କୋଲକାତା: ଆରଜି କର ମେଡିକାଲ କଲେଜର ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀ (ଟ୍ରେନି ଡାକ୍ତର)ଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନ ଜାରି ରହିଛି । କୋଲକାତାରେ କିନ୍ତୁ ସ୍ଥିତି ଅତ୍ୟନ୍ତ ଚରମସ୍ତରରେ ରହିଛି । କୋଲକାତା ସହର ଓ ଉକ୍ତ ମେଡିକାଲ କଲେଜ ଆଖପାଖ ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ନିୟମିତ ବିକ୍ଷୋଭ କରାଯାଉଥିବାବେଳେ ଏହାକୁ ରୋକିବା ଲାଗି କୋଲକାତା ପୁଲିସ ଗତକାଲି ଠାରୁ କେତେକ କଟକଣା ଜାରି କରିଛି । କଟକଣା ଅନୁଯାୟୀ ଆରଜି କର ମେଡିକାଲ କଲେଜ ପରିସର ଓ ଏହାର ଆଖପାଖ ଅଞ୍ଚଳରେ କଲକାତା କମିସନରେଟ୍ ପୁଲିସ ୭ଦିନ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ୧୬୩ ଧାରା (ପୂର୍ବରୁ ଯାହା ସିଆରପିସିର ୧୪୪ ଧାରା) ଜାରି କରିଛି । ବିଏନ୍ଏସ୍ଏସ୍ର ୧୬୩ ଧାରା ଅନୁଯାୟୀ ମେଡିକାଲ କଲେଜ ଆଖପାଖରେ କୌଣସି ପ୍ରକାର ଶୋଭାଯାତ୍ରା, ବୈଠକ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବ ନାହିଁ । ଏପରିକି କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।










