ବଲାଙ୍ଗୀର: ସଇତାନ ପୁଅର ମାଡ଼ରେ ମା’ ମୃତ ଓ ବାପା ଗୁରୁତର । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଝଙ୍କାର ପାଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପ୍ରକାଶ ଯେ ଗତକାଲି ରାତିରେ କ୍ଷେତ୍ର ବରିହା ମଦ ପିଇ ଘରକୁ ଫେରିଥିଲା । ଯାହାକୁ ନେଇ ବାପା କୈଫୁଲ ବରିହା ତାଙ୍କୁ ଗାଳିଗୁଲଜ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ କ୍ଷେତ୍ର ବରିହା ବାପାଙ୍କୁ ଏକ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲା । ସେହିପରି ମା’ ଜୟ କୁମାରୀ ବରିହା ଏହାକୁ ବାରଣ କରିବାକୁ ତାଙ୍କୁ ମଧ୍ୟ ସେହି କାଠ ଫାଳିଆରେ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲା । ସେପଟେ ଏହି ଘଟଣା ପରେ କ୍ଷେତ୍ର ବରିହା ଘରୁ ଫେରାର ହୋଇଯାଇଥିଲା । ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଉଭୟ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ଓ ପରେ ପାଟଣାଗଡ଼ ଡାକ୍ତରଖାନା ଭର୍ତ୍ତି କରିଥିଲେ । ଆଜି ମା’ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟପଟେ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ସେପଟେ ଖପ୍ରାଖୋଲ ପୁଲିସ ଫେରାର ଥିବା ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଏହି ଦିଗରେ ଅଧିକ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି ।