ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ ନଟବର ସିଂହଙ୍କର ଗତରାତିରେ ପରଲୋକ ଘଟିଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। କିଛି ସପ୍ତାହ ହେବ ସେ ଅସୁସ୍ଥ ଥିଲେ ଏବଂ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନଟବରଙ୍କ ପୁଅ ଜଗତ ସିଂହ ଏବଂ ପତ୍ନୀ ହେମିନ୍ଦର କୁମାରୀ ସିଂହ ଅଛନ୍ତି। ଖ୍ୟତନାମା କୂଟନୀତିଜ୍ଞ ନଟବର ସିଂହ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ରାଜୀବ ଗାନ୍ଧୀ ସରକାରରେ ସେ ୧୯୮୫-୮୬ ପର୍ଯ୍ୟନ୍ତ କେନ୍ଦ୍ର ଇସ୍ପାତ, ଖଣି ଓ କୋଇଲା ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ୧୯୮୬-୮୯ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ନଟବର ୧୯୮୪ ମସିହାରେ ଭାରତୀୟ ବୈଦେଶିକ ସେବାରୁ ଓହରିବା ପରେ ସେ ଭରତପୁର (ରାଜସ୍ଥାନ)ରୁ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ। ୧୯୫୩ରେ ୨୨ ବର୍ଷ ବୟସରେ ସେ ଆଇଏଫ୍ଏସରେ ଯୋଗ ଦେବା ପରେ ବ୍ରିଟେନରେ ଭାରତର ଡେପୁଟି ହାଇକମିସନର (୧୯୭୩-୭୭) ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୭୭ରେ ଜାମ୍ବିଆରେ ଭାରତର ହାଇକମିସନର ହୋଇଥିଲେ । ସେ ୧୯୮୦-୮୨ ପର୍ଯ୍ୟନ୍ତ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଅଧିକ ଅଧ୍ୟୟନ ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ ପରେ ଚୀନ୍ର ବେଜିଂ ବିଶ୍ୱବିଦ୍ୟାଳୟକୁ ଯିବା ପୂର୍ବରୁ ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ଇତିହାସ ଅଧ୍ୟୟନ କରିଥିଲେ। ୧୯୮୩ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ଶିଖର ସମ୍ମିଳନୀର ପ୍ରସ୍ତୁତି କମିଟିର ମୁଖ୍ୟ ଭାବରେ କାର୍ଯ୍ୟ କରିବା ପରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।










