ଜୟପୁର: ରାଜଧାନୀ ନୂଆଦିଲ୍ଲୀରେ ଏକ କୋଚିଂ ସେଣ୍ଟରର ବେସ୍ମେଣ୍ଟରେ ବନ୍ୟାଜଳ ପଶିଯିବାରୁ ୩ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଦେଶବ୍ୟାପୀ ଆକ୍ରୋଶ ଥମିନଥିବା ବେଳେ ରାଜସ୍ଥାନରୁ ମଧ୍ୟ ସମାନ ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ରାଜସ୍ଥାନର ଜୟପୁର ବିଶ୍ୱକର୍ମା ଅଞ୍ଚଳରେ ଥିବା ଏକ ବହୁତଳ ବିଲ୍ଡିଂର ବେସ୍ମେଣ୍ଟରେ ବନ୍ୟା ପାଣି ପଶି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁକନ୍ୟା ରହିଥିବା କୁହାଯାଉଛି । ପ୍ରବଳ ବର୍ଷା ପରେ ଜୟପୁରର କିଛି ତଳିଆ ଅଞ୍ଚଳରେ ପାଣି ପଶିଯାଇଥିଲା । ଏହି ସମୟରେ ବିଶ୍ୱକର୍ମା ଅଞ୍ଚଳର ଏକ ବିଲ୍ଡିଂର ବେସ୍ମେଣ୍ଟରେ ବସିଥିବା ସମୟରେ ତିନି ଜଣ ପାଣିରେ ବୁଡ଼ିଯାଇଥିଲେ । ଏତେ ମାତ୍ରାରେ ପାଣି ଥିଲା ଯେ, ଉଦ୍ଧାରକାରୀ ଟିମ୍ ୭ଘଣ୍ଟା ପରେ ସେମାନଙ୍କ ମୃତଦେହ ଉଦ୍ଧାର କରିପାରିଥିଲେ । ରାଜସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇ ଥିବାବେଳେ ପୂର୍ବାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।