ମାଲକାନଗିରି: ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ପାଳିବେ ସହିଦ ଦିବସ । ଏନେଇ ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ପୁଲିସ ତରଫରୁ ଜୋରଦାର କମ୍ବିଂ ସହ ସର୍ଚ୍ଚ ଅପରେସନକୁ ବଢାଇ ଦିଆଯାଇଛି । ସୀମାକୁ ସିଲ କରିଦେବା ସହ ଜିଲ୍ଲାରେ ହାଇଆଲର୍ଟ ଚାଲି କରାଯାଇଛି । କୌଣସି ଅଜଣା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଯାଞ୍ଚ କରାଯିବା ସହ ଯାନବାହାନକୁ ମଧ୍ୟ ଯାଞ୍ଚ କରାଯାଉଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ସଜାଗ ରହିଛି ।ଗୁଇନ୍ଦା ବିଭାଗକୁ ମଧ୍ୟ ସତର୍କ କରାଯାଇଛି । ନକ୍ସଲଙ୍କ ଗତିବିଧି ସଂପର୍କରେ ତୁରନ୍ତ ଖବର ଦେବା ମାତ୍ରେ ପୁଲିସ ଏବଂ ବିଏସଏଫ ଚଡାଉ କରିବ ବୋଲି ପ୍ରସ୍ତୁତ ରହିଛନ୍ତି ।
ତେବେ ସହିଦ ଦିବସରେ ନକ୍ସଲ ହିଂସାତ୍ମକ ହୋଇପଡ଼ନ୍ତି । ପୁଲିସକୁ ଟାର୍ଗେଟ କରିବା ସହ ଗାଁରେ ପୁଲିସ ଇନଫର୍ମରମାନଙ୍କୁ ମଧ୍ୟ ନକ୍ସଲ ହତ୍ୟା କରନ୍ତି । ସହିଦ ଦିବସରେ ସହିଦସ୍ତମ୍ଭ ନିକଟରେ ନାଚଗୀତ ସହ ଲୋକଙ୍କୁ ନିଜର ପରାକ୍ରମ ସଂପର୍କରେ ବଖାଣିଥାନ୍ତି । ନକ୍ସଲ ଲୋକଙ୍କୁ କିପରି ସେମାନଙ୍କର ଜଳ,ଜଂଗଲ ଓ ଜମିକୁ ରକ୍ଷା କରୁଛନ୍ତି ସେନେଇ ବୁଝାଇଥାନ୍ତି । ତେବେ ପୁଲିସ ତରଫରୁ ସୀମାନ୍ତରେ ରହିଥିବା ସହିଦସ୍ତମ୍ଭଗୁଡିକକୁ ଧ୍ୱଂସ କରିବା ସହ ଲୋକଙ୍କୁ ଏଥିରେ ଭାଗ ନନେବାକୁ ଅନୁରୋଧ କରିଛି । ଜିଲ୍ଲାରେ ନକ୍ସଲଙ୍କୁ ମୂଳପୋଛ କରାଯିବା ପରେ ସୀମାନ୍ତ ଛତିଶଗରେ ନକ୍ସଲଙ୍କ ଉତ୍ପାତ ବଢିଯାଇଛି । କିନ୍ତୁ ଛତିଶଗଡ଼ ସରକାର ପ୍ରତିଦିନ ନକ୍ସଲଙ୍କୁ ମାରିବାରେ ସଫଳ ହେଉଛି ।ବହୁ ନକ୍ସଲ ମଧ୍ୟ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି ।
ସପ୍ତାହବ୍ୟାପୀ ଚାଲିବାକୁଥିବା ଏହି ସହିଦ ଦିବସରେ ନକ୍ସଲ କି ପ୍ରକାର ରଣକୌଶଳ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ନକ୍ସଲ ଛତିଶଗଡ଼ରେ ହିଂସା ଘଟାଇ ମାଲକାନଗିରି ସୀମାରେ ପଶିବାର ସନ୍ଦେହ କରି ସୁରକ୍ଷାକର୍ମୀଙ୍କୁ ସୀମାରେ ମୁତୟନ କରାଯାଇଛି ।