ଜୟପୁର: ଶନିବାରଠାରୁ ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ୨୦ ଜଣଙ୍କର ପ୍ରାଣହାନି ଘଟିଛି। ବର୍ଷା ଯୋଗୁଁ ଜୟପୁର, କରାଉଲି, ସଓନ୍ବାଇ ମାଧୋପୁର ଏବଂ ଦୌସା ଭଳି ଜିଲାର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଏହି ଜିଲାଗୁଡିକରେ ସୋମବାର ସବୁ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ସତର୍କତା ଜାରି କରାଯାଇଛି। ବର୍ଷା ଯୋଗୁଁ ଜୟପୁର ନିକଟସ୍ଥ କାନୋଟା ଡ୍ୟାମରେ ବୁଡି ଯାଇ ୫ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଭରତପୁର ଜିଲାର ଶ୍ରୀନଗର ଗ୍ରାମରେ ବାଣଗଙ୍ଗା ନଦୀରେ ବୁଡି ୭ ଜଣ ବାଳକଙ୍କର ମୃତ୍ୟୁ ଘଟିଛି। ଜୟପୁର ଗ୍ରାମାଞ୍ଚଳରେ ମାଶି ନଦୀରେ ଏକ ବାଇକ୍ ଭାସିଯିବାରୁ ୨ ଜଣ ଆରୋହୀ ପ୍ରାଣ ହରାଇଛନ୍ତି। ଡୁଡୁ ସହରରେ ଦୁଇ ଜଣ ବ୍ୟକ୍ତି ନାଳରେ ପଡିଯାଇ ପ୍ରାଣ ହରାଇଥିବାବେଳେ ବିୱାର ଗ୍ରାମରେ ପୋଖରୀରେ ଗାଧୋଉଥିବାବେଳେ ୨ ଜଣ ବୁଡିଯାଇଛନ୍ତି। କେକ୍ରିଠାରେ ଜଣେ ବ୍ୟକ୍ତି ବନ୍ୟାଜଳରେ ଭାସିଯାଇଥିବାବେଳେ କରାଉଲିରେ ଘର ଭୁଶୁଡି ବାପପୁଅ ପ୍ରାଣ ହରାଇଛନ୍ତି। ବାରାପୁରା ଗ୍ରାମରେ ଜଣେ ୧୨ ବର୍ଷର ବାଳିକା ଏବଂ ଜଣେ ନର୍ସିଂ ଛାତ୍ର ବୁଡିଯାଇ ପ୍ରାଣ ହରାଇଛନ୍ତି। ରବିବାର ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ୩ ଜଣ ପ୍ରାଣ ହରାଇଥିବାବେଳେ ଜଣେ ନିଖୋଜ ଥିବା ଜଣାପଡିଛି।










