ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୨ହଜାର ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତହିଁରୁ ଚଉଠେ କେବଳ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହାପଛକୁ ସୁନ୍ଦରଗଡ଼, ରାଉରକେଲା ସହର, ବଲାଙ୍ଗୀର ଓ କଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ରହିଛି। ଗତ କିଛିବର୍ଷ ହେବ ଭୁବନେଶ୍ୱର ସମେତ ରାଜ୍ୟରେ ଡେଙ୍ଗୁ ଲୋକଙ୍କୁ କଲବଲ କରୁଛି। ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼଼ିପାରେ ବୋଲି ଆଶଙ୍କା କରାଯାଉଛି। ଲୁମ୍ବିନୀବିହାର ବ୍ୟତୀତ ରାଜାଧାନୀର ନୀଳାଦ୍ରୀ ବିହାର, ନୂଆପଲ୍ଲୀ, ସାଲିଆ ସାହି, ଖଣ୍ଡଗିରି, ସହିଦନଗର, ଭୀମଟାଙ୍ଗୀ ଆଦି ଅଞ୍ଚଳରୁ ଅଧିକାଂଶ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଡେଙ୍ଗୁର ମୁକାବିଲା ପାଇଁ ସବୁ ଜିଲ୍ଲାକୁ ଏସ୍ଓପି ଜାରି କରାଯାଇଛି। ଡେଙ୍ଗୁ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁକାବିଲା ପାଇଁ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଡେଙ୍ଗୁ ସଂକ୍ରମଣ ରୋକିବାକୁ ହେଲେ ଲୋକଙ୍କ ଭିତରେ ସଚେତନତା ବୃଦ୍ଧି କରିବାକୁ ପଡ଼ିବ। ଲୋକମାନେ ନିଜେ ସଚେତନ ହେଲେ ଏହା ବ୍ୟାପିବାରେ ବ୍ରେକ୍ ଲାଗିପାରିବ। ପୂର୍ବାପେକ୍ଷ ଏବେ ଅଧିକ ନମୁନା ପରୀକ୍ଷା କରାଯାଉଛି। ତେଣୁ ଭୟଭୀତ ନ ହୋଇ ସଚେତନ ରହିବାକୁ ସେ ନିବେଦନ କରିଛନ୍ତି।










