଓଡ଼ିଆ ଦମ୍ପତି ନିଜ ୭ମାସର ପିଲା ସହ କାର୍ରେ କେଉଁଆଡେ ଯାଉଥିବା ବେଳେ ସେମାନଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି। ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଦମ୍ପତି ଆକ୍ରମଣକାରୀକୁ କାର୍ ଭିତରେ ନବଜାତକ ଶିଶୁ ଥିବା କହି ବାରମ୍ବାର ନେହୁରା ହେଉଥିଲେ ମଧ୍ୟ ଅଭିଯୁକ୍ତ କିଛି ନଶୁଣି ଭଙ୍ଗାରୁଜା କରୁଥିବାର ଦେଖିବାକୁ ମିଳୁଛି। ଓଡ଼ିଆ ଦମ୍ପତିଙ୍କ କାର ବିନା ଇଣ୍ଡିକେଟରରେ ବାମ ପାର୍ଶ୍ୱକୁ ମୋଡ଼ିବାରୁ ପଛରୁ ବାଇକ୍ରେ ଆସୁଥିବା ଅଭିଯୁକ୍ତ ସେମାନଙ୍କ ସହ ଏପରି ଅଘଟଣ ଘଟାଇଛି। ପ୍ରକାଶ, ସୋମବାର ବିଳମ୍ବିତ ରାତିରେ ସରଜାପୁର ରୋଡ ସ୍ଥିତ ଡୋଡାକାନ୍ନାଲି ନିକଟରେ ଏହି ଅଘଟଣ ଘଟିଛି। ଓଡ଼ିଆ ଦମ୍ପତିଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଜଣକ ଘଟଣା ସମୟରେ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଛି। ସେ ପେଶାରେ ଜଣେ ବାଉନସର ବୋଲି ମଧ୍ୟ ପୁଲିସ୍ ଜାଣିବାକୁ ପାଇଛି। ତେବେ ଏହି ଘଟଣାରେ ଦମ୍ପତିଙ୍କ ସହ ସେମାନଙ୍କ ୭ ମାସର ଛୁଆଟି ମଧ୍ୟ ଆହତ ହୋଇଛି। ତେବେ ପୁଲିସ୍ରେ ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଙ୍ଗାଲୁରୁ ପୁଲିସ୍ କହିଛି।










